ଯାଜପୁର, (ସଂଗ୍ରାମ ସିଂହ): କୃଷି ଓ କୃଷକଙ୍କୁ ଶୋଷଣରୁ ମୁକ୍ତି କରିବା ପାଇଁ ଦେଶ ବ୍ୟାପି ଚାଷୀ ଆନ୍ଦୋଳନ ଦୀର୍ଘଦିନ ହେଲା ଚାଲିଛି। ଚାଷୀଙ୍କ ନାମରେ ସରକାର ଯୋଗାଣ କରୁଥିବା ସୁବିଧା ସୁଯୋଗ ସୁବିଧାବାଦୀ ଅସାଧୁମେଣ୍ଟ ହରିଲୁଟ୍ କରୁଛନ୍ତି। ଏବେ ପଶ୍ଚିମ ଓଡ଼ିଶାରୁ ଆରମ୍ଭ କରି ପୂର୍ବ ଓଡ଼ିଶା ପର୍ଯ୍ୟନ୍ତ ଧାନ କିଣାବିକା କେଳେଙ୍କାରୀ ଖୋଲାମେଲାରେ ଚାଲିଛି। ପ୍ରଶାସନର ଜାଣତରେ ଏହି କାରବାର ଚାଲିଥିବାବେଳେ ଏହାକୁ ନିୟନ୍ତ୍ରଣ କରିବାକୁ ଜିଲ୍ଲା ପ୍ରଶାସନ ଓ ସରକାର କାହିଁକି ଭୟ କରୁଛନ୍ତି! କାହା ଚାପରେ ଚେପା ସରକାରଙ୍କର ଧାନ କିଣାବିକା ବ୍ୟବସ୍ଥା? ତାକୁ ନେଇ ଚାଷୀମାନେ ପ୍ରଶ୍ନ କରିଛନ୍ତି।
ଧାନ ଅମଳ ହେବାର ଅଢ଼େଇମାସ ହୋଇଗଲା। ଯାଜପୁର ଜିଲ୍ଲାର ସମସ୍ତ ଧାନ ମଣ୍ଡି ଖୋଲିଲା ନାହିଁ। ୧୨୨ ପାକ୍ସର ଧାନମଣ୍ଡିରୁ ଆଜି ସୁଦ୍ଧା ୬୨ଟି ଓ ୧୬ଟି ମହିଳା ଏସଏଚଜିରୁ ୧୩ଟି ଖୋଲିଛି। ୪୩ ହଜାର ୮୧୧ ଚାଷୀ ଚଳିତ ବର୍ଷ ଧାନ ବିକିବା ପାଇଁ ପଞ୍ଜୀକରଣ କରିଥିବାବେଳେ ଏବେ ମାତ୍ର ୩ହଜାର୨୩୮ଜଣ ଚାଷୀ ଧାନ ବିକ୍ରି କରିଥିବାର ସରକାରୀ ତଥ୍ୟ କହୁଛି। ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାରୁ ୭ଲକ୍ଷ ୮୦ହଜାର ୮୮୨କୁଇଣ୍ଟାଲ ଧାନ କିଣିବା ପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିବାବେଳେ ଏବେ ସୁଦ୍ଧା ମାତ୍ର ୧ଲକ୍ଷ ୪୫ହଜାର ୯୯୦କୁଇଣ୍ଟାଲ ଧାନ କିଣା ଯାଇଛି। ଯାହା ବି ସରକାରୀ ତଥ୍ୟରେ ଦର୍ଶାଯାଇଛି। ସେଥିରୁ ୯୦ ଭାଗ ଦଲାଲଙ୍କ ଜରିଆର ଚାଷୀମାନେ ବିକିଥିବାବେଳେ କେବଳ କଗଜପତ୍ର ମଣ୍ଡି ଜରିଆରେ ଦର୍ଶାଯାଇଛି। ସଂପୃକ୍ତ ଅଧିକାରୀମାନେ ଦୁର୍ନୀତିକୁ ପ୍ରଶାସନ ଆଖିବୁଜି ଦେଇଛି। ଏବେ ସୁଦ୍ଧା ଲକ୍ଷ ଲକ୍ଷ କୁଇଣ୍ଟାଲ ଧାନ କେତେକ ମିଲରଙ୍କ ଗୋଦାମ ଓ ଦଲାଲ ଗୋଦାମରେ ଚାଷୀଙ୍କର ଗଚ୍ଛିତ ରହିଛି। ଏହି ଧାନ ଆସିଲା କେଉଁଠୁ? ମଣ୍ଡିରେ ଯଦି ବିକ୍ରି ନହୋଇଛି, ମିଲର ଦଲାଲମାନେ କିଣିଲେ କିପରି? ଏହିଭଳି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଅନ୍ୟପକ୍ଷରେ, ଏହି କେଳେଙ୍କାରୀ ଧରିବାକୁ ପ୍ରଶାସନ ପ୍ରତି ବର୍ଷ ଜାଣିଶୁଣି ଆଖିକାନ ବନ୍ଦ କରି ଦେଉଛି। ଶୀତ, କାକର, ବର୍ଷାଖରାରେ ଚାଷୀମାନେ ପାଣିକାଦୁଅରେ ଖଟି ଉତ୍ପାଦନ କରୁଥିବା ଧାନକୁ ଅଧିକାଂଶ ମିଲର ଦଲାଲଙ୍କ ଜରିଆରେ ୧୧ଶହ ରୁ ୧୨ଶହ ଟଙ୍କାରେ କିଣୁଛନ୍ତି। କାରଣ ଆଜି ପର୍ଯ୍ୟନ୍ତ ମଣ୍ଡି ଖୋଲିଲା ନାହିଁ। ଚାଷୀମାନେ ନିରୂପାୟ ହୋଇ ମିଲରଙ୍କ ମୂଷା ସାଜିଥିବା ଦଲାଲଙ୍କ ହାତରେ ସେମାନଙ୍କର କଷ୍ଟଲବ୍ଧ ଶସ୍ୟ ୬ଶହ ରୁ ୭ଶହ ଟଙ୍କା କମ୍ରେ ବିକି ଦେଉଛନ୍ତି। ଚାଷୀମାନଙ୍କ ଧାନ ଖଳାରୁ ଶସ୍ୟ ମଣ୍ଡିକୁ ନଯାଇ ଦଲାଲଙ୍କ ଜରିଆରେ ମିଲର ଗୋଦାମକୁ ଚାଲିଯାଇଛି। ଏବେ ଅଧିକାଂଶ ଧାନ କେବଳ କାଗଜପତ୍ରରେ ମଣ୍ଡିରେ ବିକ୍ରି ଦର୍ଶାଯିବ। ପ୍ରତି କୁଇଣ୍ଟାଲରେ ୬ଶହ ରୁ ୭ଶହ ଟଙ୍କା କେତେକ ମିଲର, ଦଲାଲ, ଯୋଗାଣ ବିଭାଗ, ଆରଏମସି, ପାକ୍ସ,ଏସଏସସିଙ୍କୁ ନେଇ ଗଠିତ ଅସାଧୁମେଣ୍ଟ ହଡ଼ପ କରୁଥିବା ବାରମ୍ବାର ଅଭିଯୋଗ ହେଉଛି। ଏହାକୁ ଧରିବା ପାଇଁ ପ୍ରଶାସନ କାହିଁକି ମିଲଗୁଡ଼ିକର ଗୋଦାମ ତନଖି କରୁନାହିଁ, ତାକୁ ନେଇ ପ୍ରଶ୍ନ ଉଠିଛି। ଏହାକୁ ଲକ୍ଷ୍ୟ କରି କୁହାଯାଉଛି। ଚାଷୀଙ୍କ ଧାନ ଖଳାରୁ ଗଲା, ମଣ୍ଡିରେ ନାହିଁ। ମିଲରଙ୍କ ଦଲାଲ ମୂଷା ଲୁଟି ନେଲେ ଅସାଧୁମେଣ୍ଟ ସହଯୋଗରେ। ବାଡ଼ ଯଦି ଫସଲ ଖାଇବ, କହିବା କାହାକୁ ବୋଲି ଚାଷୀମାନେ ମତବ୍ୟକ୍ତ କରିଛନ୍ତି।