ମା,ପୁଅ ହତ୍ୟାକାଣ୍ଡ ଓ ଝିଅକୁ ନିର୍ଯାତନା ଘଟଣାକୁ ଦି’ ସପ୍ତାହ ବିତିଲା:ମୁଖ୍ୟ ଅଭିଯୁକ୍ତର ଟେର ପାଉନି ପୁଲିସ

ସହଯୋଗୀକୁ ଗିରଫ କରି ଚୁପ୍ !

ଯାଜପୁର/ଧର୍ମଶାଳା: ଧର୍ମଶାଳା ଥାନା ଅନ୍ତର୍ଗତ ଦେଉଳି ସାହିର ଅବସରପ୍ରାପ୍ତ କର୍ମଚାରୀ କୃଷ୍ଣ ସାମଲଙ୍କ ଏକ ମାତ୍ର ପୁଅ ତରୁଣ ସାମଲ ଓ ଦ୍ବିତୀୟ ପତ୍ନୀ ମିତା ସାମଲଙ୍କୁ ହତ୍ୟା କରିବା ସହିତ ନାବାଳିକା କଲେଜ ପଢୁଆ ଝିଅକୁ ଅମାନୁଷିକ ନର୍ଯ୍ୟାତନା ଘଟଣା ୧୫ଦିନ ପୂରିଲା। ଅଥଚ ମାଷ୍ଟର ମାଇଣ୍ଡ ବିଜୟ ବେହେରାର ସୁରାଗ ପୁଲିସ ପାଇପାରିଲା ନାହିଁ। ବ‌େର୍ଷ ପୂର୍ବରୁ ଫେରାର ଥିବା ବିଜୟ ଫନି ପୂର୍ବ ଦିନ ୨ତାରିଖରେ ଗାଁ କୁ ଫେରି ତିନି ତିନି ଟି ଅପରାଧ ଘଟଣା ଘଟାଇ ‌ପୁଣି ଫେରାର ହୋଇଗଲା। ଧର୍ମଶାଳା ପୁଲିସ ହାତବାନ୍ଧି ବସିଛି। ବିଜୟର ଟେର ପାଇ ନପାରିବା ଘଟଣା ଯାଜପୁର ପୁଲିସର ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପ୍ରକାଶ ଥାଉକି ଧର୍ମଶାଳା ଥାନାକୁ ନୂତନ ଅଧିକାରୀ ଅାସିଥିବା ବେ‌େଳ ଜିଲ୍ଲାର ପଦସ୍ଥ ଅଧିକାରୀ ମାନେ ଏହି ସଂବେଦନଶୀଳ ଘଟଣାକୁ ଏତେ ହାଲୁକା ଭାବେ ନେବା ଓ ସାମାଜିକ କର୍ମୀମାନେ ନିରବ ରହିବା ଘଟଣା ବିଭିନ୍ନ ମହଲରେ ବିସ୍ମୟ ସୃଷ୍ଟି କରିଛି। ବାତ୍ୟା ଫନିର ପୂର୍ବ ଦିନ ୨ତାରିଖରେ କୃଷ୍ଣ ସାମଲଙ୍କ ପୁଅ ତରୁଣଙ୍କୁ ବାଲେଶ୍ବର ଜିଲ୍ଲାର ସହଦେବଖୁଣ୍ଟା ଥାନା ଅଞ୍ଚଳରେ ଦୁର୍ବୃତ୍ତମାନେ ହତ୍ୟା କରି ପାଣିରେ ପକାଇ ଦେଲେ। ତରୁଣ ଆତ୍ମହତ୍ୟା କରିଛି ବୋଲି ପୁଲିସ ସହଜରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଚୁପ୍ ହୋଇବସିଛି। ଅନ୍ୟପଟେ ସେହି ଦିନ ୨ତାରିଖ ରାତିରେ ଧର୍ମଶାଳା ଥାନା ନିକଟ ଦେଉଳି ସାହିରେ ଥିବା ତରୁଣଙ୍କ ଘରୁ ତାଙ୍କ ମା ଓ ଭଉଣୀଙ୍କୁ ଅପରାଧୀମାନେ ପାହାଡ ଉପରକୁ ଟେକି ନେଇଗଲେ। ତରୁଣଙ୍କ ମା ମିତାଙ୍କୁ ପାହାଡ଼ ଖୋଲରେ ହତ୍ୟା କଲେ ଓ ଉଭଣୀକୁ ଅକଥନୀୟ ନିର୍ଯ୍ୟାତନା ଦେଇ ମରିଗଲା ଭାବି ମୁମୂର୍ଷୁ ଅବସ୍ଥାରେ ଅପରାଧୀ ବିଜୟ ବେହେରା ଓ ତାର ସହଯୋଗୀମାନେ ଫିଙ୍ଗି ଦେଇ ପଳାଇ ଆସିଲେ। ୨ଦିନ ପରେ ୪ତାରିଖରେ ଭାଗ୍ୟକୁ ଲୋକମାନେ ମୁମୂର୍ଷୁ ଅବସ୍ଥାରେ ତରୁଣଙ୍କ ଭଉଣୀକୁ ଉଦ୍ଧାର କଲେ ଓ ମା ମିତାଙ୍କ ଶବ ଜବତ କଲେ। ଏହି ଘଟଣାରେ ମାଷ୍ଟର ମାଇଣ୍ଡ ବିଜୟ ବେହେରାର ସହଯୋଗୀ ଦେଉଳି ଗ୍ରାମର ବିଚିତ୍ର କୁମାର ରଣା ଓରଫ ବିକିକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ମା ଓ ଭାଇକୁ ହରାଇ ପୀଡ଼ିତା କୃଷ୍ଣଙ୍କ ଝିଅକୁ ପୁଲିସ ସ୍ବାଧାରଗୃହରେ ଛାଡ଼ି ଦେଇ ଫାଇଲକୁ ଏକ ପ୍ରକାର ବନ୍ଦ କରିଦେଇଛି। ଏପରିକି ଗଣମାଧ୍ୟମକୁ ପାଟି ନଖୋଲିବାକୁ ପୀଡ଼ିତାଙ୍କ ପରିବାରକୁ ପୁଲିସ ଧମକଚମକ ଦେଇଛି। ଏଭଳି ସଂବେଦନଶୀଳ ଘଟଣାକୁ ପୁଲିସ ଏଭଳି ତଦନ୍ତ କରି ଚାପି ଦେବାକୁ ନେଇ ବିଭିନ୍ନ ପ୍ରଶ୍ନ ଉଙ୍କି ମାରୁଛି। ସୂଚନା ଯୋଗ୍ୟ କୃଷ୍ଣର ପ୍ରଥମ ପତ୍ନୀଙ୍କ ଝିଅ ମମତା ଜଣେ ହୋମ ଗାର୍ଡ଼ ଭାବେ ଧର୍ମଶାଳା ଥାନାରେ କାମ କରୁଥିବା ବେଳେ ତାଙ୍କ ଘର ନିକଟରେ ଏଭଳି ଘଟଣା ଘଟିବା। ସର୍ବପରି ଧର୍ମଶାଳା ଥାନା ପୁଲିସ ର ସହକର୍ମୀ ମମତା(ହୋମଗାର୍ଡ଼)ଙ୍କ ସାବତ ମା, ଭାଇ ହତ୍ୟା ଓ ଉଭଣୀ ପ୍ରତି ନିର୍ଯ୍ୟାତନା ଘଟଣାକୁ ପୁଲିସ ଏପରି ତଦନ୍ତ କରିବା ଓ ନିରବ ହୋଇ ବସିଯିବା ନେଇ ବିଭିନ୍ନ ମହଲରେ ସନ୍ଦେହ ବୃଦ୍ଧି ପାଇବାରେ ଲାଗିଛି।

ସମ୍ବନ୍ଧିତ ଖବର