ପାଣିକୋଇଲି ଗୁଳିକାଣ୍ଡ ଘଟଣା:୨୪ ଘଣ୍ଟା ପରେ ବି ପୁଲିସ୍‌ ହାତ ଖାଲି

ପାଣିକୋଇଲି : ପାଣିକୋଇଲି ଏସ୍‌ପି ଅଫିସ୍‌ ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ହୋଇଥିବା ଗୁଳିକାଣ୍ଡ ଘଟଣାକୁ ୨୪ ଘଣ୍ଟା ବିତିଲାଣି। ଘଟଣାରେ ସଂପୃକ୍ତ ଦୁର୍ବୃତ୍ତଙ୍କ ସଂପର୍କରେ ପୁଲିସ୍‌ ସାମାନ୍ୟ ସୁରାକ ପାଇବାରେ ସକ୍ଷମ ହୋଇନାହିଁ। ୬ ତାରିଖ ଦିନ ତମାମ ପାଣିକୋଇଲି ଥାନା ଅଧିକାରୀ ଘଟଣାର ଛାନ୍‌ଭିନ୍‌ କରିବା ସହ ବିଭିନ୍ନ ଅଞ୍ଚଳରେ ଚଢ଼ାଉ କରି ଫେରିଥିଲେ ମଧ୍ୟ ଗୁଳି କାଣ୍ଡରେ ସଂପୃକ୍ତ ଅପରାଧୀଙ୍କ ଟେର୍‌ ମିଳିନାହିଁ। ଅନ୍ୟପକ୍ଷରେ ଗୁଳିକାଣ୍ଡରେ ଗୁରୁତର ଆହତ ବୋଲେରୋ ଚାଳକ ଜମିଲ ଖାଁଙ୍କର ଆଜି କଟକ ବଡ଼ଡାକ୍ତରଖାନାରେ ଅସ୍ତ୍ରୋପଚାର କରାଯାଇଛି। ସେ ସୁସ୍ଥ ହେଲେ ତାଙ୍କୁ ପୁଲିସ୍‌ ଜେରା କରି ଘଟଣାର ରହସ୍ୟ ଉନ୍ମୋଚନ କରିବ ବୋଲି ସୂଚନା ମିଳିଛି। ଅର୍ଥ କାରବାରକୁ ନେଇ ଗୁଳିକାଣ୍ଡ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଗୁଳି କରିବା ସମୟରେ ଦୁର୍ବୃତ୍ତମାନେ ଜମିଲଙ୍କୁ ଗାଡ଼ିରୁ ତଳକୁ ଟାଣି ଜଂଘକୁ ଲକ୍ଷ କରି ଗୁଳି ଚଳାଇ ଥିବା ପ୍ରତକ୍ଷଦର୍ଶୀ ଗାଡ଼ିରେ ଥିବା ରୋଗୀଙ୍କ ସଂପର୍କୀୟ ମୁକ୍ରମ ଖାଁ ସୂଚନା ଦେଇଛନ୍ତି। ଆହତ ବୋଲେରୋ ଚାଳକଙ୍କ ମୋବାଇଲ୍‌କୁ ପୁଲିସ୍‌ ଜବତ୍‌ କରି ଛାନ୍‌ଭିନ୍‌ କରୁଛି।

ହୁଏତ ଅପରାଧୀଙ୍କ ମୋବାଇଲ୍‌ରୁ ଜମିଲ୍‌ଙ୍କ ମୋବାଇଲକୁ ଫୋନ୍‌ ଆସିଥିବା ପୁଲିସ୍‌ ସନ୍ଦେହ କରୁଛି। ଅନ୍ୟପଟେ ପୂର୍ବରୁ ଜମିଲ ଗୋରୁ ବୋଝେଇ ଟ୍ରକ୍‌ ଚଳାଉଥିଲେ। ତେଣୁ ଅପରାଧୀଙ୍କ ସହିତ ଅର୍ଥ ଉଧାରି ଓ ଦେଣେନେଣକୁ ନେଇ କିଛି ବିବାଦ ଥିବା ପୁଲିସ୍‌ ସନ୍ଦେହ କରୁଛି। ବୋଲେରୋରେ ଥିବା ରୋଗୀ ଓ ସଂପର୍କୀୟଙ୍କ ସହିତ ଅପରାଧୀଙ୍କର କୌଣସି ଦେଣେନେଣ ନଥିବା ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ହୋଇଛି। କାରଣ ସେମାନଙ୍କୁ ଗାଡ଼ିରୁ ଓହ୍ଲାଇ ରାସ୍ତାକଡ଼ରେ ଠିଆ କରିବା ପରେ ଦୁର୍ବୃତ୍ତମାନେ ଚାଳକଙ୍କୁ ଟାଣିଆଣି ଗୁଳି କରିଥିଲେ। ପୁଲିସ୍‌ର ବିଳମ୍ବିତ କାର୍ଯ୍ୟାନୁଷ୍ଠାନ ଯୋଗୁଁ ସକାଳେ ଅପରାଧୀମାନେ ଗୁଳି କରି ରାଜପଥରେ ଖସି ଯିବାକୁ ସକ୍ଷମ ହୋଇଥିଲେ। ଗୁଳିକାଣ୍ଡ ଘଟିବାର କିଛି ସମୟ ପରେ ପୁଲିସ୍‌ ପହଞ୍ଚି ତନାଘନା କରିବା ବେଳକୁ ଅପରାଧୀ ଖସି ଯିବାକୁ ସକ୍ଷମ ହୋଇଥିଲେ। ଏହି ଘଟଣା ପାଣିକୋଇଲି ତଥା ଯାଜପୁର ପୁଲିସ୍‌ ପାଇଁ ଚ୍ୟାଲେଞ୍ଜ୍‌ ସୃଷ୍ଟି କରିଛି। ଗୁଳିକାଣ୍ଡର ପୃଷ୍ଠଭୂମି ଖୁଲାସା କରିବା ସହ ଅପରାଧୀଙ୍କୁ ତୁରନ୍ତ ଧରିବା ପାଇଁ ଆହତ ଜମିଲଙ୍କ ବଡ଼ଭାଇ ଅମନ ଖାଁ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର