ପାଣିକୋଇଲି/ କାଳିଆପାଣି: ଯାଜପୁର ଜିଲ୍ଲାର ବ୍ୟାସନଗର ତହସିଲ ତଥା ପାଣିକୋଇଲି ରାଜସ୍ବ ସର୍କଲ ଅନ୍ତର୍ଗତ ମଣିପୁର ମୌଜାରେ ଆଜି ମଧ୍ୟାହ୍ନରେ ନିଆଁଲାଗି ୧୦ ଏକର ଜମିରେ ପଡ଼ିଥିବା ନଡ଼ା ଜଳିଯିବା ସହ ୧ ଏକରରୁ ଊର୍ଦ୍ଧ୍ବ ଜମିରେ ଥିବା ପାଚିଲା ଧାନ ପୋଡ଼ି ପାଉଁଶ ହୋଇଯାଇଛି। ପ୍ରକାଶ ଯେ ଗୋଳେଇପୁର ପଞ୍ଚାୟତ ସୋତି ଗ୍ରାମର ଗଣେଶ ଦଳାଇଙ୍କ ପୁଅ ରାଜେଶ ଏ୧. ୦୫ ଡିସିମିଲ ଜମିରେ ସମବାୟ ସମିତିରୁ ଋଣ କରି ଧାନଚାଷ କରିଥିଲେ। ରାଜେଶଙ୍କ ଜମି ପାଖରେ ଥିବା ଅନ୍ୟ ବ୍ୟକ୍ତିମାନଙ୍କ ଜମିରୁ ମେସିନରେ ଧାନକଟା ସରିଥିଲା। ତେବେ ଅନ୍ୟ ବିଲରେ ପଡ଼ିଥିବା ନଡ଼ାରେ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥି‌ଲା। ଏହି ନିଆଁ ମାଡ଼ିଯାଇ ଧାନକଟା ସରିଥିବା ପ୍ରାୟ ଦଶ ଏକର ଜମିର ନଡ଼ା ପୋଡ଼ି ପାଉଁଶ ହୋଇଯାଇଥିଲା। ଏଥିରେ ରାଜେଶଙ୍କ ବିଲରେ କଟାଯାଇନଥିବା ପାଚିଲା ଧାନ ମଧ୍ୟ ପୋଡ଼ି ଯାଇଥିଲା। ନିକଟରେ ଥିବା ସିଙ୍ଗଡ଼ା ଓ ସୋତି ଗ୍ରାମର ଲୋକମାନେ ପାଖ ପୋଖରୀରୁ ପାଣି ଆଣି ନିଆଁକୁ ଆୟତ୍ତ କରିଥିଲେ। ପରେ ଯାଜପୁରରୋଡ ଅଗ୍ନିଶମ ବାହିନୀ ପହଞ୍ଚିଥିଲା। ଏନେଇ ପାଣିକୋଇଲି ଆରଆଇ ସୁଧିର ରଂଜନ ମଲ୍ଲିକଙ୍କୁ ପଚାରିବାରୁ ଆସନ୍ତାକାଲି କ୍ଷେତ୍ର ପରିଦର୍ଶନ କରିବେ ବୋଲି କହିଛନ୍ତି।
publive-image
ସୁକିନ୍ଦ‌ା ତହସିଲ କାଙ୍କଡ଼ପାଳ ସର୍କଲ ଓ ମୌଜାର ପୋଡ଼ାବିଲ ଢିପରେ ଥିବା ୪ ଏକରରୁ ଅଧିକ ପାଚିଲା ଧାନଖେତରେ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି। ଏଥିପାଇଁ ୫ ଜଣ କ୍ଷୁଦ୍ର ଚାଷୀ କୁହିକାର ଭୀମସେନ ମହାନ୍ତ, କାଙ୍କଡ଼ପାଳ ଗାଁର ତ୍ରିଲୋଚନ ପରିଡ଼ା, ମନୋଜ ପାତ୍ର, କ୍ଷୀରୋଦ ନାୟକ ଓ ରମେଶ ଚନ୍ଦ୍ର ନ‌ାୟକ ଆର୍ଥିକ କ୍ଷତି ସହିଛନ୍ତି। ଅପରାହ୍ଣ ସାଢ଼େ ୩ଟ‌ା ସମୟରେ ଧାନଜମିରେ ନିଆଁ ଜଳୁଥିବା ଶୁଣି ସଂପୃକ୍ତ ଚାଷୀ ଓ ଗ୍ରାମବାସୀ ଘଟଣାସ୍ଥଳକୁ ଦୌଡ଼ିଥିଲେ। ଭୀମସେନ ତାଙ୍କ ପାଖ ଜମିରୁ ୪୦ ରୁ ଅଧିକ ହଳା କାଟିଆଣି ଉକ୍ତ ଜମିରେ ସଜେଇ ରଖିଥିଲେ। ଏଥିସହ ସେହି ଜମିରେ ଆଉ ୨୦ଟି ହଳା କଟାଯାଇ ରଖାଯାଇଥିଲା। ନିଆଁରେ ତାଙ୍କ ଜମିର ସବୁ ହଳା ପୋଡ଼ି ଯାଇଛି। ସେହିପରି ଅନ୍ୟ ୪ ଜଣ ଚାଷୀଙ୍କର ୧୫ ଗୁଣ୍ଠରୁ ଦେଢ଼ ଏକର ପର୍ଯ୍ୟନ୍ତ ପାଚିଲା ଧାନକ୍ଷେତ କ୍ଷତିଗ୍ରସ୍ତ ହୋଇଥିବା କହିଛନ୍ତି। ସଂପୃକ୍ତ ଚାଷୀ ଓ ଗ୍ରାମବାସୀଙ୍କ ପକ୍ଷରୁ ନରେଶ ଚନ୍ଦ୍ର ପ୍ରଧାନ, ସୁଧାଂଶୁ ଶେଖର ପାତ୍ର, ସୁକାନ୍ତ ପ୍ରଧାନ, ତନ୍ମୟ ନାୟକ, ଚଗୁଲୁ ନାୟକ ପ୍ରମୁଖ ପାଖ ଖାଲୁଆ ଜମିରୁ ପାଣି ବୋହି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲେ। ସୁକିନ୍ଦା ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ପାଖ ପଡ଼ିଆରୁ ନିଆଁ ବ୍ୟାପିଥିବା ଦେଖିବାକୁ ମିଳିଛି। ସରକାରଙ୍କ ପକ୍ଷରୁ କ୍ଷୟକ୍ଷତି ଆକଳନ କରାଯାଇ କ୍ଷତିପୂରଣ ପ୍ରଦାନ ପାଇଁ ଦାବି ହୋଇଛି।