ଦାନଗଦୀ : କଳିଙ୍ଗନଗର ଶିଳ୍ପାଞ୍ଚ‌ଳର ଦାନଗଦୀ ନିକଟ ମାନପୁର ଓଭରବ୍ରିଜ୍‌ ଏବେ ବିପଦରେ। ପ୍ରତି ଘଣ୍ଟାରେ ହଜାରହଜାର ଭାରୀଯାନର ଚାପ ଫଳରେ ଏହି ବ୍ରିଜ୍‌ର ସ୍ଥିତି ଦୋହଲିଯାଉଛି। ଓଭରବ୍ରିଜ୍‌ର ଲୁହା ଆଙ୍କଲ ଓ ଲୁହା ଛଡ଼ ଏକପ୍ରକାର ବାହାରକୁ ଆସିଗଲାଣି। ଫଳରେ ଏହି ବ୍ରିଜ୍‌ ଉପରେ ଯାତାୟାତ ବିପଦସଂକୁଳ ହୋଇପଡ଼ିଛି। ଗତ ପାଞ୍ଚବର୍ଷ ତଳେ ଉଦ୍‌ଘାଟିତ ଏହି ଓଭରବ୍ରିଜ୍‌ କଳିଙ୍ଗନଗର ଶିଳ୍ପାଞ୍ଚଳର ଜୀବନରେଖା। ଶିଳ୍ପାଞ୍ଚଳର ଟାଟା, ଜିନ୍ଦଲ, ନୀଳାଚଳ ଭଳି ବୃହତ୍‌ ଶିଳ୍ପସଂସ୍ଥା ପାଇଁ ମାଲ୍‌ ପରିବହନ କରିବାକୁ ଏହି ରାସ୍ତା ଓ ଓଭରବ୍ରିଜ୍‌ ଏକମାତ୍ର ଭରସା। ବଡ଼ ଭାରୀଯାନ ଓ ଶହଶହ କମ୍ପାନି ବସ୍‌, କାର୍ ସମେତ ହଜାରହଜାର ବାଇକ୍ ଚଳାଚଳ ଯୋଗୁଁ ଏହି ଓଭରବ୍ରିଜ୍‌ ଉପରେ ଏକପ୍ରକାର ବେହାଲ ସ୍ଥିତି। ଏହାକୁ ଦୃଷ୍ଟିରେ ରଖି ଯାଜପୁରରୋଡ ପୁଲିସ ପକ୍ଷରୁ ସକାଳୁ ଦୁଇଘଣ୍ଟା ଓ ସଂଧ୍ୟାରେ ଦୁଇଘଣ୍ଟା ପର୍ଯ୍ୟନ୍ତ ଏହି ଓଭରବ୍ରିଜ୍‌ ଉପରେ ଭାରୀଯାନ ଚଳାଚଳ ନିଷେଧ କରାଯାଇଛି। ଏହାଦ୍ବାରା ଓଭରବ୍ରିଜ୍‌ ଉପରେ କିଛିମାତ୍ରାରେ ଚାପ କମୁଥିଲେ ମଧ୍ୟ ଟ୍ରାଫିକ ସମସ୍ୟା ଲୋକଙ୍କୁ ହନ୍ତସନ୍ତ କରୁଛି। ପର୍ଯ୍ୟାପ୍ତ ପାର୍କିଂୟାର୍ଡ ଅଭାବରୁ ବଡ଼ବଡ଼ ଟ୍ରକ୍‌ ସବୁ ରାସ୍ତା ଉପରେ ଠିଆ ହୋଇରହୁଛନ୍ତି।

Advertisment

ଅନ୍ୟପକ୍ଷରେ ଦାନଗଦୀ ମିଲିଟାରୀ ଛକରୁ ଡୁବୁରୀ ପର୍ଯ୍ୟନ୍ତ ଛଅ ଟିକିଆ ରାସ୍ତାକାମ ଅଧପନ୍ତରିଆ ହୋଇ ପଡ଼ିରହିଛି। ପୂର୍ତ୍ତ ବିଭାଗ ଦାନଗଦୀ ଛକରେ ଥିବା ଜମି ମାଲିକମାନଙ୍କୁ ଆଜି ପର୍ଯ୍ୟନ୍ତ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରିପାରିନାହିଁ। ସୂଚନା ମୁତାବକ, ୨୦୦୬-୦୭ ମସିହାରେ ମାନପୁରଠାରେ ପ୍ରଥମ ଓଭରବ୍ରିଜ୍‌ କାମ ଆରମ୍ଭ ହୋଇଥିଲା। ଭି. ବାବୁରାଓ ଠିକାସଂସ୍ଥା ଏହାର କାମ ନେଇଥିଲା। ଅଧପନ୍ତରିଆ ଭାବେ କାମ ପଡ଼ିରହିଥିବା ବେଳେ ବିରଜା କନଷ୍ଟ୍ରକସନ୍‌ ୨୦୧୮ ମସିହାରେ ଏହାର ନିର୍ମାଣ ସମ୍ପୂର୍ଣ୍ଣ କରିଥିଲା। ୫ ବର୍ଷରେ ଏ‌ହା ବିପଦସଂକୁଳ ହୋଇପଡ଼ିଛି। ଏବେ ୩୯କୋଟି ଟଙ୍କା ବ୍ୟୟରେ ଦ୍ବିତୀୟ ବ୍ରିଜ୍‌ କାମ ଆରମ୍ଭ ହୋଇଛି। ହେଲେ ଅତି ମନ୍ଥର ଗତିରେ କାମ ଚାଲିଥିବାରୁ ଏହାର ସମ୍ପୂର୍ଣ୍ଣ ହେବାକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି। ଏହାର ନିର୍ମାଣ ଦାୟିତ୍ବ ଆଶୀର୍ବାଦ କନଷ୍ଟ୍ରକସନକୁ ଦିଆଯାଇଛି। ଏଥିରେ ମୋଟ ୩୬ଟି ସ୍ପାନ ନିର୍ମାଣ ହେବାକୁ ଥିବାବେଳେ ତାହା ହେବେ ଅଧପନ୍ତରିଆ ଅବସ୍ଥାରେ ପଡ଼ିରହିଛି। ପୂର୍ତ୍ତ ବିଭାଗର ଉଦାସୀନତାରୁ କଳିଙ୍ଗନଗରବାସୀ ଦୁର୍ଦ୍ଦଶା ଭୋଗୁଛନ୍ତି। ମାନପୁର ରେଲଓ୍ବେ ସାଇଡିଂରୁ ପ୍ରତିଦିନ ଶହଶହ ହାଇୱା ଓ ଟ୍ରକ୍‌ ଯୋଗେ ଏହି ଓଭରବ୍ରିଜ୍‌ ଉପରେ ମାଲ୍ ପରିବହନ ହେଉଛି। ସେହିପରି ଓଭରବ୍ରିଜ୍‌ ଆରମ୍ଭସ୍ଥଳରେ ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି। ଏହାର ମରାମତି ଓ ଉନ୍ନତୀକରଣ ପାଇଁ କାର୍ଯ୍ୟାଦେଶ ପାଇଥିବା ଠିକାଦାର କାମ ଆରମ୍ଭ କରିନାହାନ୍ତି। ଜିଲ୍ଲା ଖଣିଜ ନ୍ୟାସ ପାଣ୍ଠିରୁ ବିଭିନ୍ନ କାମ ପାଇଁ ବିପୁଳ ଅର୍ଥ ବ୍ୟୟ କରାଯାଉଥିଲେ ମଧ୍ୟ ଶିଳ୍ପାଞ୍ଚ‌ଳର ଭିତ୍ତିଭୂମି ସଜାଡ଼ିବାକୁ ଗୁରୁତ୍ବ ଦିଆଯାଉନାହିଁ। ଫଳରେ ଲକ୍ଷଲକ୍ଷ ଲୋକଙ୍କ ଜୀବନ ଜୀବିକାର କେନ୍ଦ୍ରସ୍ଥଳ ପାଲଟିଥିବା କଳିଙ୍ଗନଗର ଶିଳ୍ପାଞ୍ଚଳରେ ଟ୍ରାଫିକ୍‌ ସମସ୍ୟା ଗୁରୁତର ହୋଇପଡ଼ୁଛି। ମାନପୁର ଦ୍ବିତୀୟ ଓଭରବ୍ରିଜ୍‌ କାମ ତୁରନ୍ତ ସଂପୂର୍ଣ୍ଣ କରିବାକୁ ଶିଳ୍ପାଞ୍ଚଳବାସୀ ଦାବି କରିଛନ୍ତି।