୪ ବର୍ଷ ହେଲା ପିଜି ପରୀକ୍ଷାରୁ ବଞ୍ଚିତ ଦେଢ଼ଶହ ଛାତ୍ରଛାତ୍ରୀ: କଲେଜ ଆଗରେ ଛାତ୍ରୀଙ୍କ ଧାରଣା

ଯାଜପୁର:  ପିଜି ପରି ଉଚ୍ଚଶିକ୍ଷା ଲାଭ କରି  ଭବିଷ୍ୟତ ସ୍ବପ୍ନ ଦେଖିଥିବା ଦେଢ଼ ଶହରୁ ଅଧିକ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଏବେ  ଅନ୍ଧାରରେ। ୪ ବର୍ଷ ହେଲାଣି ପରୀକ୍ଷା ପାଇଁ ଛାତ୍ରଛାତ୍ରୀମାନେ କଲେଜକୁ ଦୌଡ଼ିଦୌଡ଼ି ‌ନିରାଶ ହେବା ପରେ  ଭାଙ୍ଗି ପଡ଼ିବା ସହ ଜୀବନ ହାରିବାକୁ ଚେତାବନୀ ଦେଇଛନ୍ତି। କଲେଜ ସେମାନଙ୍କ ସହ ଖେଳି ଭବିଷ୍ୟତ ନଷ୍ଟ କରିଥିବାର ଅଭିଯୋଗ ଉଠାଇଛନ୍ତି ଛାତ୍ରଛାତ୍ରୀ। ଏପରିକି ସେମାନଙ୍କୁ ଚୁପ  ରହିବାକୁ ଚାପ ପକାଯାଉଥିବା ସେମାନେ ଅଭିଯୋଗ କରିଛନ୍ତି।
ସୂଚନା ଅନୁସାରେ  ବିରଜାକ୍ଷେତ୍ର ନିକଟସ୍ଥ ଚିତାଳୋ ମହାବିଦ୍ୟାଳୟରେ ୨୦୧୭-୧୮ ଶିକ୍ଷା ବର୍ଷରେ ଓଡ଼ିଆ ଓ  ପଦାର୍ଥ ବିଜ୍ଞାନ ବିଭାଗରେ  ପିଜି ପାଇଁ ନାମ ଲେଖା ଆରମ୍ଭ କରାଯାଇଥିଲା।  ଉଭୟ ବିଭାଗ ପାଇଁ ୩୨ ଟି  ଲେଖାଏଁ ସିଟ୍ ରହିଥିବା‌ ବେଳେ   ୨୦୧୭-୧୮ ଶିକ୍ଷା ବର୍ଷରେ ପିଲାମାନେ ପରୀକ୍ଷା ଦେଇଥିବା  ବେଳେ ସେମାନଙ୍କ ପରୀକ୍ଷା ଫଳ ପ୍ରକାଶ ପାଇନାହିଁ। ଏହାରି ଭିତରେ ୨୦୧୮-୨୯ ଓ ୨୦୧୯-୨୦୨୦ ଶିକ୍ଷାବର୍ଷରେ ଶହେରୁ ଅଧିକ ପିଲା  କଲେଜରେ ପିଜି ପାଇଁ ନାମ ଲେଖାଇ ଏବେ ହରଡ଼ଘଣାରେ ପଡିଛନ୍ତି । ୩ ବର୍ଷ ହେଲା କେବଳ ଫର୍ମ ଫିଲଅପ କରି ବସି ରହିଥିବା ବେଳେ  ୪ ଲେଖାଏଁ ସେମିଷ୍ଟାରରୁ ‌ଗୋଟିଏ ସେମିଷ୍ଟାରର ବି ପରୀକ୍ଷା ଦେଇପାରିନାହାନ୍ତି। ତେବେ କଲେଜର ସମସ୍ୟା ସଂପର୍କରେ ଜାଣି ପିଲାମାନେ ବର୍ଷକ ପରେ କଲେଜ ଛାଡ଼ିବାକୁ ଉଦ୍ୟମ କରିଥିବା ବେଳେ କଲେଜ କର୍ତ୍ତୃପକ୍ଷ ସେମାନଙ୍କୁ ଫର୍ମ ଫିଲଅପ୍ କରାଇଦେଇ ଫରୀକ୍ଷା ହେବା ଆଶ୍ବାସନା ଦେଇ ଫି ଆଦାୟ କରି ନେଇଛନ୍ତି। ଏବେ ବହୁ ବିଳମ୍ବ‌ ହୋଇଯାଇଥିବା ବେଳେ  ଚିନ୍ତାରେ ଭାଙ୍ଗି ପଡିଛନ୍ତି ଛାତ୍ରଛାତ୍ରୀ।

ତେବେ କଲେଜ ଓ ୟୁନିଭରସିଟି ଭିତରେ ଥିବା ଗୁପ୍ତ ବିବାଦ ଯୋଗୁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଏକ ପ୍ରକାର ନଷ୍ଟ ହେବାକୁ ବସିଛି। କଲେଜର ଦାବି ମୁତାବକ  ଶିକ୍ଷା ବିଭାଗ କଲେଜକୁ ପିଜି ଖୋଲିବାକୁ ଅନୁମତି ଦେଇଥିବା ବେଳେ ଅନଲାଇନ ଫର୍ମପୂରଣ ପାଇଁ ବି ସୁଯୋଗ ଦେଇ ଚାଲିଛି। କିନ୍ତୁ ପରୀକ୍ଷା କରାଇବା ଦାୟିତ୍ବ ଉତ୍କଳ ବିଶ୍ବବିଦ୍ୟାଳୟ ଅଧୀନରେ ରହିଥିବା ବେଳେ କେଉଁ କାରଣରୁ ବିଶ୍ବ ବିଦ୍ୟାଳୟ କର୍ତ୍ତୃପକ୍ଷ କଲେଜକୁ ପରୀକ୍ଷା କରିବାକୁ ଅନୁମତି ପ୍ରଦାନ କରୁନାହାନ୍ତି ବୋଲି କଲେଜ ପକ୍ଷରୁ କୁହାଯାଉଛି। କଲେଜ ବାରମ୍ବାର କୁଳପତିଙ୍କୁ ଭେଟି ପରୀକ୍ଷା କରିବାକୁ ନିଦେବନ କରୁଥିବା ବେଳେ ସେମାନେ କ‌ର୍ଣ୍ଣପାତ କରୁନଥିବା କଲେଜ ଅଧ୍ୟକ୍ଷ ପ୍ରଦୀପ କୁମାର ମଲ୍ଲିକ କହିଛନ୍ତି। ଅନ୍ୟ ପଟେ ଛାତ୍ରଛାତ୍ରୀମାନେ କଲେଜର ତ୍ର୍ରୁଟିକୁ ସାମ୍ନାକୁ ଆଣିଛନ୍ତି। କଲେଜରେ ପାଠପଢ଼ା ପାଇଁ ପିଏଚଡି ଅଧ୍ୟାପକ ନଥିବା ବେଳେ ଆବଶ୍ୟକୀୟ ଲାବର ସୁବିଧା ନାହିଁ। ଏହାକୁ ଗୁରୁତ୍ବ ଦେଇ ବିଶ୍ବବିଦ୍ୟାଳୟ କଲେଜର ପିଜି ପରୀକ୍ଷାକୁ  ଅନୁମତି ଦେଉନାହିଁ ବୋଲି କହିଛନ୍ତି। ତେବେ ଏନେଇ ଚିତାଳୋ କଲେଜ କର୍ତ୍ତୃପକ୍ଷ ଛାତ୍ରଛାତ୍ରୀଙ୍କ ନାମ ନେଇ  କୋର୍ଟର ଦ୍ବାରସ୍ଥ ହୋଇଛନ୍ତି। କିନ୍ତୁ ଯଦି ୪ ବର୍ଷ ହେଲା ପିଜି ପାଠପଢ଼ାକୁ ନେଇ କଲେଜରେ ସମସ୍ୟା ଦେଖା ଦେଉଛି ତ‌େବେ କାହିଁକି କଲେଜ କର୍ତ୍ତୃପକ୍ଷ ପିଜି ପାଠ୍ୟକ୍ରମକୁ ବନ୍ଦ କରି ଦେଉନାହାନ୍ତି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଯାହା ଫଳରେ ଚଳିତ ଶିକ୍ଷାବର୍ଷ ୨୦୨୦-୨୧ରେ ମଧ୍ୟ  ଉଭୟ ବିଭାଗରେ ୩୨ଟି ଲେଖାଏଁ ସିଟରେ ପିଲାମାନେ ନାମ ଲେଖାଇ ସାରିଛନ୍ତି। ଯାହକି ପୂର୍ବ ଦେଢ଼ଶହ ପିଲାଙ୍କ ପରି ତାଙ୍କ ଭବିଷ୍ୟତ ମଧ୍ୟ ଅନ୍ଧକାରକୁ ଠେଲି ହୋଇଯାଇଛି। ‌ତେବେ କଲେଜ କର୍ତ୍ତୃପକ୍ଷ ଉତ୍କଳ ବିଶ୍ବବିଦ୍ୟାଳୟକୁ ଦୋଷ ଦେଉଥିବା ବେଳେ ପରୀକ୍ଷାରୁ ବଂଚିତ ଛାତ୍ରଛାତ୍ରୀ କୁଳପତିଙ୍କୁ ଭେଟି ପରୀକ୍ଷା କରିବାକୁ ନିବେଦନ କରିଥିଲେ। କିନ୍ତୁ କୁଳପତି ବର୍ତମାନ ସେ କଲେଜରେ ପାଠପଢ଼ା ଉପଯୋଗୀ ପରିବେଶ ଓ ଅନ୍ୟାନ୍ୟ କାରଣରୁ ପରୀକ୍ଷା କରାଇବା ସମ୍ଭବ ନୁହେଁ କହିବା ସହ ପରୀକ୍ଷା କରାଇବାକୁ ଅନୁମତି ନାହିଁ ବୋଲି ସ୍ପଷ୍ଟ ଶୁଣାଇ ଦେଇଛନ୍ତି। ତେବେ ଏପରି ବିଶ୍ବ ବିଦ୍ୟାଳୟ ଓ କଲେଜର ଦୋଷ ଲଦାଲଦି ଭିତରେ ଅନେକ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ତେଣୁ ଆଜି କିଛି ଛାତ୍ରୀ କଲେଜ ସମ୍ମୁଖରେ ବସି ଧାରଣା ଦେଇଥିବା ବେଳେ କୌଣସି କଲେଜ କର୍ତ୍ତୃପକ୍ଷଙ୍କ ତାଙ୍କ କଥା ଶୁଣିନଥିଲେ। ଏମିତିକି କଲେଜ କର୍ତ୍ତୃପକ୍ଷ ୪ ବର୍ଷ ନଷ୍ଟ ହେବା ପରେ ବର୍ତମାନ ନିଜର ଟିସି ନେଇଯିବାକୁ କହୁଥିବା ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି। ତେବେ ବାଧ୍ୟ ହୋଇ ବିଭିନ୍ନ ଜିଲ୍ଲାରୁ ଆସିଥିବା ଛାତ୍ରୀ ଯାଜପୁର ଜିଲ୍ଲାପାଳଙ୍କୁ ଭେଟି ନ୍ୟାୟ ଭିକ୍ଷା କରିଛନ୍ତି। ତେବେ ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ଉପଜିଲ୍ଲାପାଳ ସରୋଜ କୁମାର ମହାପାତ୍ର  କଲେଜକୁ  ୭ ଦିନ ମଧ୍ୟରେ ରିପୋର୍ଟ ତଲବ କରିବାକୁ ନିର୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର