ଦାନଗଦୀ/ କାଳିଆପାଣି,: ଯାଜପୁର ଜିଲ୍ଲା ଟମକା ଥାନା ଅନ୍ତର୍ଗତ ଜନିନ୍ଦାପାଳଠାରେ ଗତ ଗୁରୁବାର ଘଟିଯାଇଥିବା ନିରଞ୍ଜନ ସାହୁ ଓରଫ୍ ନିରୁ(୩୮) ହତ୍ୟାକାଣ୍ଡ ଉପରୁ ପରଦା ହଟାଇଛି ପୁଲିସ। ଏହି ଘଟଣାରେ ପୁଲିସ ମୁଖ୍ୟ ଅଭିଯୁକ୍ତ ଜନିନ୍ଦାପାଳ ଗାଁର ସୁବଳ ମଲିକଙ୍କ ପୁଅ ସଂଗ୍ରାମ ମଲିକ ଓରଫ୍ ପାକୁଲୁ(୨୮) ଓ ତା’ର ସହଯୋଗୀ ଲସି ଦୋକାନୀ ଉତ୍ତମ ଡାଙ୍ଗୁଆ(୨୬)କୁ ଗିରଫ କରିଛି । ଯାଜପୁରରୋଡ଼ ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ଙ୍କ ଅଦାଲତରେ ଜାମିନ ନାମଞ୍ଜୁର ହୋଇଯିବାରୁ ବିଚାରାଧୀନ ବନ୍ଦୀ ଭାବେ ଦୁହିଁଙ୍କୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି। ତେବେ ହତ୍ୟାକାଣ୍ଡରେ ସଂପୃକ୍ତ ଅନ୍ୟ ଜଣେ ଫେରାର ଥିବାବେଳେ ତାକୁ ଗିରଫ ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଥିବା କଳିଙ୍ଗନଗର ଅତିରିକ୍ତ ଏସ୍ପି ରାଜକିଶୋର ଦୋରା ସୂଚନା ଦେଇଛନ୍ତି। ବ୍ୟବସାୟିକ ଶତ୍ରୁତା ଓ ଅପବାଦ ପାଇଁ ହିଂସ୍ର ହୋଇ ଉଠିଥିବା ମୁଖ୍ୟ ଅଭିଯୁକ୍ତ ସଂଗ୍ରାମ ଏଭଳି କାଣ୍ଡ ଭିଆଇଥିବା ପୁଲିସ ସ୍ପଷ୍ଟ କରିଛି।
କଳିଙ୍ଗନଗର ଥାନା ପରିସରରେ ଆଜି ଗଣମାଧ୍ୟମକୁ ବ୍ୟବସାୟୀ ନିରଂଜନ ସାହୁ(୩୮) ଓରଫ ନିରୁ ହତ୍ୟା ଘଟଣାର ସବିଶେଷ ବିବରଣୀ ଦେଇଥିଲେ ଏଏସ୍ପି ଶ୍ରୀ ଦୋରା। ନିରଂଜନ ନିଜର ୩ଟି ଡମ୍ଫର ଜରିଆରେ ବଳିପର୍ବତରୁ ଖଣିଜ ପରିବହନ କରୁଥିଲେ। ପରିବହନ ଏବଂ ତାଙ୍କ ଗାଡ଼ିରୁ ବ୍ୟାଟେରି ଚୋରି ଭଳି ଘଟଣାକୁ ନେଇ ଜନିନ୍ଦାପାଳର ସଂଗ୍ରାମ ଓରଫ ପାକୁଲୁ (୩୨)ସହ ବିବାଦ ରହିଥିଲା । ବିଭିନ୍ନ ଗାଡ଼ିରୁ ବ୍ୟାଟେରି ଲୁଟ୍ କରୁଥିବା ସଂଗ୍ରାମର କଳା କାରନାମା ସଂପର୍କରେ ନିରୁ ସୁରାକ୍ ପାଇଥିଲେ। ୨ ମାସ ତଳେ ନିରୁଙ୍କ ଗାଡ଼ିରୁ ଏକ ବ୍ୟାଟେରି ଲୁଟ୍ ହୋଇଥିଲା। ଏଥିପାଇଁ ସେ ପାକୁଲୁକୁ ଦାୟୀ କରି ଅନ୍ୟମାନଙ୍କ ପାଖରେ ପ୍ରକାଶ କରିଥିଲେ। ରାକେଟ୍ ଧରା ପଡ଼ିଯିବା ଜାଣି ସେ କ୍ଷୁବ୍ଧ ହୋଇଥିଲା। ନିରୁଙ୍କୁ ସବୁଦିନ ପାଇଁ ରାସ୍ତାରୁ ହଟାଇଦେବା ଯୋଜନା କରିଥିଲା। ଏଥିପାଇଁ ସଂଗ୍ରାମ ନିଜ ଦୋକାନ ଘର ପାଖରେ ଲସି ଦୋକାନ କରିଥିବା ଟମକା ଇଲାକାର ଉତ୍ତମ ଓ ଅନ୍ୟ ଜଣେ ଅପରାଧୀର ସହାୟତା ଲୋଡ଼ିଥିଲା।
ଗତ ଗୁରୁବାର ଦିନ ସଂଗ୍ରାମ ଏବଂ ଡ଼ଙ୍କାରୀସାହିର ବନମାଳୀ ଡ଼ାଙ୍ଗୁଆଙ୍କ ପୁଅ ଉତ୍ତମ (୨୮) ଯାଇ ନିରଂଜନଙ୍କୁ ଘରୁ ଡାକିଥିଲେ । ଘର ଠାରୁ କିଛି ବାଟ ଆସିବା ପରେ ନିରଂଜନଙ୍କୁ ବୁଲେଟ ମୋଟର ସାଇକଲରେ ବସାଇ ଜନିନ୍ଦାପାଳ ଠାରେ ଥିବା ସଂଗ୍ରାମର ଦୋକାନ ଘର ନିକଟରେ ପହଞ୍ଚିଥିଲେ । ସେଠାରେ ସଂଗ୍ରାମର ଅନ୍ୟଜଣେ ସହଯୋଗୀ ପହଞ୍ଚିଥିଲେ। ନିରଂଜନଙ୍କୁ ଜନିନ୍ଦାପାଳ ଘର ଛାତ ଉପରେ ମଦ ପିଆଇ ଠେଲି ଦେଇ ହତ୍ୟା କରିବା ପାଇଁ ଯୋଜନା ରଚିଥିଲେ । କିନ୍ତୁ ଏହା ସମ୍ଭବ ହୋଇପାରିନଥିଲା । ଏଠାରେ ନିରଂଜନ ସହ ସଂଗ୍ରାମର ପ୍ରବଳ ବଚସା ହୋଇଥିଲା । ନିରଂଜନ ଛାତରୁ ତଳକୁ ପଳାଇ ଆସିଥିଲେ। ଏହି ସମୟରେ ସଂଗ୍ରାମ ତାଙ୍କ ଭଡ଼ା ଦୋକାନ(ଦେବେନ୍ଦ୍ର ସାହୁ)ରୁ ଦୁଇଟି ଛୁରି ଆଣିଥିଲା। ଏହାପରେ ରାସ୍ତାକଡରେ ପୁଣି ଝଗଡ଼ା ହୋଇଥିଲା। ଅଭିଯୁକ୍ତ ଉତ୍ତମ ଏବଂ ଅନ୍ୟଜଣେ ସହଯୋଗୀ ନିରଂଜନଙ୍କ ଦୁଇ ହାତ ଧରି କାବୁ କରିବା ପରେ ସଂଗ୍ରାମ ତିନିଥର ବେକକୁ ଛୁରିରେ କାଟି ହତ୍ୟା କରିଥିଲା ବୋଲି ପୁଲିସ କହିଛି। ଏହାପରେ ତିନିଜଣ ମିଶି ନିରଂଜନଙ୍କୁ ରାସ୍ତାରୁ କିଛିଦୂର ପର୍ଯ୍ୟନ୍ତ ଘୋଷାରି ନେଇ ଫିଙ୍ଗି ଦେଇଥିଲା । ହାତରେ ଲାଗିଥିବା ରକ୍ତକୁ ସଂଗ୍ରାମ ଗାଡ଼ିରେ ଥିବା କପଡ଼ାରେ ପୋଛାପୋଛି କରି ଉକ୍ତ ସ୍ଥାନରେ ପକାଇ ଦେଇ ଘରକୁ ପଳାଇଯାଇଥିଲା । ପରେ ରକ୍ତ ଛିଟା ଲାଗିଥିବା ପ୍ୟାଣ୍ଟ-ସାର୍ଟକୁ କିରାସିନ ଢାଳି ପୋଡ଼ି ଦେବା ପରେ ପାଇଖାନାରେ ପକାଇ ପାଣି ଢାଳି ଦେଇଥିଲା ବୋଲି ପୁଲିସ ସୂଚନା ଦେଇଛି । ଏହାପରେ ସଂଗ୍ରାମ ରାତାରାତି ଭିଣୋଇଙ୍କ କାର୍ ଧରି ହରିଚନ୍ଦନପୁର ଆଡ଼କୁ ପଳାଇଥିଲା। ହତ୍ୟାକାଣ୍ଡର କିଛି ସମୟ ପରେ ଢାବା ମାଲିକ ମୁନା ମହାନ୍ତି ଉକ୍ତ ଦୋକାନ ଆଡ଼କୁ ସିଗାରେଟ୍ ପାଇଁ ଆସୁଥିବା ବେଳେ ରାସ୍ତା ଉପରେ ନିରୁଙ୍କ ରକ୍ତ ଜୁଡ଼ୁବୁଡ଼ୁ ଶରୀର ଦେଖି ହଡ଼ବଡ଼େଇ ଯାଇଥିଲେ। ଆଗକୁ ନବଢ଼ିବା ପାଇଁ ଉତ୍ତମ ତାଙ୍କୁ ବାରଣ କରିଥିଲା।
ନିରଂଜନ ହତ୍ୟା ଘଟଣା ଉପରେ ତଦନ୍ତ କରୁଥିବା ପୁଲିସକୁ କଟକ କ୍ରାଇମବ୍ରାଞ୍ଚ ସନ୍ଧାନୀ କୁକୁର ଏବଂ କେନ୍ଦ୍ରାପଡ଼ା ସାଇଣ୍ଟଫିକ୍ ଟିମ୍ ସହଯୋଗ କରିଥିଲେ। ତଦନ୍ତ ବେଳେ ସନ୍ଧାନୀ କୁକୁର ଘଟଣା ସ୍ଥଳରେ ପଡ଼ିଥିବା ଛୁରି ଓ ରକ୍ତ ଲଗା କପଡ଼ା ବାସ୍ନା ଜରିଆରେ ଅଭିଯୁକ୍ତ ସଂଗ୍ରାମର ଘରକୁ ଯାଇଥିଲା । ପୁଲିସ ତଦନ୍ତ ବେଳେ ସଂଗ୍ରାମ ଘରୁ ଗୋଟିଏ ବନ୍ଧୁକ, ଛୁରି, ଗୁଳି, ଏବଂ ୯ଟି ମୋବାଇଲ ଜବତ କରିଥିଲା । ତେବେ ଅଭିଯୁକ୍ତ ସଂଗ୍ରାମ ଯେଉଁ କପଡ଼ାରେ ହାତ ପୋଛିଥିଲା, ତାହା ତା ମା’ର ବୋଲି ଜଣାପଡ଼ିଥିଲା । ପୁଲିସ ସଂଗ୍ରାମର ମା’କୁ ପଚରା ଉଚରା ପରେ ଗାଡ଼ି ପୋଛିବାକୁ ତା ଲୁଗାରୁ ଖଣ୍ଡେ ଚିରି ନେଇଥିବାର କହିଥିଲେ । ଏହି ଘଟଣା ପରେ ଗାଡ଼ି ଧରି ଫେରାର ହୋଇଯାଇଥିବା ସଂଗ୍ରାମକୁ ଧରିବାକୁ ପୁଲିସ ତାର ପିଛା କରିଥିଲା । ଏସପି ଚରଣ ସିଂ ମୀନାଙ୍କ ନିର୍ଦ୍ଦେଶରେ ଏସଏସିପି ଶ୍ରୀ ଦୋରାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କଳିଙ୍ଗନଗର ଥାନା ଅଧିକାରୀ ରାଜେନ୍ଦ୍ର ନାରାୟଣ ପଟ୍ଟନାୟକ ଏବଂ ଟମକା ଥାନା ଅଧିକାରୀ ସଂଘମିତ୍ରା ନାୟକଙ୍କ ନେତୃତ୍ୱରେ ଦୁଇଟି ଟିମ୍ ଫେରାର ଅଭିଯୁକ୍ତଙ୍କୁ ଗିରଫ ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲେ । ସଂଗ୍ରାମକୁ ପ୍ରଥମେ ଗିରଫ କରିବା ପରେ ତାର ବୟାନ ଆଧାରରେ ସହଯୋଗୀ ଉତ୍ତମକୁ ମଧ୍ୟ ଗିରଫ କରିଥିଲା ପୁଲିସ । ମୃତ ନିରଂଜନଙ୍କ ପତ୍ନୀ ସୁଚିତ୍ରାଙ୍କ ଅଭିଯୋଗକୁ ଆଧାର କରି ପୁଲିସ ଥାନା କେସ ନଂ ୪୪/୧୯ରେ ୨ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରିଛି । ଖୁବଶୀଘ୍ର ଫେରାର ଅନ୍ୟ ଅଭିଯୁକ୍ତକୁ ଗିରଫ କରାଯିବ ବୋଲି ପୁଲିସ କହିଛି। ସାମ୍ବାଦିକ ସମ୍ମିଳନୀରେ ଥାନା ଅଧିକାରୀ ସଂଘମିତ୍ରା ନାୟକ ଓ କଳିଙ୍ଗନଗର ଥାନା ଅଧିକାରୀ ରାଜେନ୍ଦ୍ର ନାରାୟଣ ପଟ୍ଟନାୟକ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ ଯେ ଜନିନ୍ଦାପାଳ ସ୍ଥିତ ଶ୍ୱଶୁର ମାଧବ ସାହୁଙ୍କ ଘର ନିକଟରେ ସପରିବାର ରହି ଟିପ୍ପର ବ୍ୟବସାୟ କରୁଥିବା ନିରଂଜନ ଗୁରୁବାର ରାତି ପ୍ରାୟ ୯ଟା ବେଳେ ଘର ବାହାରକୁ ଯାଇ ଫେରିନଥିଲେ । ଏହା ପରଦିନ ସକାଳେ ତାଙ୍କ ରକ୍ତାକ୍ତ ଶବ ଘର ଠାରୁ ମାତ୍ର ୨ଶହ ମିଟର ଦୂର ରାସ୍ତା କଡ ଅଳିଆ ଗଦାରୁ ମିଳିଥିଲା।
ନିରୁ ହତ୍ୟାକାଣ୍ଡ ଉପରୁ ପରଦା ହଟାଇଲା ପୁଲିସ:ମୁଖ୍ୟ ଅଭିଯୁକ୍ତ ସମେତ ୨ ଗିରଫ, ଜଣେ ଫେରାର
/sambad/media/post_attachments/wp-content/uploads/2019/06/arrest-generic_.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)