ବାଳୁଙ୍ଗା ହେଲା ସରକାରୀ ବିହନ: ବ୍ୟାପୁଛି କେଣ୍ତା ମହିଷା ଓ ମାଟିଆଗୁଣ୍ତି ପୋକ

କୋରେଇ : ବାତ୍ୟା ‘ତିତ୍‌ଲି’ ପ୍ରଭାବରେ କୋରେଇ ବ୍ଲକ୍‌ରେ ଲଗାଣ ବର୍ଷା ହୋଇଥିଲା। ଏହି ବର୍ଷାରେ ବ୍ଲକ୍‌ର ହଜାରହଜାର ହେକ୍ଟର ଜମିରେ ଧାନ ଫସଲ ନଷ୍ଟ ହୋଇଥିଲା। ଏବେ ବର୍ଷା ଜଳ ନିଷ୍କାସନ ପରେ ରୋଗପୋକ ବ୍ୟାପିବାରେ ଲାଗିଛି। ତିନିତିନି ଥର ଲଗାଣ ବର୍ଷା ପରେ ଏବେ ସରକାରୀ ବିହନ ବାଳୁଙ୍ଗା ହେବା ସହ କେଣ୍ତାମହିଷା, ଗନ୍ଧିପୋକ ଓ ମାଟିଆଗୁଣ୍ତି ପୋକ ଚାଷୀଙ୍କ କ୍ଷେତ ଉଜାଡ଼ୁଛି। ବ୍ଲକ୍‌ ଅନ୍ତର୍ଗତ ଧନେଶ୍ବର ପଞ୍ଚାୟତ ଚିଲିପଦା ଗ୍ରାମର ପ୍ରଶାନ୍ତ କୁମାର ରାଉତ, କାର୍ତିକ ଚନ୍ଦ୍ର ସ୍ବାଇଁ, ଜହ୍ନା ପଞ୍ଚାୟତ ଛୋଟରାୟପୁର ଗ୍ରାମର ଠାକୁର ହେମ୍ରମ୍‌, ନବଘନ ଖୁଣ୍ଟିଆ, କେଶବ ଚନ୍ଦ୍ର ମଙ୍ଗରାଜ ପ୍ରମୁଖ ଚାଷୀଙ୍କ ସମେତ ପାଣିକୋଇଲି, ବଡ଼ବିରୁହାଁ, ଗୋଳେଇପୁର, ତଣ୍ତରା ଆଦି ପଞ୍ଚାୟତରେ ଚାଷୀଙ୍କ ବିଲରେ ସରକାରୀ ବିହନରୁ ଧାନ ବଦଳରେ ବାଳୁଙ୍ଗା ବାହାରୁଥିବା ଦେଖିବାକୁ ମିଳିଛି। ଏହା ସହିତ ବହୁ ଚାଷୀଙ୍କ ଧାନ ବିଲରେ ଗନ୍ଧିପୋକ, ମାଟିଆଗୁଣ୍ତି ପୋକ, କେଣ୍ତାମହିଷା ଆଦି ରୋଗପୋକ ବ୍ୟାପିଥିବା ବେଳେ ଏନେଇ କୃଷି ବିଭାଗକୁ ଅବଗତ କରାଯାଇଛି।

ହେଲେ ବିଭାଗ ପକ୍ଷରୁ ଏହାର ପ୍ରତିକାର ପାଇଁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନଥିବା ବେଳେ ପୋକ ପାଇଁ ଔଷଧ ମଧୢ ମିଳୁନାହିଁ। ଚଳିତ ବର୍ଷ କୋରେଇ ବ୍ଲକ୍‌ରେ ୧୮ ହଜାର ୭ଶହ ହେକ୍ଟର ଜମିରେ ଧାନ ଚାଷ ହୋଇଛି। ଲଗାଣ ବର୍ଷାରେ ପାଖାପାଖି ୮ ରୁ ୧୦ ହଜାର ହେକ୍ଟର ଫସଲ ପ୍ରଭାବିତ ହୋଇଥିବା ବେଳେ ବିଲରୁ ପାଣି ଛାଡ଼ିବା ପରେ ପୁଣି ରୋଗପୋକଙ୍କ ଦାଉ ଆରମ୍ଭ ହୋଇଯାଇଛି। ରୋଗପୋକ ଧାନଗଛର ମୂଳରେ ଲାଗି ରହିବା ସହ ପତ୍ର ହଳଦିଆ ପଡ଼ିଯାଉଛି। ଚାଷୀମାନେ ବ୍ଲକ୍‌ କୃଷି ଅଧିକାରୀଙ୍କ ନିକଟରେ ଏନେଇ ଅଭିଯୋଗ କରିଛନ୍ତି। ବ୍ଲକ୍‌ ସହକାରୀ କୃଷି ଅଧିକାରୀ ଶରତ ଚନ୍ଦ୍ର ନାୟକଙ୍କୁ ଏ ସମ୍ପର୍କରେ ପଚାରିବାରୁ ବହୁଦିନ ଧରି କ୍ଷେତରେ ପାଣି ଜମିରହିଲେ କିମ୍ବା ଯବକ୍ଷାରଜାନ ଜାତୀୟ ସାର ଅଧିକ ପ୍ରୟୋଗ କଲେ ଏହି ପୋକ ଲାଗିଥାଏ ବୋଲି କହିଛନ୍ତି । ଏଥିନିମନ୍ତେ କେବଳ ପାଇମେଟ୍ରୋଜିନ୍‌, ଡାଇନୋଟିଫ୍ୟୁରାନ୍‌, ଏଥିପ୍ରୋରେଲ, ବୁପ୍ରୋଫେଜିନ୍‌ ଆଦି ଔଷଧ ପ୍ରୟୋଗ କରିବା ଉଚିତ୍‌ ବୋଲି ଅତିରିକ୍ତ କୃଷି ଅଧିକାରୀ ଶ୍ରୀ ନାୟକ ପରାମର୍ଶ ଦେଇଛନ୍ତି। ଅନ୍ୟପକ୍ଷରେ କୋରେଇ ବ୍ଲକ୍‌ରେ ଚାଷୀଙ୍କୁ ଔଷଧ ବଣ୍ଟନ ପାଇଁ ସୁରଭି କେନ୍ଦ୍ର ଖୋଲାଯାଇଥିବା ବେଳେ ସରକାର ପର୍ଯ୍ୟାପ୍ତ ପରିମାଣର ଔଷଧ ଦେଉନାହାଁନ୍ତି। ତେଣୁ ଔଷଧକୁ ଅପେକ୍ଷା ନକରି ପ୍ରତିଷେଧକ ହିଁ ଏକମାତ୍ର ବିକଳ୍ପ ବୋଲି ଶ୍ରୀ ନାୟକ କହିଛନ୍ତି।

ସମ୍ବନ୍ଧିତ ଖବର