ଆଜି ବି ଯାଜପୁରରେ ମୋବାଇଲ ଅପହଞ୍ଚ! ଅନଲାଇନ ଶିକ୍ଷାରୁ ବଞ୍ଚିତ ୭୦ ପ୍ରତିଶତ ଛାତ୍ରଛାତ୍ରୀ

ଯାଜପୁର: ଯାଜପୁର ପରି ବିକଶିତ ଓ ବିକାଶ ଧାରା ସହ ଯୋଡ଼ି ହୋଇଥିବା ଜିଲ୍ଲାରେ  ମୋବାଇଲ ସେବା ଅପହଞ୍ଚ। ଆଜିର ସମୟରେ ସମସ୍ତଙ୍କ ହାତରେ ମୋବାଇଲ ରହିଥିବା ବେଳେ ଜିଲ୍ଲାରେ ଅନଲାଇନ ଶିକ୍ଷାଦାନ ବହୁ ପଛରେ ପଡ଼ିଛି, ଯାହାକି ଶୁଣିଲେ ବି ଆଶ୍ଚର୍ଯ୍ୟ ଲାଗୁଛି। କାରଣ ମାତ୍ର ୩୦ ପ୍ରତିଶତ ପିଲାଙ୍କ ପାଖରେ ୟୁଟ୍ୟୁବ୍ ଅନଲାଇନ ଶିକ୍ଷାଦାନ ପହଞ୍ଚି ପାରିଥିବା ଜଣାଯାଇଛି।
ସୂଚନା ଅନୁସାରେ କରୋନାର  ଦ୍ବିତୀୟ ଲହର ଯୋଗୁ ୨୦୨୧-୨୨ ଶିକ୍ଷାବର୍ଷର ପାଠପଢ଼ା ବାଧା ପ୍ରାପ୍ତ ହୋଇଛି। ଶିକ୍ଷା ବର୍ଷର ୩ ମାସ ଗଡ଼ି ଯାଇଥିବା ବେଳେ ଜୁନ ୨୧ ତାରିଖ ଠାରୁ ୟୁଟୁବ୍ ଜରିଆରେ ଶିକ୍ଷାଦାନ କାର୍ଯ୍ୟକ୍ରମ  ଆରମ୍ଭ କରାଯାଇଛି। ସକାଳ ୯ଟାରୁ ସାଢ଼େ ୧୦ ଟା ଯାଏ ପ୍ରାଥମିକ ଓ ୧୦.୪୫ରୁ ୧ ଟା ଯାଏଁ ହାଇସ୍କୁଲର ଶିକ୍ଷାଦାନ କରାଯାଉଛି। ଏବେ ‌ଏନେଇ ବ୍ଲକ ଶିକ୍ଷାଧିକାରୀ ଓ ସିଆରସିସିଙ୍କ ଜରିଆରେ ପ୍ରତ୍ୟେକ ସ୍କୁଲ ଓ ଛାତ୍ରଛାତ୍ରୀମାନଙ୍କୁ ଲିଙ୍କ୍ ପଠାଯାଉଛି। ଯାହା ସାହାଯ୍ୟରେ ଦୈନିକ ପାଠପଢ଼ା ହୋଇପାରିବ। ତେବେ ଯାଜପୁର ଜିଲ୍ଲାରେ ପ୍ରଥମରୁ ଦଶମ ଶ୍ରେଣୀ ଯାଏଁ ପ୍ରାୟ ୩ଲକ୍ଷ ୨ହଜାରରୁ ଉର୍ଦ୍ଧ ଛାତ୍ରଛାତ୍ରୀ ରହିଛନ୍ତି। କିନ୍ତୁ ସେଥିରୁ ୭୦ ପ୍ରତିଶତ ଛାତ୍ରଛାତ୍ରୀ ଅନଲାଇନ ଶିକ୍ଷାରୁ ବଞ୍ଚିତ ରହିଛନ୍ତି।  ମାତ୍ର ୩୦ ପ୍ରତିଶତ ଅର୍ଥାତ ୯୦ ହଜାର ପାଖାପାଖି ଏହି ସୁବିଧା ସହ ଯୋଡ଼ି ହୋଇପାରିଛନ୍ତି। ମୋବାଇଲ ଓ ମୋବାଇଲ  ନେଟୱାର୍କର ସମସ୍ୟା  ଏବଂ ଅନେକ ସ୍ଥାନରେ ଆଦିବାସୀ ଓ ହରିଜନ ପିଲାଙ୍କ ସଂଖ୍ୟା ଅଧିକା ରହୁଥିବାରୁ ୟୁଟୁବ୍ ପାଠପଢ଼ା ପ୍ରତିଶତ କମ୍ ରହିଥିବା ଶିକ୍ଷା ବିଭାଗ ପକ୍ଷରୁ ଜଣାଯାଇଛି।

ତେବେ ଗତ ୩୦ ତାରିଖ ସୁଦ୍ଧା ବଡ଼ଚଣାରେ ୨୭ ପ୍ରତିଶତ, ବରୀରେ ୪୦,ବିଂଝାରପୁରରେ ୪୮,ଦାନଗଦିରେ ୧୮, ଦଶରଥପୁରରେ ୩୧, ଧର୍ମଶାଳାରେ ୫୧, ଯାଜପୁରରେ ୨୬,କୋରେଇରେ ୨୭,ରସୁଲପୁରରେ ୧୫ ଓ ସୁକିନ୍ଦାରେ ୨୦ ପ୍ରତିଶତ  ଛାତ୍ରଛାତ୍ରୀ ଅନଲାଇନ ଶିକ୍ଷାଦାନରେ ଯୋଡ଼ି ହୋଇଛନ୍ତି। ଏହାକୁ କିପରି ବଢ଼ା ଯାଇପାରିବ ସେ ନେଇ ଉଦ୍ୟମ କରାଯାଉଛି।  ଗୋଟିଏ ମୋବାଇଲକୁ ରଖି ଏକାଧିକ ପିଲାଙ୍କୁ ଯୋଡ଼ିବାକୁ ଉଦ୍ୟମ କରାଯାଉଥିବା ବେଳେ କିପରି ପିଲାମାନେ ଲନଲାଇନ ଶିକ୍ଷାଦାନରେ ଯୋଡ଼ିହେବେ ସେ ନେଇ ଉଦ୍ୟମ କରାଯାଉଥିବା ଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର