କାଳିଆପାଣି (ରବି ନାରାୟଣ କର): କାଳିଆପାଣି ଖଣିଅଞ୍ଚଳରେ ଗତ ନଭେମ୍ବର ମାସ ୧୧ ଓ ୧୨ ତାରିଖ ମଧ୍ୟରେ ୪ ଜଣ ଯୁବକଙ୍କ ହୃଦ୍ଘାତ ଜନିତ ଅକାଳ ମୃତ୍ୟୁ ମନରୁ ନଯାଉଣୁ ଦିନକ ମଧ୍ୟରେ ପୁଣି ୩ ଜଣଙ୍କ ସମାନ ଅବସ୍ଥାରେ ମୃତ୍ୟୁ ସାଧାରଣରେ ଆତଙ୍କର କାରଣ ହୋଇଛି। ଆଜି ସକାଳ ଓଡ଼ିଶା ଖଣି ନିଗମ(ଓଏମ୍ସି)ର ରୋଷେୟା ରମେଶ ଚନ୍ଦ୍ର ସାହୁଙ୍କୁ ଅତିଥିଶାଳା ସଂଲଗ୍ନ ତାଙ୍କ ଆବାସିକ କୋଠରୀରେ ମୃତ ଅବସ୍ଥାରେ ଦେଖାଯାଇଥିଲା। ସେ ଠିକାସଂସ୍ଥା ଏସ୍ଏମ୍ସି କମ୍ପାନିରେ କାର୍ଯ୍ୟରତ ଥିଲେ। ସକାଳୁ ସ୍ବାଭାବିକ ନିତ୍ୟକର୍ମ ଓ ସ୍ନାନଶୌଚ ପରେ ଅସୁସ୍ଥତା ଅନୁଭବ କରି ବିଶ୍ରାମ ନେବାକୁ ଚାହିଥିଲେ।
ମାଇନ-ଡାଇନ(କ୍ୟାଣ୍ଟିନ)ରେ ଜଳଖିଆ ପ୍ରସ୍ତୁତିରେ ବିଳମ୍ବ ହେବାରୁ ସହକର୍ମୀମାନେ ତାଙ୍କୁ ଖୋଜିଥିଲେ। ଓଏମ୍ସି କାଳିଆପାଣି କେନ୍ଦ୍ରୀୟ ଚିକିତ୍ସାଳୟର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡାକ୍ତର ବିଶ୍ବଜିତ ବେହେରା ପହଞ୍ଚି ମୃତ ଘୋଷଣା କରିଥିଲେ। ଥାନା ଅଧିକାରୀ ଶିବ ଚରଣ ବେହେରାଙ୍କ ନିର୍ଦ୍ଦେଶରେ ତଦନ୍ତକାରୀ ଅଧିକାରୀ ଏଏସ୍ଆଇ ପ୍ରଶାନ୍ତ କୁମାର ପଲେଇ ସଦଳବଳ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିଲେ। ମୃତକଙ୍କ ପୁଅ, ଜ୍ବାଇଁ ଓ ସଂପର୍କୀୟଙ୍କ ଉପସ୍ଥିତିରେ ପୁଲିସ ପକ୍ଷରୁ ସହକର୍ମୀଙ୍କ ସାକ୍ଷ୍ୟ ନିଆଯାଇ ତଦନ୍ତ କରାଯାଇଥିଲା। ଏ ସଂକ୍ରାନ୍ତରେ ପୁଅ ରମାକାନ୍ତଙ୍କ ଏତଲା ଆଧାରରେ ଥାନାରେ ଏକ ଅପମୃତ୍ୟୁ ମାମଲା ୨/୨୬ ରୁଜୁ କରାଯାଇଛି। ବ୍ୟବଛେଦ ପରେ ପୈତୃକ ଗାଁ କେନ୍ଦୁଝରଜିଲ୍ଲା ଘସିପୁରା ଥାନା ଦେଓଗାଁ କୁଶଳେଶ୍ବର ଗାଁ ଶ୍ମଶାନରେ ଏକ ଶୋକାକୁଳ ପରିବେଶରେ ତାଙ୍କ ଶେଷକୃତ୍ୟ କରାଯାଇଛି।
କାଳିଆପାଣି ଗାଁ ଦେହୁରୀସାହି ବାସିନ୍ଦା ବାଲେଶ୍ବର ଆଲଏଜ୍ ଖଣିର ଠିକା କର୍ମଚାରୀ ସନ୍ତୋଷ କୁମାର ମହାନ୍ତିଙ୍କର ପତ୍ନୀ ଆରତି ମହାନ୍ତି(୫୫)ଙ୍କର ଗତକାଲି ଦେହାନ୍ତ ହୋଇଯାଇଛି। ଗତକାଲି ସକାଳ ଗାଧୁଆ ଘରେ ସେ ପଡ଼ି ଯାଇଥିଲେ। ତାଙ୍କୁ ଅକ୍ଷତ ଅବସ୍ଥାରେ ଉଦ୍ଧାର କରାଯାଇ ପ୍ରଥମେ ଓଏମ୍ସି କାଳିଆପାଣି କେନ୍ଦ୍ରୀୟ ଚିକିତ୍ସାଳୟ ଓ ପରେ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଣାଯାଇଥିଲା। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ପୁରୀ ସ୍ବର୍ଗଦ୍ବାରରେ ତାଙ୍କ ଶେଷକୃତ୍ୟ କରାଯାଇଛି। ସେହିପରି କାଳିଆପାଣି ପଡ଼ୋଶୀ ଖରଖରି ଗାଁରେ ୨ ଦିନ ପୂର୍ବରୁ ସ୍ବାଭାବିକ ଥିବା ସ୍ବର୍ଗତ ପର୍ଶୁରାମ ମହାନ୍ତଙ୍କ ପତ୍ନୀ ବୃଦ୍ଧା ଜେମା ମହାନ୍ତଙ୍କର ଗତକାଲି ହୃଦଘା୍ତରେ ଦେହାନ୍ତ ହୋଇଥିବା ପରିବାର ପକ୍ଷରୁ କୁହାଯାଇଛି।
ସୂଚନାଯୋଗ୍ୟ ଯେ, ଗତ ନଭେମ୍ବର ମାସ ଗୋଟିଏ ଦିନ ମଧ୍ୟରେ କାଳିଆପାଣି ଥାନା ଇଲାକାର ୪ ଜଣ ଯୁବକ ମହୁଲଖାଲ ଗାଁର ଦଶରଥ ମହାନ୍ତ, ଇମ୍ଫାର ଠିକା ନିରାପତ୍ତାରକ୍ଷୀ ବିଚିତ୍ରାନନ୍ଦ ସାହୁ, କାଟେଣି ଗାଁର ତୋଫାନ ପ୍ରଧାନ ଓ ଚିରିଗୁଣିଆ ମାଝିସାହିର ମାଧବାନନ୍ଦ ବିରୁଆଙ୍କର ହୃଦ୍ଘାତରେ ଅକାଳ ମୃତ୍ୟୁ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2026/02/06/kaliapani-2026-02-06-21-07-03.jpg)