କାଳିଆପାଣି : ଟମକା ଥାନା ଉଚ୍ଚବାଲି ପଞ୍ଚାୟତ ଅନ୍ତର୍ଗତ ସନ୍ତରାଗାଡ଼ିଆ ଗାଁରେ ଗତ ୧୦ ତାରିଖ ମଙ୍ଗଳବାର ରାତି ଅଭାବନୀୟ କାଣ୍ଡ ଘଟିଛି। ଟଙ୍କା କରଜ ଓ ମାହାଜନୀ କାରବାରକୁ କେନ୍ଦ୍ର କରି ଜନୈକ ଋଣ ଗ୍ରହୀତା ଦଳିତ ଯୁବକଙ୍କୁ ଅପହରଣ ଓ ମାଡ଼ଗାଳି ଦେବା ପରେ ତାଙ୍କୁ ପାଇଖାନାରେ ବନ୍ଧକ ରଖି ରାତିସାରା ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି। ଶେଷରେ ପତ୍ନୀ ଓ ପରିବାର ସ୍ଥାନୀୟ ସରପଞ୍ଚଙ୍କୁ ସାଥୀରେ ଧରି ଘଟଣାସ୍ଥଳରେ ପହଞ୍ଚି ସଂପୃକ୍ତ ଯୁବକଙ୍କୁ ଉଦ୍ଧାର କରିଥିଲେ। ନିର୍ଯାତିତ ଯୁବକଙ୍କ ପତ୍ନୀ ଗତକାଲି ରାତି ଏ ସଂକ୍ରାନ୍ତରେ ଥାନାରେ ଏତଲା ଦାଏର କରିଛନ୍ତି। ପୁଲିସ୍ ଏହାର ପ୍ରାଥମିକ ତଦନ୍ତ କରୁଥିବା ସୂଚନା ମିଳିଛି।
ଉଚ୍ଚବାଲି ପଞ୍ଚାୟତ ଅନ୍ତର୍ଗତ କୁମ୍ଭନାଗରା ଗାଁର ଠିକାଦାର ବିଜୟ ଗୁରୁଙ୍କ ପତ୍ନୀ ଜାନକୀଙ୍କ ଏତଲାରୁ ପ୍ରକାଶ ଯେ, ସନ୍ତରାଗାଡ଼ିଆ ଗାଁର ସ୍ୱର୍ଗତ ଗଣେଶ୍ୱର ସାହୁଙ୍କ ପୁଅ ଶିଶିର କୁମାର ସାହୁ ମହାଜନୀ କାରବାର କରନ୍ତି। ତାଙ୍କ ସ୍ୱାମୀ ବିଜୟ ଶ୍ରୀ ସାହୁଙ୍କ ଠାରୁ ଟଙ୍କା କରଜ ନେଇଥିଲେ। ଗତ ସପ୍ତାହରେ ସେ ଟଙ୍କା ଫେରସ୍ତ କରିଥିଲେ। ହେଲେ ସମୂଳସୁଧ ବାବଦକୁ ଶୀ୍ର ସାହୁ ଅତିରିକ୍ତ ୧୨ ହଜାର ଟଙ୍କା ଦାବି କରିଥିଲେ। ବ୍ୟବସାୟରେ କ୍ଷତି ପାଇଁ ବିଜୟ ସେଦିନ ଶ୍ରୀ ସାହୁଙ୍କୁ ଦାବି ମୁତାବକ ଟଙ୍କା ଫେରାଇବାରେ ଅନିଛା ପ୍ରକାଶ କରିଥିଲେ। ଯାହାକି ବିବାଦର ମୂଳ କାରଣ ଥିଲା। ଗତ ୧୦ ତାରିଖ ଶ୍ରୀ ସାହୁ ସଂଧ୍ୟାରେ ବିଜୟଙ୍କୁ ଫୋନ୍ କରି ଗଉଡ଼ବାହାଳି ଛକକୁ ଡକାଇଥିଲେ। ନିଜ ବାଇକ୍ରେ ବିଜୟ ପହଞ୍ଚିବା ପରେ ଶିଶିର ଉକ୍ତ ବାଇକ୍ ଚାବି ଓ ମୋବାଇଲ୍ ଫୋନ୍ ଛଡ଼ାଇ ନେଇଥିଲେ। ଶିଶିର ଉକ୍ତ ବାଇକ୍ ଷ୍ଟାର୍ଟ କରି ବିଜୟଙ୍କୁ ମଝିରେ ଓ ସହଯୋଗୀ ଉଚ୍ଚବାଲି ଗାଁର ଚିନ୍ତାମଣି ସାହୁଙ୍କୁ ଜଗୁଆଳି ଭାବେ ପଛରେ ବସାଇ ସନ୍ତରାଗାଡ଼ିଆସ୍ଥିତ ନିଜ ଘରକୁ ଆଣିଥିଲେ। ପଛରେ ଅନ୍ୟ ଏକ ବାଇକ୍ରେ ସନ୍ତରାଗାଡ଼ିଆ ଗାଁର ଶଙ୍କର୍ଷଣ ସାହୁଙ୍କ ପୁଅ ତ୍ରିଲୋଚନ ଓ ଶୁକ ସାହୁଙ୍କ ପୁଅ ଚକ୍ରଧର ତାଙ୍କୁ ଏସ୍କର୍ଟ କରିଥିଲେ। ଶିଶିର ଓ ତିନି ସହଯୋଗୀ ବିଜୟଙ୍କୁ ଅଶ୍ଳୀଳ ଭାଷାରେ ଗାଳିକରି ନିସ୍ତୁକ ମାଡ଼ ମାରିଥିଲେ। ତ୍ରିଲୋଚନ ତଣ୍ଟିକୁ ଚିପି ଧରିଥିଲେ। ଶେଷରେ ବିଜୟଙ୍କୁ ତାଙ୍କ ପାଇଖାନାରେ ପୁରାଇ ବାହାର ପଟୁ ବନ୍ଦ୍ କରି ଦିଆଯାଇଥିଲା ବୋଲି ଅଭିଯୋଗ ହୋଇଛି। ରାତି ସାଢ଼େ ୧୧ଟା ସମୟରେ ସେହି ଗାଁର ଉଗ୍ରସେନ ସାହୁଙ୍କ ପରାମର୍ଶରେ ବିଜୟଙ୍କୁ ପାଇଖାନାରୁ ବାହାର କରିବା ପରେ ତାଙ୍କୁ ଅନ୍ୟ ଏକ କୋଠରୀରେ ରଖା ଯାଇଥିଲା।
ଅପରପକ୍ଷରେ ବିଜୟଙ୍କ ପତ୍ନୀ, ସାନଭାଇ ଅଜୟ, ଭାଇବୋହୂ ରାନୁ ଓ ଶଳା ଅକ୍ଷୟ ବିଳମ୍ବିତ ରାତି ପର୍ଯ୍ୟନ୍ତ ତାଙ୍କ ସନ୍ଧାନ ନପାଇବାରୁ ସ୍ଥାନୀୟ ସରପଞ୍ଚ ମଦନ ମୋହନ ସାହୁଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ। ସେମାନେ ସମସ୍ତେ ସରପଞ୍ଚଙ୍କୁ ସାଥୀରେ ଧରି ଗତକାଲି ଭୋର ସାଢ଼େ ୪ଟା ବେଳେ ବିଜୟଙ୍କୁ ଉକ୍ତ କୋଠରୀରେ ଠାବ କରିଥିଲେ। ଏହି ସମୟରେ ଶିଶିର ସାହୁ ଧମକଚମକ ଦେଇ ସମସ୍ତଙ୍କଠୁ ଏକ ସାଦା କାଗଜରେ ଦସ୍ତଖତ କରାଇବା ପରେ ବନ୍ଧକ ରଖିଥିବା ବିଜୟଙ୍କୁ ଛାଡ଼ିଥିଲେ।
କରଜରୁ କଳି: ପାଇଖାନାରେ ପୂରାଇ ବନ୍ଧକ
/sambad/media/post_attachments/wp-content/uploads/2018/07/rupees-2.jpg)