ବଡ଼ଚଣା ମାଟିରେ ପାଟକୁରା ରାଜନୀତି : ବିରୋଧୀଙ୍କ ମେଳି; ଅତନୁ ଆସିଲେନି

ଯାଜପୁର/ଚଣ୍ତିଖୋଲ/ଡେରାବିଶ : ବଡ଼ଚଣା ମାଟିରେ ପାଟକୁରା ବିଜେଡ଼ି ରାଜନୀତି। ବନ୍ଧୁମିଳନ ନାମରେ ଏକାଠି ହେଲେ ପାଟକୁରା ବିଧାୟକ ବେଦ ପ୍ରକାଶ ଅଗ୍ରୱାଲଙ୍କ ବିରୋଧୀ। ଏଥିରେ ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ଯୋଗଦେବେ ବୋଲି ପ୍ରଚାର ହୋଇଥିଲେ ମଧ୍ୟ ସେ ଆସି ନଥିଲେ। ଏହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି।

କେନ୍ଦ୍ରାପଡ଼ା ଜିଲ୍ଲାର ସୀମାନ୍ତ ତଥା ଯାଜପୁର ଜିଲ୍ଲା ବଡ଼ଚଣା ନିର୍ବାଚନମଣ୍ଡଳୀର ଓଳାଶୁଣି ନିକଟସ୍ଥ ଗାଙ୍ଗି ପାହାଡ଼ରେ ପାଟକୁରା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ବେଦପ୍ରକାଶ ଅଗ୍ରୱାଲଙ୍କ ବିରୋଧୀଙ୍କ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ହୋଇଛି। ଶ୍ରୀ ଅଗ୍ରୱାଲଙ୍କ ଅତି ଘନିଷ୍ଠ ଥିବା ଡେରାବିଶ୍ ବ୍ଲକ୍ ଅଧ୍ୟକ୍ଷ ସରୋଜ ସାହୁ ଗତ ପଞ୍ଚାୟତ ନିର୍ବାଚନ ପର ଠାରୁ ତାଙ୍କର ବିରୋଧୀ ହୋଇପଡିଛନ୍ତି। ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ଶ୍ରୀ ସାହୁ ବିଧାୟକ ଶ୍ରୀ ଅଗ୍ରୱାଲଙ୍କୁ ବିରୋଧ କରିଆସୁଛନ୍ତି। ଏପରିକି କେତେକ ପଞ୍ଚାୟତରେ ଆମ ଗାଁ ଆମ ବିକାଶ ପ୍ରକଳ୍ପ ସ୍ଥାନରେ ବିଧାୟକ ଶ୍ରୀ ଅଗ୍ରୱାଲ ଓ ବ୍ଲକ୍ ଅଧ୍ୟକ୍ଷ ଶ୍ରୀ ସାହୁଙ୍କର ଦୁଇ ଦୁଇଟି ଫଳକ ଲାଗିଛି। ଶ୍ରୀ ସାହୁ ବିଧାୟକ ଅତନୁଙ୍କର ଅତି ନିକଟତର ହୋଇଛନ୍ତି। ଆଜି ବୈଠକରେ ଅତନୁ ଯୋଗ ଦେବେ ବୋଲି ଶ୍ରୀ ସାହୁଙ୍କ ଗୋଷ୍ଠୀ ପ୍ରଚାର କରିବା ଫଳରେ ବିଭିନ୍ନ ପଞ୍ଚାୟତରୁ ଶତାଧିକ ବିଧାୟକ ବିରୋଧୀ ଲୋକପ୍ରତିନିଧି ଓ ସଂଗଠକ ଏହି ବୈଠକରେ ଯୋଗ ଦେଇଥିଲେ। ପାଟକୁରାରେ ବିଜେଡି ନେତୃତ୍ବର ପରିବର୍ତନ ଦରକାର ବୋଲି ଶ୍ରୀ ସାହୁ ଆଜି ବୈଠକରେ କହିଥିଲେ।

ବିଧାୟକଙ୍କ ଇଚ୍ଛାଶକ୍ତି ଅଭାବରୁ ଡେରାବିଶ ନିର୍ବାଚନ ମଣ୍ତଳୀରେ ଗତ କିଛି ମାସ ହେବ ବିକାଶ ମୂଳକ କାର୍ଯ୍ୟ ଠପ୍‌ ହୋଇଯାଇଛି। ପ୍ରତି ପଞ୍ଚାୟତର ବିକାଶ ପାଇଁ ସରକାରଙ୍କ ସବୁଠୁ ଭଲ ଯୋଜନା ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ଏହି ବ୍ଲକ୍‌ରେ ସାତସପନ ପାଲଟିଛି ବୋଲି ଶ୍ରୀ ସାହୁ ଦୋଷାରୋପ କରିଥିଲେ।

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପଣ୍ତିତ ଶରତ ଚନ୍ଦ୍ର ମିଶ୍ର, ଗୋଲରାହାଟର ପ୍ରାକ୍ତନ ସରପଞ୍ଚ ତ୍ରିଲୋଚନ ରାଉତ, ସମବାୟ ସମିତି ସଭାପତି ବୈଷ୍ଣବ ଚରଣ ସାହୁ, ନାରାୟଣପୁର ସରପଞ୍ଚ ସ˚ଯୁକ୍ତା ସାହୁ, ସୋଲରହାଟ ସରପଞ୍ଚ ପ୍ରଭାତୀ ରାଉତ, କୁଶିଆପାଳ ସରପଞ୍ଚ ପ୍ରଭାତୀ ସାହୁ, ଲକ୍ଷ୍ମୀ ରଘୁଦେଇପୁର ସରପଞ୍ଚ ହରିବୋଲ ପଣ୍ତା, ଚୌଧୁରୀ ରବୀନ୍ଦ୍ର ଜେନା, ଭାରତୀ ସି˚ହ, ସେକ ଅବଦୁଲାଙ୍କ ପ୍ରମୁଖ ଯୋଗ ଦେଇ ପାଟକୁରା ନେତୃତ୍ବ ପରିବର୍ତନ ପାଇଁ ଦାବି କରିଥିଲେ। ଯୁବନେତା ରାଜ କିଶୋର ମଲ୍ଲ ଧନ୍ୟବାଦ ଦେଇଥିଲେ। ଯାହାକୁ ନେଇ ବିଜେଡି ରାଜନୀତି ସରଗରମ ହୋଇଛି।

ସମ୍ବନ୍ଧିତ ଖବର