ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ:ହତ୍ୟା ଅଭିଯୋଗ

ବାରବାଟୀ : କୁଆଖିଆ ଥାନା ଅନ୍ତର୍ଗତ ପ୍ରଥମାଖଣ୍ଡି ପଞ୍ଚାୟତ ଚକ ଗୋପାଳପୁର ପାଟଣା ସାହିରେ ଗତ ମଙ୍ଗଳବାର ରାତିରେ ଜଣେ ମହିଳାଙ୍କୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ ହୋଇଛି। ସଞ୍ଜୁ ଦତ୍ତ (୨୮) ନାମକ ଏହି ମହିଳାଙ୍କୁ ତାଙ୍କ ଶାଶୂଘର ଲୋକେ ବିଷ ପିଆଇ ହତ୍ୟା କରିଛନ୍ତି ବୋଲି ଅଭିଯୋଗ ହୋଇଛି। ମୃତ ସଞ୍ଜୁଙ୍କ ମା’ କନକଲତା ବେହେରା ଏ ସମ୍ପର୍କରେ କୁଆଖିଆ ଥାନାରେ ଅଭିଯୋଗ କରିଛନ୍ତି। ହେଲେ ଏଭଳି କୌଣସି ଅଭିଯୋଗ ହୋଇନଥିବା ପୁଲିସ କହୁଛି। ଅଭିଯୋଗ ଅନୁଯାୟୀ ପାଟଣା ସାହିର ନନ୍ଦିଆ ଦତ୍ତ ସଞ୍ଜୁଙ୍କୁ ୧୦ ବର୍ଷ ତଳେ ପ୍ରେମ ବିବାହ କରିଥିଲେ। ରାଜମିସ୍ତ୍ରୀ ଭାବେ କାମ କରୁଥିବା ନନ୍ଦିଆ କେନ୍ଦୁଝରକୁ ଯାଇଥିବା ବେଳେ ସେଠାରେ ଜଣେ ଯୁବତୀଙ୍କ ସହିତ ତାଙ୍କର ସମ୍ପର୍କ ଗଢି ଉଠିଥିଲା। ଗତ କିଛି ଦିନ ତଳେ ସଂଜୁର ସ୍ୱାମୀ ଏହି ଯୁବତୀକୁ ସାଙ୍ଗରେ ଧରି ଗାଁକୁ ଆସିଥିଲେ।

ଉଭୟଙ୍କ ମିଳାମିଶାକୁ ସଞ୍ଜୁ ବିରୋଧ କରିବାରୁ ନନ୍ଦିଆ ତାଙ୍କୁ ମାରଧର କରୁଥିଲେ। ସଞ୍ଜୁ ସେହି ଗ୍ରାମରେ ଥିବା ତାଙ୍କ ବାପଘରକୁ ଆସି ଏ ସମ୍ପର୍କରେ ପରିବାର ଲୋକଙ୍କୁ ଜଣାଇଥିଲେ। ଏ ନେଇ ଥାନାରେ ମଧ୍ୟ ସଞ୍ଜୁ ଅଭିଯୋଗ କରିବା ପରେ ପୁଲିସ ସ୍ୱାମୀ ନନ୍ଦିଆ ଓ ତାଙ୍କ ଶ୍ୱଶୁରଙ୍କୁ ଥାନାକୁ ଡାକି ତାଗିଦ୍‌ କରି ଛାଡି ଦେଇଥିଲେ। ଘଟଣା ଦିନ ରାତିରେ ପରିବାରରେ ପୁଣି ଝଗଡା ହୋଇଥିଲା। ସଞ୍ଜୁଙ୍କୁ ତାଙ୍କ ଶାଶୂଘର ଲୋକେ ଜୋର୍‌କରି ବିଷ ପିଆଇ ଦେଇଥିଲେ ବୋଲି ତାଙ୍କ ମା’ ଅଭିଯୋଗ କରିଛନ୍ତି। ଗୁରୁତର ଅବସ୍ଥାରେ ସଞ୍ଜୁଙ୍କୁ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିବା ବେଳେ ଅବସ୍ଥା ଗୁରତର ଥିବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଅନ୍ୟପକ୍ଷରେ ସଞ୍ଜୁଙ୍କ ଶାଶୂଘର ଲୋକେ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ବୋହୂ ବିଷ ପିଇ ଆତ୍ମହତ୍ୟା କରିଛି ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର