ଯାଜପୁରରେ ଅସୁରକ୍ଷିତ ନାବାଳିକା:୭ ବର୍ଷରେ ୬୨୨ ନାବାଳିକାଙ୍କୁ ଦୁଷ୍କର୍ମ

ଯାଜପୁରସଦର: ଯାଜପୁର ଜିଲ୍ଲାରେ ନାବାଳିକାମାନେ ଅସୁରକ୍ଷିତ। ଜିଲ୍ଲାରେ ଗତ ୭ ବର୍ଷ ମଧ୍ୟରେ ୬୨୨ଜଣ ନାବାଳିକା ଦୁଷ୍କର୍ମର ଶିକାର ହୋଇଛନ୍ତି। ବିଭିନ୍ନ ଥାନାରେ ଏତେ ସଂଖ୍ୟକ ମାମଲା ହୋଇଥିବା ବେଳେ ପୁଲିସ ରେକର୍ଡକୁ ଆସୁ ନଥିବା ମାମଲା ସଂଖ୍ୟା ହିସାବକୁ ନେଲେ ଏହା ବହୁଗୁଣ ବଢ଼ିଯିବ। କାରଣ ଲୋକଲଜ୍ଜା କିମ୍ବା ସଂପର୍କୀୟଙ୍କ ଚାପରୁ ଅନେକ ମାମଲା ପୁଲିସ ପାଖକୁ ଆସୁନାହିଁ। ଅଭିଯୋଗକୁ ଦେଖିଲେ ଅନେକ ନାବାଳିକା ନିଜ ସଂପର୍କୀୟ କିମ୍ବା ପାଖପଡ଼ୋଶୀଙ୍କ ଦ୍ବାରା ଦୁଷ୍କର୍ମର ଶିକାର ହେଉଛନ୍ତି। ଚଳିତ ବର୍ଷ ଜିଲ୍ଳାର ୧୯ଟି ଥାନାକୁ ୮୦ ଟି ନାବାଳିକା ଦୁଷ୍କର୍ମ ଅଭିଯୋଗ ଆସିଥିବା ବେଳେ ଜଣେ ନାବାଳିକା ମା’ ବନିଛି। ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଏହି ନାବାଳିକା ଜଣକ ଦୁଷ୍କର୍ମର ଶିକାର ହେବା ପରେ ଭୟରେ ଚୁପ୍‌ ରହିଥିଲେ। ଆଉ ପରିଣାମ ସ୍ବରୂପ ସେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲା।
ତଥ୍ୟ ଅନୁଯାୟୀ, ୨୦୧୩ ମସିହାରେ ଯାଜପୁର ଜିଲ୍ଲାରେ ୨୨ ନାବାଳିକା ଦୁଷ୍କର୍ମ ଅଭିଯୋଗ ଥାନାରେ ପଞ୍ଜୀକୃତ ହୋଇଥିଲା। ୨୦୧୪ରେ ଏହି ସଂଖ୍ୟା ୫୯ରେ ପହଞ୍ଚିଥିଲା ବେଳେ ୨୦୧୫ରେ ୧୧୧ଜଣ ନାବାଳିକା ଦୁଷ୍କର୍ମର ଶିକାର ହୋଇଥିଲେ। ୨୦୧୬ରେ ୯୧ଜଣ, ୨୦୧୭ରେ ୧୧୪, ୨୦୧୮ରେ ସର୍ବାଧିକ ୧୪୫ଜଣ ନାବାଳିକା କାମାନ୍ଧ ବ୍ୟକ୍ତିଙ୍କ ଦ୍ବାରା ଶିକାର ହୋଇଥିଲେ। ୨୦୧୯ ବର୍ଷର ଆଜି ସୁଦ୍ଧା ୮୦ଟି ମାମଲା ଥାନାରେ ପଞ୍ଜୀକୃତ ହୋଇସାରିଲାଣି।
ଗତ ୭ ବର୍ଷରେ ଯାଜପୁର ଜିଲ୍ଲାରେ ୬୨୨ଟି ନାବାଳିକା ଦୁଷ୍କର୍ମ ମାମଲା ପୁଲିସ ରେକର୍ଡକୁ ଆସିବା ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଛି। ଯାଜପୁର ଜିଲ୍ଲାର ବିଂଝାରପୁର ଏବଂ ଦାନଗଦୀ ବ୍ଲକ ଅଞ୍ଚଳରେ ଏଭଳି ଅଭିଯୋଗର ସଂଖ୍ୟା ଅଧିକ। ପୂର୍ବରୁ ସୁକିନ୍ଦା ବ୍ଲକର ଆଦିବାସୀ ବହୁଳ ଅଞ୍ଚଳରୁ ବହୁ ନାବାଳିକା ଦୁଷ୍କର୍ମ ଅଭିଯୋଗ ଆସିଥିବା ବେଳେ ଚଳିତ ବର୍ଷ କିନ୍ତୁ ଏଭଳି ଅଭିଯୋଗ ଆସିନାହିଁ।
ଚଳିତ ବର୍ଷ ଦାନଗଦୀ ଅଞ୍ଚଳରେ ଜଣେ ୧୪ ବର୍ଷିୟା ନାବାଳିକା ଦୁଷ୍କର୍ମର ଶିକାର ହୋଇ ଚୁପ ରହି ଶେଷରେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ। ଏହି ଘଟଣାରେ ପୁଲିସ ଅଭିଯୁକ୍ତକୁ ଗିରଫ କରିପାରିନାହିଁ। କେବଳ ଏହି ଗୋଟିଏ ମାମଲା ନୁହେଁ ଚଳିତ ବର୍ଷ ୮୦ଟି ପଞ୍ଜୀକୃତ ମାମଲା ମଧ୍ୟରୁ ମାତ୍ର ୧୮ଟି କେସର ସମାଧାନ ହୋଇଛି । ମୋଟ ୬୨୨ ମାମଲା ମଧ୍ୟରୁ ଅର୍ଧାଧିକ ମାମଲା ବିଚାର ଅପେକ୍ଷାରେ ରହିଛି। ଅନେକ ସମୟରେ ଅଭିଯୁକ୍ତକୁ ପୁଲିସ ଜାଣିଶୁଣି ଧରୁ ନଥିବା ‌ବେଳେ କେ‌ତେକ ଘଟଣାରେ ବିଳମ୍ବିତ ବିଚାର ପ୍ରକ୍ରିୟା ଯୋଗୁଁ ପୀଡ଼ିତାଙ୍କୁ ନ୍ୟାୟ ମିଳିପାରୁନି।
ଜିଲ୍ଲାରେ ନାବାଳିକା ଦୁଷ୍କର୍ମ ଘଟଣା ବେଲଗାମ୍‌ ହୋଇଯାଇଥିବା ବେଳେ ନାବାଳିକା ବିବାହ ଉପରେ କିନ୍ତୁ କିଛିଟା ଅଙ୍କୁଶ ଲାଗିଛି। ବିଶେଷ କରି ବରୀ, ସୁକିନ୍ଦା, ଦାନଗଦୀ, ବଡଚଣା ଏବଂ ସୁକିନ୍ଦା ବ୍ଳକ ଅଞ୍ଚଳରୁ ପୂର୍ବରୁ ନାବାଳିକା ବିବାହ ସଂପର୍କିତ ବହୁ ଅଭିଯୋଗ ହେଉଥିଲା। ସଚେତନତା କାର୍ଯ୍ୟକ୍ରମ ଜରିଆରେ ଏଥିରେ ଅଙ୍କୁଶ ଲଗାଯାଇପାରିଛି। ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ମହିଳା ଓ ଶିଶୁ ବିକାଶ ବିଭାଗ ଏନେଇ ଯତ୍ନବାନ ହୋଇ କାର୍ଯ୍ୟ କରୁଥିବାରୁ ଜିଲ୍ଳାରେ ବାଲ୍ୟ ବିବାହ ଅଭିଯୋଗ ହ୍ରାସ ପାଇଛି।
୨୦୧୪ରୁ ୨୦୧୯ ମଧ୍ୟରେ ‌ମୋଟ ୨୧ଟି ନାବାଳିକା ବିବାହକୁ ପ୍ରଶାସନ ବନ୍ଦ କରିଥିବା ବେଳେ ଗୋଟିଏ ସ୍ଥାନରେ ନାବାଳିକା ବିବାହ ଶେଷ ହୋଇଥିବା ବେଳେ ଚତୁର୍ଥୀ ଦିନ ପ୍ରଶାସନ ପହଞ୍ଚି ନାବାଳିକାକୁ ଉଦ୍ଧାର କରିଥିଲା। ଜିଲ୍ଲାର କାଲିଆପାଣି ଥାନା ଅଞ୍ଚଳରେ ୮ଟି, କଳିଙ୍ଗନଗର ଥାନା ଅଧୀନରେ ୨ଟି, ସୁକିନ୍ଦାରେ ୩ଟି, ଯାଜପୁରରେ ୨ଟି, ବଡଚଣାରେ ୩ ଟି, ବୈରୀରେ ୧ଟି, ବରୀରେ ୧ଟି, ବିଂଝାରପୁରରେ ଗୋଟିଏ ନାବାଳିକା ବିବାହ ରୋକା ଯାଇଛି। ଅପ୍ରାପ୍ତ ବୟସରେ ବିବାହ କରାଇଦେବା , ପଡୋଶୀ କିମ୍ବା ସଂର୍ପକୀୟଙ୍କ ଦ୍ବ‌ାରା ‌ଯୌନ ଶୋଷଣର ଶିକାର ହୋଇଥିବା ନାବାଳିକା ସାଧାରଣତଃ ମାନସିକ ଚାପରେ ରହୁଛନ୍ତି। ଦୁନିଆ କଣ ଜାଣିବା ପୂର୍ବରୁ ସେମାନଙ୍କ ଜୀବନ ଦୁର୍ବିସହ ହୋଇପଡୁଛି। ନାବାଳିକା ଦୁଷ୍କର୍ମ ହେଉ କି ବାଲ୍ୟ ବିବାହ ଉଭୟ ମାନସିକ ଦୁଃଶ୍ଚିନ୍ତା ବଢ଼ାଉଥିବାରୁ ଏନେଇ ବ୍ୟାପକ ସଚେତନତା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ରହିଛି।

ସମ୍ବନ୍ଧିତ ଖବର