ଆଜିଠାରୁ ଓଳାଶୁଣୀ ଗୁମ୍ଫାଯାତ୍ରା

ଚଣ୍ଡିଖୋଲ: ଆଜିଠାରୁ ଆରମ୍ଭ ହେଉଛି ଓଡ଼ିଶା ପ୍ରସିଦ୍ଧ ଓଳାଶୁଣୀ ଗୁମ୍ଫାଯାତ୍ରା। ଆଜି ପବିତ୍ର ଦଶମୀ ଦିବସ ସନ୍ଧ୍ୟାରେ ମହାପୁରୁଷଙ୍କ କେଶ ଯାତ୍ରା ଲଳିତଗିରି ଗ୍ରାମରୁ ଆରମ୍ଭ ହୋଇ ପାହାଡ଼ର ସମାଧି ମନ୍ଦିର ପରିକ୍ରମା କରାଯାଇଛି। ଗୁମ୍ଫା ପାହାଡ଼ ନିକଟବର୍ତ୍ତୀ ଲଳିତଗିରି ଗ୍ରାମର କଳ୍ପତରୁ ମହାରଣାଙ୍କ ଘରେ ମହାପୁରୁଷଙ୍କ କେଶ ପୂଜା ପାଇଆସୁଛି। ଏକ ଫରୁଆ ଭିତରେ ରଖା ଯାଇଥିବା ମହାପୁରୁଷଙ୍କ ଏକମାତ୍ର କେଶ ଧୀରେଧୀରେ ବୃଦ୍ଧି ପାଇ ବଡ଼ କେଶଗୁଛରେ ପରିଣତ ହୋଇଛି। କେଶକୁ ଏକ ସୁସଜ୍ଜିତ ବିମାନରେ ରଖାଯାଇ ସମାଧି ମନ୍ଦିର ପର୍ଯ୍ୟନ୍ତ ନିଆଯାଇଥିଲା। ଓଳାଶୁଣୀ ମଠ ମହନ୍ତ ଡ. ନାମାନନ୍ଦ ଦାସଙ୍କ ତତ୍ତ୍ୱାବଧାନରେ ଏହି ଶୋଭାଯାତ୍ରା ହୋଇଥିଲା। ସେହିପରି ଆଜି ସନ୍ଧ୍ୟାରୁ ପାହାଡ଼ର ଶୀର୍ଷସ୍ଥଳ ସମାଧି ମନ୍ଦିର ପରିସରରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଥିବା ଶତାଧିକ ଖଞ୍ଜଣି ଦଳ ପହଞ୍ଚି ଭଜନ ପରିବେଷଣ କରୁଛନ୍ତି। ଏହି କାର୍ଯ୍ୟକ୍ରମ ଆଜି ରାତିସାରା ଚାଲୁ ରହିବ।
ବଡ଼ଚଣା ବ୍ଲକ ପଲେଇ ପଞ୍ଚାୟତ ଓଳାଶୁଣୀ ଗୁମ୍ଫା ପାହାଡ଼ର ପଶ୍ଚିମ ପାର୍ଶ୍ଵ ମେଳା ପଡ଼ିଆ ସହିତ ପୂର୍ବପାର୍ଶ୍ଵ ଓ ଶୀର୍ଷ ସ୍ଥଳରେ ସହସ୍ରାଧିକ ବିଭିନ୍ନ କିସମର ଛୋଟ ବଡ଼ ଅସ୍ଥାୟୀ ଦୋକାନ ଖୋଲାଯାଇଛି। ୧୨ ଦିନ ଧରି ହେବାକୁ ଥିବା ଏହି ପ୍ରସିଦ୍ଧ ଯାତ୍ରାରେ ଲକ୍ଷାଧିକ ଲୋକଙ୍କ ସମାଗମ ହେବାକୁ ଥିବାରୁ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବାଲିଚନ୍ଦ୍ରପୁର ଥାନା ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।

ସମ୍ବନ୍ଧିତ ଖବର