ଯାଜପୁର ବିଜେପିରେ ପୁରୁଣା-ନୂଆ ଲଢ଼େଇ

ଯାଜପୁରରୋଡ୍‌ : ଯାଜପୁର ଜିଲ୍ଲାରେ ବିଜେପିର ନୂଆ-ପୁରୁଣା ଗୋଷ୍ଠୀ ବିବାଦ ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଜିଲ୍ଲା ଭିତରେ ଚାଲିଥିବା ବିଜେପି ଗୋଷ୍ଠୀ ବିବାଦ ଏବେ ରାଜ୍ୟ ନେତାଙ୍କ ନିୟନ୍ତ୍ରଣ ବାହାରକୁ ଚାଲିଗଲାଣି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚ୍ୟାଲେଞ୍ଜ ଦେଇ ପୁରୁଣା ଗୋଷ୍ଠୀର ନେତାମାନେ ଆଜି ଏକ ଗୁପ୍ତ ବୈଠକରେ ଏକାଠି ହେବା ସହିତ ଆଗାମୀ ଦିନ ପାଇଁ ରଣନୀତି ପ୍ରସ୍ତୁତ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ବିଜେପି ରାଜ୍ୟ କାର୍ଯ୍ୟାଳୟ ଭୁବନେଶ୍ୱର ଠାରେ ଆଜି ପୂର୍ବାହ୍ନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ବିଧାୟକ ଦଳର ନେତା କନକବର୍ଦ୍ଧନ ସିଂହଦେଓ, ରାଜ୍ୟ ସଂଗଠନ ସଂପାଦକ ମାନସ ମହାନ୍ତି, ଯାଜପୁର ଜିଲ୍ଲା ପାଳକ ସମୀର ଦେ, ଜିଲ୍ଲା ପ୍ରଭାରୀ ବିଷ୍ଣୁ ଦାଶ, ଯାଜପୁର ଜିଲ୍ଲା ସଭାପତି ଗୈାତମ ରାୟ ପ୍ର୍ରମୁଖ ଉପସ୍ଥିତିରେ ଦଳର ରଣନୀତି ପ୍ରସ୍ତୁତ ହୋଇଥିଲା। ଆଗାମୀ ନିର୍ବାଚନ ପାଇଁ ବୁଥ୍‌ ଠାରୁ ଆରମ୍ଭ କରି ଲୋକସଭା ଆସନ ପର୍ଯ୍ୟନ୍ତ ଦଳୀୟ କାର୍ଯ୍ୟକ୍ରମକୁ ସୁପରିଚାଳନା ପାଇଁ ମନ୍ତ୍ରୀ ଶ୍ରୀ ପ୍ରଧାନ ଓ ଅନ୍ୟ ରାଜ୍ୟ କର୍ମକର୍ତ୍ତାମାନେ ମାର୍ଗ ଦର୍ଶନ କରିଥିଲେ। ଏହି ବୈଠକରେ ବଡ଼ଚଣାର ଅମର ନାୟକ, ଶ୍ରୀମନ୍ତିନୀ ଜେନା, ଉଦୟନାଥ ସାହୁ, ଧର୍ମଶାଳାର ତୁଷାର ପରିଡ଼ା, ଅପର୍ଣ୍ଣାଧୀର ସାମନ୍ତ, ସର୍ବେଶ୍ୱର ବେହୁରା, ବରୀ ର ବିଶ୍ୱରଂଜନ ମଲ୍ଲିକ, ବିଂଝାରପୁରର ଅମୀୟ ମଲିକ, ବବିତା ମଲିକ, କୋରେଇ ର ବିଶ୍ୱଜିତ ନାୟକ ଓ ସଂଚିତା ମହାନ୍ତି ପ୍ରମୁଖ ସାମିଲ ହୋଇଥିଲେ। ତେବେ ବୈଠକକୁ ଅସନ୍ତୁଷ୍ଟ ପୁରୁଣା ସଂଗଠକମାନେ ବର୍ଜନ କରିଥିଲେ। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ବୈଠକରେ ଅସନ୍ତୁଷ୍ଟଙ୍କ ଉଦ୍ଦେଶ୍ୟରେ ଚରମ ଚେତାବନୀ ଶୁଣାଇ କହିଥିଲେ ଯେ ଯେଉଁମାନେ ସମାନ୍ତରାଳ ଦଳୀୟ କାର୍ଯ୍ୟକ୍ରମ କରିବେ ସେମାନଙ୍କ ବିରୋଧରେ ଦଳ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।

ଅପରପକ୍ଷରେ ଶ୍ରୀ ପ୍ରଧାନଙ୍କ ଚେତାବନୀ ସତ୍ତ୍ୱେ ଆଜି ଅପରାହ୍ନରେ ବଡ଼ଚଣାର ଏକ ଗୁପ୍ତ ସ୍ଥାନରେ ଅସନ୍ତୁଷ୍ଟ ଗୋଷ୍ଠୀ ମିଳିତ ହୋଇ ରଣନୀତି ପ୍ରସ୍ତୁତି କରିଛନ୍ତି। ଏଥିରେ ବଡ଼ଚଣାରେ ଅନୁଷ୍ଠିତ ଅସନ୍ତୁଷ୍ଟ ଗୋଷ୍ଠୀର ଗୁପ୍ତ ବୈଠକରେ ପୂର୍ବତନ ଜିଲ୍ଲା ସଭାପତି ତଥା ଓବିସି ମୋର୍ଚ୍ଚା ରାଜ୍ୟ ଉପସଭାପତି ଆଶୁତୋଷ ପରିଡ଼ା, ଡକ୍ଟର କୈଳାସ ବିଶ୍ୱାଳ, ଜିଲ୍ଲା ମିଡ଼ିଆ ସେଲ୍‌ ସଭାପତି କାହ୍ନଚରଣ ଦାଶ, କ୍ଷୀରୋଦ ମହଲା, ପ୍ରସନ୍ନ ସାମଲ, ପୂର୍ଣ୍ଣଚନ୍ଦ୍ର ଜେନା, ମନୋରଂଜନ ଦାସ ପ୍ରମୁଖ ରାଜ୍ୟ ଓ ଜିଲ୍ଲା କର୍ମକର୍ତ୍ତାମାନଙ୍କ ସମେତ ୩ଜଣ ବିଜେପି ଜିଲ୍ଲା ପରିଷଦ ସଦସ୍ୟ, ୨୩ଜଣ ପୂର୍ବତନ ମଣ୍ଡଳ ସଭାପତି ଏକାଠି ହୋଇଥିଲେ। କେବଳ ସେତିକି ନୁହେଁ, ଏମାନେ ଆଜିର ବୈଠକରେ କେନ୍ଦ୍ର ମନ୍ତ୍ରୀଙ୍କ ବିରୋଧରେ ଯୁଦ୍ଧଂଦେହି ଡ଼ାକରା ଦେଇଛନ୍ତି। ଆଗାମୀ ନିର୍ବାଚନରେ ନରେନ୍ଦ୍ର ମୋଦୀଙ୍କ ଆଦର୍ଶକୁ ପାଥେୟ କରି ସମାନ୍ତରାଳ ସାଂଗଠନିକ କାର୍ଯକ୍ରମକୁ ଜୋରଦାର କରିବାକୁ ବୈଠକରେ ସଂକଳ୍ପ ନିଆଯାଇଛି।

ବିଜେପିର ୨ଗୋଷ୍ଠୀର ପୃଥକ ସମାନ୍ତରାଳ ବୈଠକ ରାଜ୍ୟ ବିଜେପି ନେତାଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଥିବା ବେଳେ ଜିଲ୍ଲାର ରାଜନୀତି ପାଣିପାଗକୁ ଉଷ୍ମ କରିଛି। ଦଳରେ କୁହୁଳୁଥିବା ଅସନ୍ତୋଷ ଆଗାମୀ ଦିନରେ ବିସ୍ଫୋରକ ମୋଡ଼ ନେଇପାରେ ବୋଲି ରାଜନୈତିକ ମହଲରେ ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର