୧୨୦ ରୁ ୧୭ ମଣ୍ଡି କାର୍ଯ୍ୟକ୍ଷମ
ଆଜିଯାଏ ୧୬ହଜାର କ୍ବିଣ୍ଟାଲ ଧାନ ସଂଗ୍ରହ
ଯାଜପୁର ଟାଉନ୍/ଚଣ୍ଡିଖୋଲ/କୋରେଇ/ଦଶରଥପୁର : ସରକାରଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ମିଲରମାନେ ଚାଷୀଙ୍କୁ ଅଭିନବ ଉପାୟରେ ଠକି ଚାଲିଛନ୍ତି। ଏଥିରେ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି ଦଲାଲ। ୧୩୫୦ ଟଙ୍କାରେ କିଣି ୧୭୫୦ ଟଙ୍କାରେ ରସିଦ ଦେଉଛନ୍ତି। ମନଇଚ୍ଛା କଟନିଛଟନି କରୁଛନ୍ତି। ଏଯାବତ ମାତ୍ର ୧୭ଟି ମଣ୍ଡି ଖୋଲିଥିବା ବେଳେ ସେଥିରୁ ୧୬ ହଜାର କୁଇଣ୍ଟାଲ ଧାନ ସଂଗ୍ରହ କରାଯାଇଛି।
ଜିଲ୍ଲାରେ ୧୨୨ ପ୍ରାଥମିକ କୃଷି ସମବାୟ ସମିତିରେ ଧାନ ମଣ୍ଡି ଖୋଲିବ ବୋଲି ଘୋଷଣା କରାଯାଇଥିଲା। ଇତିମଧ୍ୟରେ ୨୧ଦିନ ବିତି ଯାଇଥିଲେହେଁ ଏଯାବତ ମାତ୍ର ୧୭ଟି ସମବାୟ ସମିତି ପକ୍ଷରୁ ମଣ୍ଡି ଖୋଲା ଯାଇଛି। ଏହି ମଣ୍ଡି ଜରିଆରେ ୧୬ହଜାର ୭୨କ୍ବିଣ୍ଟାଲ ଧାନ ସଂଗ୍ରହ କରାଯାଇଥିବା ଜଣାଯାଇଛି। ସଂଗୃହୀତ ଧାନ ମଣ୍ଡି ଜରିଆରେ ମିଲକୁ ନଆସି କାଗଜପତ୍ରରେ ଆସିଛି। ଦଲାଲମାନେ ୧୧ ରୁ ୧୨ଶହ ମଧ୍ୟରେ କିଣୁଥିବା ବେଳେ ମିଲରମାନେ ୧୩ଶହ ରୁ ୧୪ଟଙ୍କା ମଧ୍ୟରେ ସିଧାସଳଖ ଚାଷୀଙ୍କ ଠାରୁ ଧାନ କିଣୁଛନ୍ତି। ମାତ୍ର ଚାଷୀମାନେ ୧୭୫୦ଟଙ୍କା ରେ ଧାନ ବିକୁଛନ୍ତି ବୋଲି ରସିଦ ନେବାକୁ ମିଲରମାନେ ବାଧ୍ୟ କରୁଛନ୍ତି। ମିଲ୍ ଗୁଡ଼ିକର ଧାନ ତନଖି କରିବା ଉପରେ ପ୍ରଶାସନ ଧ୍ୟାନ ଦେଉନଥିବାରୁ କାଗଜପତ୍ରରେ ଧାନ କିଣାବିକା କାରବାର ବୃଦ୍ଧି ପାଇଛି। ଧାନର ସର୍ବନିମ୍ନ ମୂଲ୍ୟ ବୃଦ୍ଧି ପାଇଁ ରାଜ୍ୟ ସରକାର ଦିଲ୍ଲୀରେ ଆନ୍ଦୋଳନ ପାଇଁ ଡ଼ାକରା ଦେଇଥିବା ବେଳେ ଏମଏସପି କ୍ବିଣ୍ଟାଲ ୧୭୫୦ ଟଙ୍କା ମଧ୍ୟ ଚାଷୀ ପାଇପାରୁ ନାହିଁ। ଚାଷୀଙ୍କ ଧାନର ସର୍ବ ନିମ୍ନ ସହାୟକ ମୂଲ୍ୟ ଅସାଧୁମେଣ୍ଟ ହଡ଼ପ କରି ଚାଲିଛି। ପ୍ରଶାସନର ସେଥି ପ୍ରତି ଗୁରୁତ୍ବ ନାହିଁ। ଏବେ ମଧ୍ୟ ଆନ୍ଧ୍ରପ୍ରଦେଶ ଓ ପଡ଼ୋଶୀ ରାଜ୍ୟକୁ ଟ୍ରକ ଟ୍ରକ ଧାନ ବେଆଇନ୍ ଚାଲାଣ ଚାଲିଛି।
ବଡ଼ଚଣା ବ୍ଲକର ଚାଷୀ ମଧ୍ୟ ଆଭବୀ ବିକ୍ରିର ଶିକାର ହେଉଛନ୍ତି। ଚାଷୀଙ୍କୁ ଭୁତାଇ ଦଲାଲମାନେ କୁଇଣ୍ଟାଲ ପିଛା ମାତ୍ର ୧୧ ଶହରୁ ୧୨ ଶହ ଟଙ୍କାରେ ଧାନ ସ˚ଗ୍ରହ କରୁଛନ୍ତି। ଏହା ଭିତରେ ୫ ଶହରୁ ଅଧିକ ମେଟ୍ରିକ୍ ଟନ୍ ଧାନ ପଡେ଼ାଶୀ ରାଜ୍ୟ ଆନ୍ଧ୍ର ସମେତ ଅନ୍ୟ ରାଜ୍ୟକୁ ଚାଲାଣ ହୋଇ ସାରିଛି।ଧାନ ମଣ୍ଡି ଖୋଲିବାରେ ବିଳମ୍ବ ଯୋଗୁଁ ଚାଷୀମାନେ ବ୍ୟାପକ କ୍ଷତି ସହୁଛନ୍ତି। ଚଳିତ ବର୍ଷ ବଡ଼ଚଣା ଅଞ୍ଚଳରେ ଧାନଚାଷୀଙ୍କ ଠାରୁ ସରକାର ୧ ଲକ୍ଷ ୪୫ ହଜାର କୁଇଣ୍ଟାଲ ଧାନ ସ˚ଗ୍ରହ କରିବା ଲକ୍ଷ୍ୟ ରଖିଛନ୍ତି। ସେଥି ମଧୢରୁ ଚଣ୍ତିଖୋଲସ୍ଥିତ କେନ୍ଦ୍ର ସମବାୟ ବ୍ୟାଙ୍କ ବଡ଼ଚଣା ଶାଖା ଅଧୀନରେ ଥିବା ୮ଟି ସମବାୟ ସମିତିରୁ ମୋଟ୍ ୭୩ ହଜାର ୨୪୫ କୁଇଣ୍ଟାଲ ଧାନ ସ˚ଗ୍ରହ ପାଇଁ ଲକ୍ଷ୍ୟ ଦିଆଯାଇଥିବା ବେଳେ କେନ୍ଦ୍ର ସମବାୟ ବ୍ୟାଙ୍କ ବାଲିଚନ୍ଦ୍ରପୁର ଶାଖା ଅଧୀନରେ ଥିବା ୬ଟି ସମବାୟ ସମିତି(ଚାରିନଙ୍ଗଳ ବ୍ୟତୀତ) ୫ଟି ରୁ ୨୬ ହଜାର ୮ଶହ କୁଇଣ୍ଟାଲ ଧାନ ସ˚ଗ୍ରହ ପାଇଁ ଲକ୍ଷ୍ୟ ଦିଆଯାଇଛି। ବାଲିଚନ୍ଦ୍ରପୁର ସମବାୟ ବ୍ୟାଙ୍କ୍ ଅଧୀନରେ ଥିବା ୬ଟି ସମିତିରୁ ମାତ୍ର ଗୋଟିଏ ଗୋପାଳପୁରରେ ଗତ ୧୭ ତାରିଖ ଧାନମଣ୍ତି ଖୋଲାଯାଇଛି। ଚଣ୍ତିଖୋଲ ବ୍ୟାଙ୍କ୍ ଅଧୀନରେ ଥିବା ୧୪ଟି ସମିତି ପକ୍ଷରୁ ଅଦ୍ୟାବଧି ଧାନମଣ୍ତି ଖୋଲାଯାଇ ନାହିଁ। ଚଳିତ ବର୍ଷ ବଡ଼ଚଣାର କୌଣସି ସମିତିରେ ଓଜନକଣ୍ଟା ନବୀକରଣ କାର୍ଯ୍ୟ ସ˚ପାଦିତ କରି ନାହାଁନ୍ତି।
େସହିପରି କୋରେଇ ବ୍ଲକ୍ ରେ ମୋଟ ୧୮ଟି ସମବାୟ ସମିତିରୁ ଏଯାଏଁ ୧୪ଟି ସମବାୟ ସମିତିରେ ଧାନକିଣା ଆରମ୍ଭ ହୋଇଥିଲେ ମଧ୍ୟ ଆହୁରି ୪ଟି ସମବାୟ ସମିତିରେ ଧାନକିଣା ଆରମ୍ଭ ହୋଇପାରିନାହିଁ। କୋରେଇ ଅଂଚଳରେ ଥିବା ଧାନ ମିଲ୍ ମାନଙ୍କରେ ଏବେ ହଜାର ହଜାର କ୍ବିଣ୍ଟାଲ୍ ଧାନ ମହଜୁଦ୍ ରହିଛି। ମଣ୍ତି ଜରିଆରେ କିଣା ଯାଇଥିବା ଧାନ ତୁଳନାରେ ମାତ୍ରାଧିକ ଧାନ ମିଲରଙ୍କ ଗୋଦାମରେ ମହଜୁଦ୍ ରହିଛି। ତାହା କେଉଁଠାରୁ ଏବଂ କିପରି ଆସିଲା ସେ ନେଇ ଜିଲ୍ଲା ଯୋଗାଣ ବିଭାଗ ତଦାରଖ କରିନାହିଁ। କୋରେଇ ବ୍ଲକ୍ ର ୪୧୮ ଜଣ ଚାଷୀଙ୍କ ଠାରୁ ୧୮ ହଜାର ୧୨୦ କ୍ବିଂଟାଲ ଧାନ କିଣାଯାଇଛି। ଧନେଶ୍ବର, ଜହ୍ନା, କଡ଼ମା ଓ େଡ଼ାଲିପୁର ସମବାୟ ସମିତିରେ ମଣ୍ତି ଖୋଲା ଯାଇନଥିବା ବେଳେ ତୂଳତୀ ସମବାୟ ସମିତିରେ ମଣ୍ତି ଖୋଲିଥିଲେ ମଧ୍ୟ କୌଣସି ଚାଷୀଙ୍କ ଠାରୁ ଧାନ କିଣାଯାଇନଥିବା ଜଣାପଡିଛି। କଟନି ଛଟନି ନାଁରେ ଚାଷୀଙ୍କ ଠାରୁ କ୍ବିଣ୍ଟାଲ ପ୍ରତି ୫ କେଜି ତ କେଉଁଠି ୧୦ କେଜି ହିସାବରେ ମିଲରମାନେ କାଟୁଥିବାର ମଧ୍ୟ ଅଭିଯୋଗ ହୋଇଛି। କୋରେଇ ବ୍ଲକ୍ରେ ଚଳିତ ବର୍ଷ ମୋଟ ୧୦ ହଜାର ୩୪୨ ଜଣ ଚାଷୀ ପଞ୍ଜିକୃତ ହୋଇଥିବା ବେଳେ ଏବେ ଧାନକିଣିବା ବେଳକୁ ଚାଷୀଙ୍କ ସଂଖ୍ୟା ଖୁବ୍ କମ୍ ଅଛନ୍ତି। ଏପରି ସ୍ଥଳେ ମିଲକୁ କିପରି କାହା ଠାରୁ ଧାନ ଆସିଲା ତାହାର ଏକ ଉଚ୍ଚ ସ୍ତରୀୟ ତଦନ୍ତ କରାଗଲେ ଯାଜପୁର ଜିଲ୍ଲାରେ ଚଳିତ ବର୍ଷ ହୋଇଥିବା ଧାନକିଣା କେଳେଙ୍କାରୀର ପର୍ଦାଫାସ ହୋଇପାରନ୍ତା ବୋଲି ସାଧାରଣରେ ଦାବି ହୋଇଛି।
ଦଶରଥପୁର ବ୍ଲକରେ ୧୩ ସମବାୟ ସମିତି ମଧ୍ୟରୁ ୯ଟି ଖୋଲିଛି। ପାଲଟପୁର, ନନ୍ଦୀପୁର, ନିଜାମପୁର ଓ କମାରଡ଼ିହି ଧାନମଣ୍ଡି ଖୋଲି ନାହିଁ। ଜିଲ୍ଲାର ପ୍ରଥମ ମଣ୍ଡି କିନ୍ତୁ ଏହି ବ୍ଲକ୍ ରେ ୨୦ ଦିନ ତଳେ ପ୍ରଶାସନ ନାମକୁ ମାତ୍ର ଖୋଲି ପରେ ବନ୍ଦ କରି ଦେଇଥିଲା। ଦଶରଥପୁର ସମବାୟ ସମିିତି ମ୍ୟାନେଜର ପଦ୍ମଲୋଚନ ଦାସ କହିଛନ୍ତି ଅନ୍ୟ ମଣ୍ଡିଗୁଡ଼ିକ ଖୁବ ଶୀଘ୍ର ଖୋଲିଯିବ।
ନିଜ ନିଜ ଅଞ୍ଚଳରେ ମଣ୍ଡି ଖୋଲି ନଥିବା ନେଇ ବ୍ଲକ୍ ସ୍ତରୀୟ ଅଧିକାରୀ ଓ କର୍ମଚାରୀ ପ୍ରକାଶ କରୁଥିବା ବେଳେ ଜିଲ୍ଲା ଯୋଗାଣ ଅଧିକାରୀ ସୁରେନ୍ଦ୍ର କୁୁମାର ହୋତା ପ୍ରକାଶ କରିଛନ୍ତି ଯେ ଜିଲ୍ଲାରେ ସମସ୍ତ ମଣ୍ଡି ଖୋଲିଗଲାଣି। ଧାନ ଅମଳ ହୋଇ ନଥିବାରୁ ମାତ୍ର ୧୭ଟି ମଣ୍ଡିରୁ ଆଜି ପର୍ଯ୍ୟନ୍ତ ଧାନ ସଂଗ୍ରହ କରାଯାଇଛି। ଦଲାଲ ଓ ମିଲର ମାନେ ଗାଡ଼ି ଲଗାଇ ଧାନ ସଂଗ୍ରହ କରୁଥିବା ବେଳେ ଧାନ ଅମଳ ହୋଇ ନାହିଁ ବୋଲି ଜିଲ୍ଲା ଯୋଗାଣ ଅଧିକାର ଶ୍ରୀ ହୋତା ମନ୍ତବ୍ୟରେ କେତେ ସତ୍ୟତା ଅଛି, ତାହା ବିଚାର ଯୋଗ୍ୟ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/12/naya-3.jpg)