କାଳିଆପାଣି: ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ମିଳିଥିବା ବିଏସ୍କେୱାଇ ସ୍ମାର୍ଟ୍ କାର୍ଡ ତାଙ୍କ ଭାଡ଼ିରେ ଥିବା ବାକ୍ସ ଭିତରେ ରହିଛି। ଏଣେ ମାସମାସ ଧରି ରୋଗଶଯ୍ୟାରେ ପଡ଼ିରହିଛନ୍ତି କାର୍ଡଧାରୀ ସୁକିନ୍ଦା ବ୍ଲକ ଚିଙ୍ଗୁଡ଼ିପାଳ ପଞ୍ଚାୟତ ପାଟଣା ମୌଜା ୧୨ ନମ୍ବର ୱାର୍ଡ ବାସିନ୍ଦା ବୃଦ୍ଧ ଗିରିଧାରୀ ଦେହୁରୀ। ୪ ମାସ ହେଲା ସେ ଶଯ୍ୟାଶାୟୀ। ଉଠିବାକୁ ଅସମର୍ଥ। ବଡ଼ପୁଅ ଏମିତି ଅଜଣା ରୋଗରେ ପଡ଼ି ୧୦ ବର୍ଷ ତଳୁ ଆରପାରିକୁ ଚାଲିଗଲେ। ଦ୍ବିତୀୟ ପୁଅ ନରେନ୍ଦ୍ର ଘରେ ରହି ବୃଦ୍ଧ ବାପାମାଆଙ୍କ ସେବା ଶୁଶ୍ରୂଷା କରନ୍ତି। ଅନ୍ୟ ୨ ପୁଅ ହରେନ୍ଦ୍ର ଓ ଗଜେନ୍ଦ୍ର ଅଧାରୁ ପାଠ ଛାଡ଼ି ଏବେ ରାଜ୍ୟ ବାହାରେ ଦାଦନ ଖଟୁଛନ୍ତି। ରାସନ ଚାଉଳ ଓ ସ୍ବଳ୍ପ ରୋଜଗାରରେ କଷ୍ଟେମଷ୍ଟେ ଘର ଚଳୁଛି, କିନ୍ତୁ ପେଟ ପୂରୁନି ବୋଲି କହନ୍ତି ଗିରିଧାରୀଙ୍କ ପତ୍ନୀ ଚିତା।
ପାଟଣା ଗାଁ ପ୍ରଧାନ(ମୁଖିଆ) ଧନେଶ୍ବର ପ୍ରଧାନ କେନ୍ଦୁଝର ଜିଲ୍ଲା ବଳିଆଗୋଡ଼ା ଗାଁରୁ ସଂପର୍କୀୟ ଗିରିଧାରୀଙ୍କୁ ଆଣି ତାଙ୍କ ଘରେ ରଖାଇଥିଲେ। ପାଟଣା ଗାଁରେ ପ୍ରଧାନଙ୍କ ଦାନରେ ମିଳିଥିବା ଘରବାରି କିସମ ଜମିରେ ଘର କରି ରହନ୍ତି ଗିରିଧାରୀଙ୍କ ୬ ଜଣିଆ ପରିବାର। ରୋଗରେ ପଡ଼ିବା ଦିନରୁ ସେ ପାଖାପାଖି ବର୍ଷେ ଧରି ବାର୍ଦ୍ଧକ୍ୟ ଭତ୍ତା ପାଉନାହାନ୍ତି। ସେହିପରି ପତ୍ନୀ ଚିତାଙ୍କ ବୟସ ୬୭ ହୋଇଥିଲେ ମଧ୍ୟ ସେ ମଧୁବାବୁ ପେନସନ ଯୋଜନାରୁ ବଞ୍ଚିତ। ଅର୍ଥାଭାବରୁ ଗିରିଧାରୀ ଏଯାବତ୍ ଡାକ୍ତରଖାନା ବାରଣ୍ଡା ମାଡ଼ିନାହାନ୍ତି। ଏ ସଂପର୍କରେ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀକ୍ଷକ ଡାକ୍ତର ଜୟଦେବ ନନ୍ଦଙ୍କୁ ପଚାରିବାରେ ସେ ପରିସ୍ଥିତି ଅନୁଧ୍ୟାନ କରି ଯଥାଶୀଘ୍ର ପଦକ୍ଷେପ ନେବେ ବୋଲି କହିଛନ୍ତି।
ରୋଗଶଯ୍ୟାରେ ବୃଦ୍ଧ, ବାକ୍ସରେ ସ୍ବାସ୍ଥ୍ୟକାର୍ଡ
/sambad/media/post_attachments/wp-content/uploads/2023/08/14c7c1bc-99db-4903-9f99-59d567e5aa5b.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)