କଲ୍ୟାଣପୁରରେ ରାଜନୈତିକ ହିଂସା:ଜଣକୁ ଖୁଣ୍ଟରେ ବାନ୍ଧି ପିଟିଲେ, ୧୦ରୁ ଅଧିକ ଆହାତ

ଗ୍ରାମରେ ତୀବ୍ର ଉତ୍ତେଜନା, ପୁଲିସ ମୁତୟନ

ବିଂଝାରପୁର: ଯାଜପୁର ଜିଲ୍ଲା ବିଂଝାରପୁର ଥାନା ଅନ୍ତର୍ଗତ କଲ୍ୟାଣପୁରରେ ରାଜନୈତିକ ହିଂସାକାଣ୍ଡ ଘଟିଛି। ବିଜେପି ନେତ୍ରୀ ବବିତା ମଲିକଙ୍କ ପଞ୍ଚାୟତ କଲ୍ୟାଣପୁର ଅନ୍ତର୍ଗତ ରୁଦ୍ରପୁର ଗ୍ରାମର ବିରଜା ପ୍ରସାଦ ମଲିକଙ୍କୁ ଇଲେକ୍ଟ୍ରି ଖୁଣ୍ଟରେ ବାନ୍ଧି ପ୍ରବଳ ମାଡ଼ ମରାଯାଇଥିବା ନେଇ ତାଙ୍କ ମା’ ଜାନକୀ ମଲିକ ଥାନାରେ ଅଭିଯୋଗ କରିଛନ୍ତି। ଗାଁରେ ତୀବ୍ର ଉତ୍ତେଜନା ଲାଗି ରହିଥିବା ବେଳ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ବ୍ୟାପକ ପୁଲିସ ମୁତୟନ କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଗ୍ରାମର ବିରଜା ପ୍ରସାଦ ମଲିକ ଏକ ବାଇକରେ ଯାଉଥିବା ବେଳେ ଗ୍ରାମର ୧୦ଜଣରୁ ଅଧିକ ଲୋକ ଶ୍ରୀ ମଲିକଙ୍କୁ ଅଟକାଇଥିଲେ। ତାଙ୍କୁ ଗାଳିଗୁଲଜ କରିବା ସହିତ ଏକ ଇଲେକ୍ଟ୍ରି ଖୁଣ୍ଟରେ ବାନ୍ଧି ଦେଇଥିଲେ। ‌ପରେ ‌ମିଳିମିଶି ତାଙ୍କୁ ନିର୍ଧୁମ ପିଟିଥିଲେ। ଖବର ପାଇ ଗ୍ରାମର କିଛି ଲୋକଙ୍କ ସହିତ ଶ୍ରୀ ମଲିକଙ୍କ ବଡ଼ ଭାଇ ଚିନୁଆ ମଲିକ ଘଟଣା ସ୍ଥଳରେ ପହଞ୍ଚି ଶ୍ରୀ ମଲିକଙ୍କୁ ଆହାତ ଅବସ୍ଥାରେ ଉଦ୍ଧାର କରିଥିଲେ। ଆହାତଙ୍କୁ ପ୍ରଥମେ ବିଂଝାରପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମାତ୍ର ଅବସ୍ଥା ଗୁରୁତର ହେବାରୁ ଯାଜପୁର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଘଟଣାକୁ ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଟକରାଟକରି ହାଇଛନ୍ତି। ପ୍ରବଳ ଟେକା ପଥର ମାଡ଼ କରାଯାଇଛି। ଟେକା ପଥର ମାଡ଼ରେ ଉଭୟ ପକ୍ଷର ୧୦ରୁ ଅଧିକ ସମର୍ଥକ ଆହାତ ହୋଇଛନ୍ତି । ଗ୍ରାମରେ ଉତ୍ତେଜନା ଲାଗି ରହିଥିବା ବେଳେ ପୁଲିସ ଉପସ୍ଥିତ ରହି ପଇନ୍ତରା ମାରୁଛି । ଏ ସଂପର୍କରେ ଆଇଆଇସି ଶିବଚରଣ ବେହେରାଙ୍କୁ ପଚାରିବାରୁ ଉଭୟ ଗୋଷ୍ଠୀଙ୍କ ପକ୍ଷରୁ ଅଭିଯୋଗ ହୋଇଛି । ଘଟଣା ସ୍ଥଳରେ ପୁଲିସ ମୁତୟନ କରାଯାଇଛି । ତଦନ୍ତ ପରେ ମାମଲା ରୁଜୁ କରାଯିବ ବୋଲି କହିଛନ୍ତି ।

ସମ୍ବନ୍ଧିତ ଖବର