ଦାନଗଦୀ: ଇସ୍ପାତ ରାଜଧାନୀ କଳିଙ୍ଗନଗର ଶିଳ୍ପାଞ୍ଚଳର ତେଲିବାହାଳି ଜୈବବିବିଧତା ଉଦ୍ୟାନ ନିର୍ମାଣର ଦିନ କେଇଟା ମଧ୍ୟରେ ଭଗ୍ନ ଅବସ୍ଥାକୁ ଆସିଯାଇଛି। ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠିରେ ପ୍ରାୟ ୯କୋଟି ୮୪ ଲକ୍ଷ କୋଟି ଟଙ୍କା ଅନୁଦାନରେ ଦାନଗଦୀ ବ୍ଲକ୍ ମଙ୍ଗଳପୁର୍ ପଞ୍ଚାୟତର ତେଲିବାହାଳିଠାରେ ୩୨ ଏକର ଜମିରେ ସବୁଜ ବଳୟ ସୃଷ୍ଟି ତଥା ଜୈବବିବିଧତା ଉଦ୍ୟାନ ନିର୍ମାଣ କରାଯାଇଥିଲା। ଯାଜପୁରରୋଡ ବନ ବିଭାଗ ପକ୍ଷରୁ ଏହି କାର୍ଯ୍ୟ କରାଯାଇଥିଲା। ମାତ୍ର ଏଠାରେ ଯେତେ ପରିମାଣର ଅର୍ଥ ଖର୍ଚ୍ଚ କରାଯାଇଛି, ସେହି ଅନୁସାରେ କୌଣସି କାର୍ଯ୍ୟ ହୋଇନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।
ପାର୍କର ଚତୁଃପାର୍ଶ୍ବରେ ପାଚେରି ନିର୍ମାଣ କରାଯିବା ସହ ଏହାର ପରିସରରେ ବିଭିନ୍ନ ପ୍ରକାର ବୃକ୍ଷରୋପଣ କରାଯାଇଥିଲା। ଏସବୁ କାମ ଅତ୍ୟନ୍ତ ନିମ୍ନମାନର ହୋଇଥିବା ଅଭିଯୋଗ ହେଉଛି। ପାର୍କ ପରିସରରେ ହୋଇଥିବା ଅଧିକାଂଶ କାମ ଅସମ୍ପୂର୍ଣ୍ଣ ରହିଛି। ନିମ୍ନମାନର କାର୍ଯ୍ୟ ଯୋଗୁଁ ଅତିଥି ରହିବା ପାଇଁ ନିର୍ମାଣ ହୋଇଥିବା ଏକ ଘରର ସିଲିଂ ଭୁଶୁଡ଼ି ପଡ଼ିଛି। ପାର୍କ ମଧ୍ୟକୁ ପ୍ରବେଶ କରିବା ପରେ କିଛବାଟ ପେଭର୍ସ ଟାଇଲ ପଡ଼ିଛି। ପରେ ଖାଲ ହୋଇ ଆଣ୍ଠୁଏ ପାଣି ଜମିରହିଛି। ସେହି ନିକଟରୁ ଟାଇଲ୍ ଉଠି ଗଲାଣି। ଆଗକୁ ଆଉ ଟାଇଲ ବିଛାଯାଇ ନାହିଁ। ପାର୍କ ପରିସରରେ ଅଳିଆ ଅନାବନା ଗଛ ଉଠିଗଲାଣି। ସଫା କରାଯାଉ ନ ଥିବାରୁ ପରିବେଶ ନଷ୍ଟ ହେଉଛି। ଠିକ୍ ଭାବେ ପରିଚାଳନା କରାଯାଉ ନଥିବାରୁ ଏହାର ଉପଯୋଗିତା ନଷ୍ଟ ହେଲାଣି। ଗତ ମାର୍ଚ୍ଚ ୭ ତାରିଖରେ ଏହି ଜୈବବିବିଧତା ଉଦ୍ୟାନକୁ ତତ୍କାଳୀନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ ଉଦ୍ଘାଟନ କରିଥିଲେ। ୯ କୋଟି ୮୪ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଥିବା ଏହି ଉଦ୍ୟାନରେ ପ୍ରାୟ ୭ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଏଥିରେ ବ୍ୟାପକ ଅର୍ଥ ବାଟମାରଣା କରାଯାଇଥିବା ଜଳଜଳ ଦେଖାଯାଉଛି। ଏଠାରେ କାମ କରିଥିବା ଶ୍ରମିକମାନଙ୍କୁ ମଜୁରି ଠିକ୍ ଭାବେ ମିଳି ନ ଥିବା ଅଭିଯୋଗ ହୋଇଛି। ବନ ବିଭାଗ ଅଧିକାରୀଙ୍କ ତତ୍ତ୍ଵାବଧାନରେ ଏହି କାର୍ଯ୍ୟ ହୋଇଥିବାରୁ ସିଧାସଳଖ ବିଭାଗୀୟ ଅଧିକାରୀଙ୍କ ଆଡ଼କୁ ଅନିୟମିତତାର ଆଙ୍ଗୁଳି ଉଠିଛି। ଏହି ଉଦ୍ୟାନ କାର୍ଯ୍ୟରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ କରି କିଛିଦିନ ତଳେ ସ୍ଥାନୀୟ ବିଜେପି କର୍ମକର୍ତ୍ତା ପାର୍କ କାମ ବନ୍ଦ କରିଥିଲେ। ଏହି ଉଦ୍ୟାନ ନର୍ମାଣ କାର୍ଯ୍ୟ କରୁଥିବା ବିଭାଗ ଉପରେ ତଦନ୍ତ କରିବାକୁ ଦାବି ହୋଇଛି।