ଚାଷୀ ସତ୍ୟାଗ୍ରହ ପରେ ପ୍ରଶାସନ ସହ ଆଲୋଚନା କଲେ ନବ ନିର୍ମାଣ କୃଷକ ସଂଗଠନର ସଦସ୍ୟମାନେ

ଯାଜପୁର: ଯାଜପୁର ଜିଲ୍ଲାରେ ଗତ ୨୨ ତାରିଖରେ ଚଣ୍ଡିଖୋଲ ଠାରେ ନବ ନିର୍ମାଣ କୃଷକ ସଗଠନ ପକ୍ଷରୁ ଚାଷୀମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ଓ କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ କରାଯାଇ ଚାଷୀ ସତ୍ୟାଗ୍ରହ କରାଯାଇଥିଲା। ତେବେ ସେଠାରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ) ଅକ୍ଷୟ କୁମାର ମଲିକ ଚାଷୀମାନଙ୍କୁ ଭେଟି ୨୯ ତାରିଖରେ ସେମାନଙ୍କ ସହ ପ୍ରଶାସନ ଆଲୋଚନା କରିବାର ପ୍ରତିଶ୍ରୃତି ଦେଇଥିବାରୁ ପ୍ରଶାସନ ସହ ନବ ନିର୍ମାଣ କୃଷକ ସଂଗଠନ ସଦସ୍ୟମାନଙ୍କ ସହ ଆଲୋଚନା ହୋଇଛି। ଗୋଟିଏ ପଟେ ଜିଲ୍ଲାପାଳ ଚାଷୀମାନଙ୍କ ସମସ୍ୟାକୁ ପାରୁ ପର୍ଯ୍ୟନ୍ତ ସମାଧାନ କରିବାକୁ ଉଦ୍ୟମ କରାଯିବ ବୋଲି କହିଥିବା ବେଳେ ସଂଗଠନ ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ପ୍ରତିଶ୍ରୃତି ପୂରଣ ହେଲେ ଯାଇ ବିଶ୍ବାସ କରିବୁ ବୋଲି ମତ ରଖିଛନ୍ତି।

ସୂଚନା ଅନୁସାରେ ଜିଲ୍ଲାରେ ବନ୍ୟା ଯୋଗୁ ଚାଷୀମାନଙ୍କ ଅବସ୍ଥା ସଂଗୀନ ହୋଇ ପଡ଼ିଥିବା ବେଳେ ନବ ନିର୍ମାଣ କୃଷକ ସଂଗଠନ ଚାଷୀଙ୍କ ସମସ୍ୟାକୁ ନେଇ ୧୫ ଦଫା ସମ୍ବଳିତ ଦାବି ପ୍ରଶାସନ ପାଖରେ ଉପସ୍ଥାପିତ କରାଯାଇଥିଲା। ତେବେ ଆଜିର ଆଲୋଚନାରେ ପ୍ରଶାସନିକ ଅଧିକାରୀ ଭାବେ ଜିଲ୍ଲାପାଳ ଚକ୍ରବର୍ତୀ ସିଂ ରାଠୋର,ଅତିରିକ୍ତ ଜିଲ୍ଲାପାଳ ମିହିର କୁମାର ମହାନ୍ତି,ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଅକ୍ଷୟ କୁମାର ମଲିକଙ୍କ ସହ ଲାଇନ ବିଭାଗର ଅଧିକାରୀ ଉପସ୍ଥିତ ରହିଥିଲେ। ତେବେ ଏହି ଅବସରରେ ଜିଲ୍ଲାପାଳ ପ୍ରଶାସନ ପକ୍ଷରୁ ସମ୍ଭବ କାର୍ଯ୍ୟ ବ୍ରାହ୍ମଣୀ ନଦୀରୁ ବାଲି ଉଠାଇ ଚିରସ୍ରୋତା କରିବା, ଜଳସେଚନ ଓ ‌ଡ୍ରେନେଜ ବୋର୍ଡ ସହ ଆଲୋଚନା କରି ଜଳ ସେଚନକୁ ଗୁରୁତ୍ବ ଦେଇଥିଲେ।

ବଡଚଣାର ମୃତ ଚାଷୀ ଧୀରେନ୍ଦ୍ରଙ୍କୁ ୪ ଲକ୍ଷ ଟଙ୍କାର କ୍ଷତିପୂରଣ ମିଳିବା ସହ ବନ୍ୟା ଯୋଗୁ ଚାଷ ଜମିରୁ ବାଲି ଓ ଜଳ କାଢ଼ିବା ପାଇଁ ମନରେଗା ଯୋଜନାରୁ ଏକର ପ୍ରତି ୨୦ ହଜାର ଟଙ୍କା ଘୋଷଣା କରାଯାଇଛି। ଉଠା ଜଳ ସେଚନ ପଏଣ୍ଟ ଗୁଡିକୁ କାର୍ଯ୍ୟକ୍ଷମ, ଧାଡିରୁଆ ପଇସା ୧୫ ଦିନ ମଧ୍ୟରେ ପ୍ରଦାନକୁ ଗୁରୁତ୍ବ ଦିଆଯାଇଛି। ଏଥି ସହିତ ବନ୍ୟା କ୍ଷତିଗ୍ରସ୍ତ ଚାଷୀଙ୍କୁ ଏକର ପିଛା ୧୫ ହଜାର ପ୍ରଦାନ ଓ କୃଷି ଋଣ ଛାଡ଼ କରିବା କ୍ଷମତା ରାଜ୍ୟ ସରକାରଙ୍କର ବୋଲି ଜିଲ୍ଲାପାଳ ସ୍ପଷ୍ଟ କରିଛନ୍ତି। ତେବେ ଏହି ଆଲୋଚନା ପୂର୍ବ ଆଲୋଚନା ଅପେକ୍ଷା ସଫଳ ହୋଇଥିବା ବେଳେ ଚାଷୀଙ୍କ ସମସ୍ୟା ପ୍ରତି ପ୍ରଶାସନ ଯତ୍ନବାନ୍ ରହିଛି ବୋଲି ଜିଲ୍ଲାପାଳ କହିଛନ୍ତି ।‌ ଏହି ବୈଠକ ସଂଗଠନ ପକ୍ଷରୁ ରାଜ୍ୟ ସହ ସଂଯୋଜକ ନିମାଇଁ ରାୟ, ଜିଲ୍ଲା ସଂଯୋଜକ ଦୁର୍ଗା ପ୍ରସାଦ ଦାଶ,ଅଶୋକ ଶାନ୍ତି ପ୍ରମୁଖଙ୍କ ସହ ବହୁ ସଦସ୍ୟ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର