କାଳିଆପାଣି: ଯାଜପୁର ଜିଲ୍ଲା ସୁକିନ୍ଦା କ୍ରୋମ୍‌ ଉପତ୍ୟକାର କାଳିଆପାଣି ଖଣି ଅଞ୍ଚଳରେ ଯକ୍ଷ୍ମା ଆଉ ଏକ ଜୀବନ ନେଇଛି। ରାଁସୋଳ ପଞ୍ଚାୟତ ୨ ନମ୍ବର ୱାର୍ଡ କଲରଙ୍ଗି କୁମାରଡ଼ି ଗାଁର ସାହେବ ଜାମୁଡ଼ା ଓରଫ୍‌ ରଂଜନ (୨୯) ଯକ୍ଷ୍ମା ରୋଗରେ ପ୍ରାଣ ହରାଇଛନ୍ତି। ଦିନ ମଜୁରିଆ ଗଣେଶ୍ବର ଜାମୁଡ଼ାଙ୍କ ବଡ଼ପୁଅ ରଂଜନ ରୋଗଗ୍ରସ୍ତ ହେବା ପରେ ଦୁର୍ବଳ ହୋଇପଡ଼ିଥିଲେ। ‘ପୁଅକୁ ଟିବି ହୋଇଥିଲା, ଔଷଧ ଖାଉଥିଲା। ଥରେ ଆମେ ତାକୁ ଭୁବନେଶ୍ବର ଡାକ୍ତରଖାନା ନେଇଥିଲୁ। ବଟିକା ଖାଇଲେ ଛାତି ଭିତର କୋରି ହୋଇଯାଉଛି କହି ପୁଅ ଔଷଧ ଖାଇବା ଛାଡ଼ି ଦେଇଥିଲା’ ବୋଲି କହନ୍ତି ବାପା ଗଣେଶ୍ବର। ଏହାପରେ ପରିବାର ଲୋକେ ପାରମ୍ପରିକ ପୂଜାପାଠ, ଗୁଣିଗାରେଡ଼ି ଓ ଝଡ଼ାଫୁଙ୍କା କରୁଥିଲେ। ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ତାଙ୍କ ଘରେ ପୂଜାପାଠ ଚାଲିଥିଲା। ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଥିଲା। ଏ ସଂପର୍କରେ ଗୁଣିଆକୁ ପଚାରିବାରେ ସେ ପହଞ୍ଚିବା ପୂର୍ବରୁ ରଂଜନ ମରିଯାଇଥିବା କହିଥିଲେ ବୋଲି ସଂପର୍କୀୟ ଭାଇ ପୂର୍ବତନ ୱାର୍ଡସଭ୍ୟ ଲାଲମୋହନ ମୁଣ୍ଡା କହନ୍ତି।

Advertisment

ଗଣେଶ୍ବରଙ୍କ ପରିବାର ଭୂମିହୀନ ଓ ଅତ୍ୟନ୍ତ ଗରିବ। ରାସନ ଚାଉଳ ଉପରେ ୮ ଜଣିଆ ପରିବାର ନିର୍ଭର କରି ଚଳୁଛନ୍ତି। ବେଙ୍ଗାଲୁରୁରେ ରହି ଦାଦନ ଖଟୁଛନ୍ତି ଦ୍ବିତୀୟ ପୁଅ ଚନ୍ଦନ। ସେହି ‌ସ୍ବଳ୍ପ ରୋଜଗାରରେ କଷ୍ଟେମଷ୍ଟେ ଘର ଚଳୁଥିବା କହନ୍ତି ଗଣେଶ୍ବର। ଏମିତି‌ରେ ରୋଗାକ୍ରାନ୍ତ ପୁଅ ପାଇଁ ପୁଷ୍ଟିଯୁକ୍ତ ଖାଦ୍ୟ କିମ୍ବା ପଥି ଆମେ କୋଉଠୁ ଯୋଗାଡ଼ କରିଥାନ୍ତୁ ବୋଲି ସେ ଓଲଟା ପ୍ରଶ୍ନ କରନ୍ତି। ରଂଜନ ମୃତ୍ୟୁର ୫ ଦିନ ପୂର୍ବରୁ ଗତ ୨୬ ତାରିଖ କଅଁସ ପଞ୍ଚାୟତ ଜାରଗିସାହିର ମହାନ୍ତି ସିଧୁ (୪୮) ଯକ୍ଷ୍ମାରେ ପ୍ରାଣ ହରାଇଥିଲେ। ମହାନ୍ତି ସେଦିନ କଲରଙ୍ଗିଅତ୍ତା ଏକତା ନିକେତନ ଯକ୍ଷ୍ମାକେନ୍ଦ୍ରକୁ ଆସିଥିଲେ। ସେଠାରୁ ତାଙ୍କୁ ଓମ୍ବାଡ୍ସି ଆମ୍ବୁଲାନ୍ସରେ ସୁକିନ୍ଦା ଡାକ୍ତରଖାନା ପଠାଯାଇଥିଲା। ସେଠାରେ ସେ ଟଳି ପଡ଼ିଥିଲେ। ଗତ ୧୯ ତାରିଖରେ କାଳିଆପାଣି ଗୁରୁଜଙ୍ଗ ଗାଁ ଉପରସାହିର ଯକ୍ଷ୍ମାରୋଗୀ ଶଙ୍କର ମୁଣ୍ଡା(୩୨)ଙ୍କର କଳିଙ୍ଗନଗର ଟାଟାଷ୍ଟିଲ ମେଡିକା ହସ୍‌ପିଟାଲ ଓ ଏହାର ପୂର୍ବଦିନ କାଳିଆପାଣି ହନୁମାନ ବଜାର ହଟିଂର ନିରାଶ ମହାକୁଡ଼(୩୨)ଙ୍କର ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ମୃତ୍ୟୁ ହୋଇଥିଲା।

ମାତ୍ର ୧୨ଦିନ ମଧ୍ୟରେ ଯକ୍ଷ୍ମାରୋଗ ପାଇଁ ‌୪ଟି ମୂଲ୍ୟବାନ ଜୀବନ ଅକାଳରେ ଝଡ଼ି ପଡ଼ିଛି। ଧାରାବାହିକ ଯକ୍ଷ୍ମା ମୃତ୍ୟୁ ସଂପର୍କରେ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀକ୍ଷକ ଡାକ୍ତର ଜୟଦେବ ନନ୍ଦଙ୍କୁ ପଚାରିବାରେ ଖଣିଅଞ୍ଚଳରେ ଯକ୍ଷ୍ମା ସଚେତନତାର ଅଭାବକୁ ଦାୟୀ କରନ୍ତି। ଅଧିକାଂଶ ଆକ୍ରାନ୍ତ ମଦ ହାଣ୍ଡିଆ ନିଶା କବଳିତ ଥିବାରୁ ରୋଗମୁକ୍ତ ହେବାରେ ସମସ୍ୟା ରହୁଥିବା କହନ୍ତି। ସେହିପରି ସ୍ଥାନୀୟ ପରିବେଶ ଓ ବାୟୁମଣ୍ଡଳରେ ଯକ୍ଷ୍ମା ଭୂତାଣୁ ଭରି ରହିଥିବାରୁ ରୋଗ ପ୍ରତିଷେଧ ଶକ୍ତି କମ୍‌ ଥିବା ବ୍ୟକ୍ତିଙ୍କଠାରେ ଏହି ରୋଗ ବ୍ୟାପିବାର ଆଶଙ୍କା ବେଶି ବୋଲି ଡାକ୍ତର ନନ୍ଦ କହିଛନ୍ତି।