ମାଛଧରାକୁ କେନ୍ଦ୍ର କରି ଗୋଷ୍ଠୀସଂଘର୍ଷ : ବୃଦ୍ଧଙ୍କୁ ପିଟି ପିଟି ମାରିଦେଲେ

ଗାଁରେ ଉତ୍ତେଜନା ଜାରି, ଦୁଇ ପ୍ଲାଟୁନ୍‌ ପୁଲିସ ମୁତୟନ

ବିଂଝାରପୁର/ସିଂହପୁର : ବିଂଝାରପୁର ବ୍ଲକ୍‌ର ଆମ୍ବ ନଦୀର ଏକ ନାଳରୁ ମାଛ ଧରିବାକୁ କେନ୍ଦ୍ରକରି ସୃଷ୍ଟି ହୋଇଥିବା ବିବାଦ ଆଜି ଉଗ୍ର ରୂପ ଧାରଣ କରିଛି। ହଳଦୀଡିହ ପଞ୍ଚାୟତ ଅନ୍ତର୍ଗତ ଫଳପୁର ଗ୍ରାମର କେଶବ ମଳିକ(୬୦)ଙ୍କୁ ଅଣ୍ଢାଳୋ ଗ୍ରାମର କିଛି ଲୋକ ସଂଘବଦ୍ଧ ଆକ୍ରମଣ କରି ଗାଁ ରାସ୍ତାରେ ପିଟି ପିଟି ହତ୍ୟା କରିଛନ୍ତି। ଏହି ଘଟଣାକୁ କେନ୍ଦ୍ରକରି ଉଭୟ ଗ୍ରାମରେ ତୀବ୍ର ଉତ୍ତେଜନା ଲାଗି ରହିଛି। ଗ୍ରାମରେ ପୁଲିସ ଛାଉଣୀରେ ପରିଣତ ହୋଇଥିବା ବେଳେ ପୁରୁଷ ଶୂନ୍ୟ ହୋଇପଡ଼ିଛି। ଉଭୟ ଗ୍ରାମର ୧୯ଜଣଙ୍କୁ ପୁଲିସ ଧରି ନେଇ ଅଟକ ରଖିଛି।

ଖବର ଅନୁଯାୟୀ, ଆମ୍ବ ନଦୀର ଏକ ନାଳର ଉପର ମୁଣ୍ଡରେ ଅଣ୍ଢାଳୋ ଗ୍ରାମର କେତେକ ଲୋକ ବନ୍ଦ କରିଦେଉଥିବାରୁ ତଳ ମୁଣ୍ଡକୁ ପାଣି ଆସୁନାହିଁ। ଫଳରେ ଫଳପୁରବାସୀ ମାଛଧରାରୁ ବଞ୍ଚିତ ହେଉଛନ୍ତି। ଏହି ଘଟଣାକୁ ନେଇ ଉଭୟ ଗ୍ରାମ ମଧ୍ୟରେ ବିବାଦ ଲାଗି ରହିଥିଲା। ଗତକାଲି ଘଟଣାକୁ କେନ୍ଦ୍ରକରି ଉଭୟ ଗ୍ରାମ ମଧ୍ୟରେ ଗଣ୍ଡଗୋଳ ସୃଷ୍ଟି ହୋଇଥିଲା। ଏହାର ସମାଧାନ ପାଇଁ ଆଜିକୁ ଦିନ ଧାର୍ଯ୍ୟ କରାଯାଇଥିଲା। ବିଂଝାରପୁର ବିଧାୟିକାଙ୍କ ଉପସ୍ଥିତିରେ ଏହାର ଫଇସଲା ହେବାକୁ ଥିବା ବେଳେ ଆଜି ଘଟଣା ଉଗ୍ରରୂପ ନେଇଥିଲା।

ବିଂଝାରପୁର ବ୍ଲକ୍‌ର ଆମ୍ବ ନଦୀର ଏକ ନାଳରୁ ମାଛ ଧରିବାକୁ କେନ୍ଦ୍ରକରି ସୃଷ୍ଟି ହୋଇଥିବା ବିବାଦ ଆଜି ଉଗ୍ର ରୂପ ଧାରଣ କରିଛି। ହଳଦୀଡିହ ପଞ୍ଚାୟତ ଅନ୍ତର୍ଗତ ଫଳପୁର ଗ୍ରାମର କେଶବ ମଳିକ(୬୦)ଙ୍କୁ ଅଣ୍ଢାଳୋ ଗ୍ରାମର କିଛି ଲୋକ ସଂଘବଦ୍ଧ ଆକ୍ରମଣ କରି ଗାଁ ରାସ୍ତାରେ ପିଟି ପିଟି ହତ୍ୟା କରିଛନ୍ତି। ଏହି ଘଟଣାକୁ କେନ୍ଦ୍ରକରି ଉଭୟ ଗ୍ରାମରେ ତୀବ୍ର ଉତ୍ତେଜନା ଲାଗି ରହିଛି।ଉଭୟ ଗ୍ରାମର ୧୯ଜଣଙ୍କୁ ପୁଲିସ ଧରି ନେଇ ଅଟକ ରଖିଛି। 

ଗ୍ରାମର କେଶବ ଆଜି ସକାଳେ ଗୋବିନ୍ଦପୁର ଡାକ୍ତରଖାନାରେ ଆଖି ପରୀକ୍ଷା କରାଇ ଗାଁକୁ ଫେରୁଥିଲେ। ଫଳପୁର-ସିଂହପୁର ମୁଖ୍ୟ ରାସ୍ତା ଉପରେ ଅଣ୍ଢାଳୋ ଗ୍ରାମର କେତେକ ଲୋକ ସଂଘବଦ୍ଧ ହୋଇ କେଶବଙ୍କୁ ଆକ୍ରମଣ କରିଥିଲେ। ପିଟିପିଟି ତାଙ୍କୁ ଜଖମ କରିଦେଇଥିଲେ। ମୁମୂର୍ଷୁ ଅବସ୍ଥାରେ କେଶବଙ୍କୁ ଉଦ୍ଧାର କରି ବିଂଝାରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସଂକଟାପନ୍ନ ଅବସ୍ଥାରେ ତାଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଥିଲା। ମାତ୍ର ସେଠାରେ କେଶବଙ୍କର ମୃତ୍ୟୁ ହୋଇ ଯାଇଥିଲା। ମୃତ୍ୟୁ ଖବର ଗାଁରେ ପହଞ୍ଚିବା ପରେ ଗାଁରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। ଏମିତିକି ପରିସ୍ଥିତି ଅଣାୟତ୍ତ ହୋଇପଡ଼ିଥିଲା।

ଖବର ପାଇଁ ନିଜେ ପୁଲିସ ଏସ୍‌ପିି ଚରଣ ସିଂ ମୀନା, ଡ଼ିଏସପି ବାଉରୀବନ୍ଧୁ ବେହେରାଙ୍କ ସମେତ ବିଂଝାରପୁର ଥାନା ଅଧିକାରୀ ଅଜିତ ମହାନ୍ତି ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚିଥିଲେ। ଗାଁରେ ଦୁଇ ପ୍ଲାଟୁନ୍‌ ପୁଲିସ ମୁତୟନ କରାଯାଇଛି। ଅଣ୍ଢାଳୋ ଗ୍ରାମ ପୁରୁଷଶୂନ୍ୟ ହୋଇଯାଇଛି। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ସଶସ୍ତ୍ର ପୁଲିସ ବାହିନୀ ଗାଁରେ ପଇତରା ମାରୁଛି।

ବ୍ୟବଚ୍ଛେଦ ପରେ ସଂଧ୍ୟା ପ୍ରାୟ ସାଢ଼େ ୫ଟା ବେଳେ କେଶବଙ୍କ ମୃତ ଦେହ ଗାଁରେ ପହଞ୍ଚିଥିଲା। ଶବ ପହଞ୍ଚିବା ପରେ ଗାଁରେ ପ୍ରବଳ ଉତ୍ତେଜନା ଦେଖାଦେଇଥିଲା। ପୁଲିସ ଉପସ୍ଥିତିରେ ଗାଁ ଶ୍ମଶାନରେ କେଶବଙ୍କ ଶେଷକୃତ୍ୟ ସଂପନ୍ନ କରାଯାଇଛି। ପୁଲିସ ସତର୍କ ନଜର ରଖିଛି।

ପ୍ରକାଶ ଥାଉକି ଏହି ବିବାଦ ଆଜିକାଲିର ବିବାଦ ନୁହେଁ। ଦୀର୍ଘବର୍ଷରୁ ଉଭୟ ଗ୍ରାମ ମଧ୍ୟରେ ଏହି ବିବାଦ ଲାଗି ରହିଛି। ସମାଧାନ ପାଇଁ ବିଗତ ଦିନରେ ବାରମ୍ବାର ଆଲୋଚନା ହୋଇଥିଲା। ମାତ୍ର ଅଣ୍ଢାଳୋ ଗ୍ରାମର ଲୋକମାନେ ସମାଧାନ ନମାନି ଏହି ବିବାଦ ସୃଷ୍ଟି କରିଛନ୍ତି ବୋଲି ଗ୍ରାମବାସୀ ମତବ୍ୟକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର