କାଳିଆପାଣି: ଖଣି ଅଞ୍ଚଳରେ ପୁଣି ମୁଣ୍ଡ ନେଇଛି କିଡ୍‌ନି ରୋଗ। ଆଜି ନଗଡ଼ାର ସାଗା ପ୍ରଧାନ(୩୦)ଙ୍କର କଟକ ବଡ଼ ଡାକ୍ତରଖାନାରେ ମୃତ୍ୟୁ ହୋଇଛି। କଟକରୁ ଶବ ଆଣିବା ପାଇଁ ପତ୍ନୀ ସୁଲ ହିନସ୍ତା ହେଉଥିବା ଅଭିଯୋଗ ହୋଇଛି। ବଡ଼ଭାଇର ମୃତ୍ୟୁ ଖବରପାଇ ଦୁଃଖରେ ଭାଙ୍ଗି ପଡ଼ିଥିବା ଖୁଣ୍ଟିଆ ପ୍ରଧାନ ସହାୟତା ଲୋଡ଼ି ବୁଲୁଛନ୍ତି। ଖଣିରେ ଠିକା ବୋଝେଇ ଶ୍ରମିକ ଭାବେ କାମ କରୁଥିବା ସାଗା ରୋଗ ଦାଉରୁ ୭ ରୁ ୮ ମାସ ଧରି କାମକୁ ଯାଇପାରୁନଥିଲେ। ୪ ସନ୍ତାନ ମୁନି(୬), ସମ୍ବାରି(୪), ଗଣେଶ (୩) ଓ ବର୍ଷା(୧)ଙ୍କୁ ନେଇ ସୁଲ ଏବେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି।

Advertisment

ଗତ ୨୧ ତାରିଖରେ ବାମ୍ବିଲୋ ଗାଁର ଲକ୍ଷ୍ମୀପ୍ରିୟା ନାୟକଙ୍କ ମୃତ୍ୟୁ କିଡ୍‌ନି ରୋଗ ଜନିତ ବୋଲି ତାଙ୍କ ପୁଅ ଶିକ୍ଷକ ବିବେକାନନ୍ଦ ନାୟକ ସୂଚନା ଦେଇଥିଲେ। ଗତ ୧୭ ତାରିଖରେ ଏହି ରୋଗର ଶିକାର ହୋଇଥିଲେ କଅଁସ ପଞ୍ଚାୟତ ଓସ୍ତପାଳ ଗାଁର ଭଜୁରାମ ଦେହୁରୀ(୩୨)। ଚିକିତ୍ସା ଅଭାବରୁ ତାଙ୍କର ମୃତ୍ୟୁ ହୋଇଥିଲା। ସେ ‌ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ୍‌ କରଡ଼ାପାଳ ଗାଁର ଜଣେ କ୍ବାକ୍‌ ପାଖରେ ଚିକିତ୍ସିତ ହେଉଥିଲେ। ଗତ ୯ ତାରିଖରେ ଓଏମ୍‌ସି ସୁକ୍ରଙ୍ଗି କ୍ରୋମାଇଟ୍‌ ଖଣି କର୍ମଚାରୀ ସୁନିଲ କୁମାର ସାହୁ(୪୨)ଙ୍କ ମଧ୍ୟ ଏହି ରୋଗରେ ମୃତ୍ୟୁ ହୋଇଥିଲା। ଗତ ୬ ତାରିଖରେ କାଳିଆପାଣି ଘାଗିଆସାହିରେ ମଙ୍ଗଲ ମାରାଣ୍ଡି(୫୧) ଓ ଲକ୍ଷ୍ମଣ ମାରାଣ୍ଡି(୬୩)ଙ୍କର କିଡ୍‌ନି ରୋଗରେ ମୃତ୍ୟୁ ହୋଇଥିଲା। ଗତ ୩ ତାରିଖରେ ସାରୁଆବିଲ ଗାଁର ପୁରସ୍ତମ ‌ପ୍ରଧାନଙ୍କ ପୁଅ ଚକ୍ରଧର(୨୫) ଓ ଗୋବିନ୍ଦ ଦେହୁରୀ(୬୧)ଙ୍କ ମୃତ୍ୟୁ ହୋଇଥିଲା। ସେହିପରି ଗତ ନଭେମ୍ବର ୧୦ ତାରିଖରେ ସେହି ଘାଗିଆସାହିର ଯୁବ ସଂଗଠକ ଗୁରୁଚରଣ ମାରାଣ୍ଡି(୪୪)ଙ୍କର ମୃତ୍ୟୁ ହୋଇଥିଲା। ଗତ ସେପ୍ଟେମର ୧୮ ତାରିଖରେ ଅବସରପ୍ରାପ୍ତ ଖଣି ଶ୍ରମିକ ଭକ୍ତୁ ମହାନ୍ତଙ୍କର ମୃତ୍ୟୁ ହୋଇଥିଲା। ଖଣିଅଞ୍ଚଳରେ ମାସକରେ ୮ ଜଣ ଓ ସାଢ଼େ ୩ ମାସରେ ୧୦ ମୁଣ୍ଡ ଗଡ଼ିବାକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଛି। ‌ଗତବର୍ଷ କିଡ୍‌ନି ରୋଗରେ ଅନ୍ୟ ୭ ଜଣ ଖଣି ଶ୍ରମିକଙ୍କ ଜୀବନ ଯାଇଥିଲା।

ମୃତକମାନେ ହେଲେ ସାରୁଆବିଲର ଅଜୟ ବାନରା(୩୬), ବିର୍ସାନଗର ବସ୍ତିର ଗୋବିନ୍ଦ ଜେରାଇ(୪୪), ଅଜୟଙ୍କ ସହକର୍ମୀ ଖଣି ସୁପରଭାଇଜର ବରୁଣ ମହାନ୍ତ(୫୧), ଗୁରୁଜଙ୍ଗ ଓ କାଳିଆପାଣିର ୨ ଖଣି କର୍ମଚାରୀ ଶ୍ୟାମସୁନ୍ଦର ମୁଣ୍ଡା(୫୯) ଓ ମୋଚିରାମ ଦେହୁରୀ(୫୦), ଓଏମ୍‌ସି ଓ ବାଲେଶ୍ବର ଆଲଏଜ୍ ଖଣି କର୍ମଚାରୀ ବନମାଳୀ ଆଇଚ(୪୮) ଓ ନିହାର ରଞ୍ଜନ ମହାନ୍ତ(୪୫)। ଏସମ୍ପର୍କରେ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀକ୍ଷକ ଡାକ୍ତର ଜୟଦେବ ନନ୍ଦଙ୍କୁ ପଚାରିବାରେ ପରିସ୍ଥିତି ଅନୁଧ୍ୟାନ କରି ପଦକ୍ଷେପ ନେବେ ବୋଲି କହନ୍ତି।