ଦଶରଥପୁର: ମୃତ ଚାଷୀଙ୍କୁ ବି ଛାଡ଼ିଲେନି। ମୃତ୍ୟୁର ୧୦୮ ଦିନ ପରେ ମଧ୍ୟ ବ୍ୟାଙ୍କରୁ ନିଜେ ଟଙ୍କା ଉଠାଣ କରିଥିବା ଜଣାପଡ଼ିଛି। ଏଭଳି ହରିଲୁଟ ପଦାକୁ ଆସିଛି ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ପାଲଟପୁର ପ୍ରାଥମିକ କୃଷି ସମବାୟ ସମିତି କ୍ଷେତ୍ରରେ।
ସୂଚନା ଅନୁସାରେ ପାଲଟପୁର କୃଷି ସମବାୟ ସମିତି ଅଧିନରେ ବିରିପଟା ପଞ୍ଚାୟତ ଅନ୍ତର୍ଭୁ କ୍ତ ରହିଛି। ଏହି ପଞ୍ଚାୟତ ବଡକୁଆଁଲ ଗ୍ରାମର ପଞ୍ଚାନନ ମଲ୍ଲିକ(୭୦) ନାମକ ଜଣେ ଚାଷୀ ହୋଇଥିବାବେଳେ ସେ ଜଣେ ସମବାୟ ସଭ୍ୟ ଅଟନ୍ତି। ଏଣୁ ସେ ଜୀବିତ ଥିବା ଅବସ୍ଥାରେ ଚାଷ ପାଇଁ ଋଣ ନେବାକୁ ଆବେଦନ କରିଥିଲେ। ମାତ୍ର ସେ ଗତ ୧୨ ଜୁନ ୨୦୨୩ରେ ହୃଦଘାତରେ ନିଜ ଘରେ ମୃତ୍ୟୁବରଣ କରିଥିଲେ। ଏଥିନେଇ ପରିବାର ଲୋକେ ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରମାଣ ପତ୍ର ପାଇଁ ଆବେଦନ କରିଥିବାବେଳେ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ପଂଜିକରଣ ସଂଖ୍ୟା ୬୮୨/୨୦୨୩ରେ ଗତ ୧୮ ଅଗଷ୍ଟରେ ପଞ୍ଚାନନ ମଲ୍ଲିକଙ୍କ ମୃତ୍ୟୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଛି। ହେଲେ ସବୁଠୁ ଆଶ୍ଚର୍ଯ୍ୟର କଥା ମୃତ୍ୟୁର ୧୦୮ ଦିନ ପରେ କଟକ କେନ୍ଦ୍ରୀୟ ସମବାୟ ସମିତି ବ୍ୟାଙ୍କ ଦଶରଥପୁର ଶାଖା ପଞ୍ଚାନନଙ୍କ ଖାତା ସଂଖ୍ୟା ୦୨୮୦୫୩୦୦୮୧୯୭ କହୁଛି ତାଙ୍କ ନାମରେ ଗତ ୨୭ ସେପ୍ଟେମ୍ବର ୨୦୨୩ରେ ଏକ ଲୋନ ୧୧୫୦୦ ଟଙ୍କା ପ୍ରଦାନ କରାଯାଇଛି। ହେଲେ ବ୍ୟାଙ୍କ ଖାତାକୁ ଲୋନ ଆସିବାର ୩ ଦିନ ପରେ ୩୦ ସେପ୍ଟେମ୍ବର ୨୦୨୩ରେ ନିଜେ ଦସ୍ତଖତ କରି ୧୧୫୦୦ ଟଙ୍କା ଉଠାଣ କରିଥିବା ବ୍ୟାଙ୍କ ପାସ ବହି ଷ୍ଟେଟମେଣ୍ଟରେ ଦର୍ଶାଯାଇଛି। ଏଠାରେ ପ୍ରଶ୍ନ ଉଠେ ପଞ୍ଚାନନଙ୍କ ମୃତ୍ୟୁର ୧୦୮ ଦିନ ପରେ କେମିତି ବ୍ୟାଙ୍କରୁ ଉଠିଲା ଟଙ୍କା ? କିଏ ନେଲା ୧୧୫୦୦ ଟଙ୍କା।
ଏହି ଘଟଣା ଜଣାପଡିବା ପରେ ପାଲଟପୁର ସମବାୟ ସମିତିର ବୋର୍ଡ ସଭ୍ୟ ହେମନ୍ତ ମଲ୍ଲିକ ଏଆରସିଏସ ଏବଂ ମଙ୍ଗଳପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁସାରେ ସମବାୟ ସମିତିର ସଂପାଦକ ବିଶ୍ୱଜିତ ଧଳ ଏବଂ ସଭାପତି ଅଶ୍ୱନୀ ନାୟକ ମିଳିତ ଭାବେ ମୃତକଙ୍କ ଟଙ୍କା ଉଠାଣ କରି ହରିଲୁଟ କରିଥିବା ଅଭିଯୋଗ ହୋଇଛି। ମଙ୍ଗଳପୁର ଥାନା ପକ୍ଷରୁ ସଭାପତି ଏବଂ ସଂପାଦକଙ୍କୁ ଡକାଯାଇ ପଚରାଉଚରା କରାଯାଇଥିବାବେଳେ ତାଙ୍କ ନାମରେ ମାମଲା ରୁଜୁ କରାଯିବ ବୋଲି ସୂଚନା ମିଳିଛି।
ଅନ୍ୟପକ୍ଷରେ ଏଆରସିଏସି କାର୍ଯ୍ୟାଳୟ ପକ୍ଷରୁ ଅଭିଯୋଗ ପରେ ଏସଏଆରସିଏସ ନିବେଦିତା ସାମଲଙ୍କୁ ତଦନ୍ତ ଦାୟିତ୍ୱ ଦିଆଯାଇଛି। ସେ ଆସନ୍ତା ୧୩ ତାରିଖ ଦିନ ସମବାୟ କାର୍ଯ୍ୟାଳୟକୁ ଆସି ତଦନ୍ତ କରିବେ ବୋଲି ସୂଚନା ମିଳିଛି। ଏବିଷୟରେ ସଭାପତି ଅଶ୍ୱନୀ ନାୟକଙ୍କୁ ପଚାରିବାରେ ମୁଁ ଏବିଷୟରେ କୌଣସି କଥା ଜାଣିନାହିଁ। ସଂପାଦକ ଜାଣିଥିବେ ବୋଲି କହିଛନ୍ତି। ସଂପାଦକ ବିଶ୍ୱଜିତ ଧଳଙ୍କୁ ପଚାରିବାବେ ସଭାପତିଙ୍କ କହିବା ଅନୁସାରେ ପଞ୍ଚାନନ ମଲ୍ଲିକଙ୍କ ନାମରେ ଲୋନ କରାଯାଇଥିଲା ବୋଲି ସୂଚନା ଦେଇଛନ୍ତି । ଖାଲି ପଞ୍ଚାନନ ନୁହନ୍ତିଁ ଏଭଳି ଆହୁରି ଅନେକ ଲୋକଙ୍କ ନାମରେ ଟଙ୍କା ହଡ଼ପ ହୋଇଥିବା ଅଭିଯୋଗ ହୋଇଛି। ଯାହାର ଉଚ୍ଚ ସ୍ତରୀୟ ତଦନ୍ତ କରାଗଲେ ସମସ୍ତ ଘଟଣା ପଦାକୁ ଆସିପାରିବା ସହ ସମ୍ପୃକ୍ତ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ସମ୍ଭବ ବୋଲି କୁହାଯାଉଛି।