କାଳିଆପାଣି: ଜର ପାଇଁ ଔଷଧ ଖାଇ ଅଗଣାରେ ବିଶ୍ରାମ ନେଉଥିବା ସମୟରେ ଝୁଣି ପକାଇଲା ବୁଲା କୁକୁର। କୁକୁର କାମୁଡ଼ାରେ ଘାଇଲା ହୋଇଛନ୍ତି ଯାଜପୁରଜିଲ୍ଲା ସୁକିନ୍ଦା ବ୍ଲକ କାଳିଆପାଣି ଥାନା ଚିଙ୍ଗୁଡ଼ିପାଳ ପଞ୍ଚାୟତ ବେଣାଗାଡ଼ିଆ ଗାଁର ଦଳିତ ବସ୍ତି ନାଏକ ସାହିର ସ୍ବର୍ଗତ ବୁଦ୍ଧିମନ୍ତ ନାଏକଙ୍କ ପତ୍ନୀ ବୃଦ୍ଧା ପାର୍ବତୀ ନାଏକ(୭୭)। ସେ ୩ ଦିନ ଧରି ଜରରେ ସେ କମ୍ପୁଥିଲେ।
ବେଦାନ୍ତ-ଫେକର କମ୍ପାନିରେ ଚାକିରି କରୁଥିବା ନାତୁଣୀ ପେଣ୍ଡୁ ନାଏକ ଆଜି ତାଙ୍କୁ ଔଷଧ ଖୁଆଇବା ପରେ ପାର୍ବତୀ ଘର ଅଗଣାରେ ବିଶ୍ରାମ ନେଉଥିଲେ। ଅପରାହ୍ଣରେ ଏକ କସରା ରଙ୍ଗର ଅଣ୍ଡିରା ବୁଲା କୁକୁର ହଠାତ୍ ତାଙ୍କ ଆଡ଼କୁ ମାଡ଼ି ଆସିଥିଲା। କେହି କିଛି ବୁଝିବା ପୂର୍ବରୁ କୁକୁର ତାଙ୍କ ଗୋଡ଼, ହାତ, ମୁହଁ ଓ ମୁଣ୍ଡକୁ ପୁଳାପୁଳା କରି କାମୁଡ଼ି ପକାଇଥିଲା। ବଡ଼ ପାଟି କରିବାକୁ ଯୁ’ ନଥିବା ପାର୍ବତୀ ପ୍ରତିରୋଧ କରିବା ଅବସ୍ଥାରେ ନଥିଲେ। ଅସ୍ପଷ୍ଟ ସ୍ବରରେ ପାରୁ ପର୍ଯ୍ୟନ୍ତ ଚିତ୍କାର କରିଥିଲେ। ପାଖ ପଡ଼ୋଶୀ କୁକୁରକୁ ଖେଦି ଦେଇଥିଲେ। ବସ୍ତିରୁ ମାତ୍ର ୨ ଶହ ମିଟର ଦୂରରେ ରହୁଥିବା ଓମ୍ବାଡ୍ସି ଆମ୍ବୁଲାନ୍ସ ମାସେ ପାଖାପାଖି ଅଚଳ ପଡ଼ିଥିବାରୁ ବୃଦ୍ଧାଙ୍କୁ ମେଡିକାଲ ନେବା ପାଇଁ ଆମ୍ବୁଲାନ୍ସ ଯୋଗାଡ଼ କରିବାକୁ ୨ ଘଣ୍ଟା ଲାଗି ଯାଇଥିଲା। ୨ ନାତି ଅଙ୍ଗୁଲୁ ନାଏକ ଓ କାଠିଆ ନାଏକ ବୃଦ୍ଧାଙ୍କୁ ବେଦାନ୍ତ-ଫେକର ଆମ୍ବୁଲାନ୍ସରେ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଆଣିଥିଲେ। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଥିବା ନାତି କାଠିଆ କହନ୍ତି। ଏହି ଦଳିତ ଅସହାୟ ବୃଦ୍ଧାଙ୍କୁ ମାଗଣା ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରନ୍ତି।