ଯାଜପୁର/କେନ୍ଦ୍ରାପଡା/ଜଗତ୍‌ସିଂହପୁର : ଲଘୁଚାପଜନିତ ବର୍ଷା ଯୋଗୁ ଧାନଚାଷ ଉଜୁଡ଼ିବା ନେଇ ଯେଉଁ ଆଶଙ୍କା ପ୍ରକାଶ ପାଇଥିଲା, ତାହା ସତ ହେବାକୁ ବସିଛି। ଆଜି ଯେତିକି ବର୍ଷା ହୋଇଛି, ଆଗାମୀ କିଛିଦିନ ଧରି ସେହି ପରିମାଣ କିମ୍ବା ତଦୁର୍ଦ୍ଧ୍ୱ ବର୍ଷା ହେଲେ ଚାଷୀମାନଙ୍କ ମେରୁଦଣ୍ଡ ଭାଙ୍ଗିବା ଥୟ! ଉପକୂଳ ଅନ୍ତର୍ଗତ ୩ଟି ଜିଲ୍ଲାରେ ଧାନଫସଲ ତ ଯିବ, ଯାଜପୁରରେ ଧାନ ସହ ପନିପରିବା ଓ ଚିନାବାଦାମ ଫସଲ ବି ନଷ୍ଟ ହୋଇଯିବ। ତିନିଟି ଜିଲ୍ଲାର ପାଖାପାଖି ୩ ଲକ୍ଷ ହେକ୍ଟର ଚାଷଜମି ପ୍ରତି ବିପଦ ସୃଷ୍ଟି ହୋଇଛି।

Advertisment

ଯାଜପୁର ଜିଲ୍ଲାରେ ୬୬.୭ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଗତବର୍ଷ ୩୮୯ ମିମି ବର୍ଷା ହୋଇଥିବାବେଳେ ପାଣିପାଗ କାର୍ଯ୍ୟାଳୟ ପୁର୍ନାନୁମାନ ଅନୁଯାୟୀ ଆଗାମୀ ୨ ଦିନ ଧରି ବର୍ଷା ହେଲେ, ଏହି ରେକର୍ଡ ଅତିକ୍ରମ କରିବାର ଯଥେଷ୍ଟ ସମ୍ଭାବନା ରହିଛି। ଆଜି ଯେତିକି ପରିମାଣର ବର୍ଷା ହୋଇଛି, ତାହା ପ୍ରାୟତଃ ସବୁ ବ୍ଲକ୍‌କୁ ଆଚ୍ଛାଦିତ କରିଛି। ଏହାର ପ୍ରଭାବରେ ଚାଷୀକୁଳ ମନରେ ଛନ୍‌କା ପଶିଛି। ବହୁ ଜାଗାରେ ଧାନଗଛ ମୁଣ୍ଡ ନୁଆଁଇବା ବି ଆରମ୍ଭ କରିଛି। ଯାଜପୁର ଜିଲ୍ଲାରେ ସମୁଦାୟ ୧ ଲକ୍ଷ ୧୧ ହଜାର ହେକ୍ଟର ଜମିରେ ଧାନଚାଷ ହୋଇଛି। ଦୁଇତିନି ଦିନର ବର୍ଷା ଶତ ପ୍ରତିଶତ ଚାଷଜମିକୁ କ୍ଷତି ଘଟାଇବ ବୋଲି ଆଶଙ୍କା ପ୍ରକାଶ ପାଇଛି। କେବଳ ଧାନଚାଷ ନୁହେଁ, ପନିପରିବା ଓ ଡାଲିଜାତୀୟ ଫସଲ ପାଇଁ ମଧ୍ୟ ଏହି ଜିଲ୍ଲାର ସ୍ୱତନ୍ତ୍ରତା ରହିଛି। ଶହଶହ ଚାଷୀଙ୍କ ଆର୍ଥକ ପରିବର୍ତ୍ତନ ବି ଏହା ଉପରେ ନିର୍ଭର କରିଥାଏ। ଚଳିତବର୍ଷ ୩୫ ହଜାର ହେକ୍ଟର ଜମିରେ ପନିପରିବା ଚାଷ ହୋଇଥିବାବେଳେ ୧୦ରୁ ୧୧ ହଜାର ହେକ୍ଟର ଜମିରେ ଡାଲିଜାତୀୟ ଫସଲ ଚାଷ କରାଯାଇଛି। ଠିକଣା ସମୟରେ ଚାଷୀମାନେ ପନିପରିବା,ଚିନାବାଦାମ ବୁଣି ସାରିଛନ୍ତି। ଧାନଚାଷ ସହିତ ଏହି ଫସଲ ମଧ୍ୟ ଉଜୁଡ଼ିବାର ଆଶଙ୍କା ଦେଖାଦେଇଛି।

ଅନ୍ୟ ଦୁଇଟି ଜିଲ୍ଲା କେନ୍ଦ୍ରାପଡା ଓ ଜଗତ୍‌ସିଂହପୁରରେ ମୁଖ୍ୟତଃ ଧାନଚାଷ ହିଁ ହୋଇଥାଏ। ସେଥିମଧ୍ୟରୁ ପ୍ରାୟତଃ ୯୦ ପ୍ରତିଶତ ଲୋକ ଖରିଫ୍‌ ଋତୁ ଧାନ ଚାଷ ଉପରେ ନିର୍ଭର କରିଥା’ନ୍ତି। ଏଠାରେ ମଧ୍ୟ ବର୍ଷାଯୋଗୁ ଧାନଚାଷ ଉଜୁଡ଼ିବା ନେଇ ଆଶଙ୍କା ସୃଷ୍ଟି ହୋଇଛି।

ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, କେନ୍ଦ୍ରାପଡାରେ ଆଜି ମୋଟ ୪୩.୪ ମିଲିମିଟର ବର୍ଷା ହୋଇଛି। ଏହି ବର୍ଷା ଦିନେ ଦୁଇ ଦିନ ଲାଗି ରହିଲେ ଅବସ୍ଥା ଅସମ୍ଭାଳ ହୋଇ ପଡ଼ିବ । ଜିଲ୍ଲାରେ ପାୟ ୧ ଲକ୍ଷ ୨୪ ହଜାର ହେକ୍ଟର ଧାନ ଚାଷ ହୋଇଛି। ସେଥିରୁ ୪୦ ପ୍ରତିଶତ ଧାନ ପାଚି ଆସିଲାଣି । ଆଜିର ବର୍ଷା ଅପେକ୍ଷା କାଲିର ସମ୍ଭାବ୍ୟ ପବନ ଓ ବର୍ଷା ଚାଷୀଙ୍କ ପାଇଁ ଘାତକ ସାଜିବ ବୋଲି କୃଷି ବିଭାଗ ଆଶଙ୍କା ବ୍ୟକ୍ତ କରିଛି।

ସେହିଭଳି, ଜଗତ୍‌ସିଂହପୁର ଜିଲ୍ଲାର ସମସ୍ତ ବ୍ଲକ୍‌ର ମଧ୍ୟମଧରଣର ବର୍ଷା ଲାଗିରହିଛି। ଜିଲ୍ଲାରେ ମୋଟ୍‌ ୫୭ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଏହାର ପ୍ରଭାବରେ ଧାନଫସଲ ନଷ୍ଟ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି। ଚଳିତବର୍ଷ ୮୫,୧୦୫ ହେକ୍ଟର ଧାନଚାଷ କରାଯାଇଛି। ସେଥିମଧ୍ୟରୁ ଆଜିର ପ୍ରଥମ ଦିନ ବର୍ଷାରେ ୩୫ ହଜାର ହେକ୍ଟର ଚାଷଜମି ପାଣିରେ ଆଂଶିକ କିମ୍ବା ସମ୍ପୂର୍ଣ୍ଣ ବୁଡ଼ି ଯାଇଥିବା ଜଣାପଡ଼ିଛି।

ଏହି ବର୍ଷା ଆଗାମୀ ୩ ଦିନ ପର୍ଯ୍ୟନ୍ତ ଲାଗିରହିଲେ, ପରିସ୍ଥିତି ଜଟିଳ ହୋଇପଡ଼ିବ। ଏବଂ, ଚାଷଜମି ସମ୍ପୂର୍ଣ୍ଣ ଉଜୁଡିଯିବ। ଏକ ଆକଳନ ଅନୁସାରେ ପ୍ରଥମ ଦିନରେ ପାଖାପାଖି ହାରାହାରି ୩୦ ପ୍ରତିଶତ ଫସଲ ପାଣିରେ ସମ୍ପୂର୍ଣ୍ଣ କିମ୍ବା ଆଂଶିକ ଶୋଇଯାଇଥିବା ଦେଖିବାକୁ ମିଳିଛି। ଏଭଳି ପରିସ୍ଥିତିରେ କୃଷି ବିଭାଗ ହାତଟେକି ଦେଇଛି। କେନ୍ଦ୍ରାପଡା କୃଷି ବିଭାଗ ଉପନିର୍ଦ୍ଦେଶକ ମିତ୍ରୋଦୟ ଦାଶ କହିଛନ୍ତି, ବର୍ଷା ପବନରେ ଧାନ ପଡ଼ିଗଲେ ଆମେ ସମସ୍ତେ ନାଚାର। ତେବେ, ଜିଲ୍ଲାର ବର୍ତମାନ ପରିସ୍ଥିତି ସମ୍ପର୍କରେ ସେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଛନ୍ତି।

କେନ୍ଦୁଝରରେ ହନ୍ତସନ୍ତ ଧାନ ଚାଷୀ : ପୋକ ଉଜାଡ଼ିଥିଲା, ବର୍ଷା ଦାଉ ସାଧିଲା

publive-imageକେନ୍ଦୁଝର : କେନ୍ଦୁଝର ଜିଲ୍ଲାରେ ଧାନଚାଷୀଙ୍କ ପିଛା ଛାଡୁନି ବିପର୍ଯ୍ୟୟ। ପ୍ରଥମେ ମରୁଡିରେ ଫସଲ ନଷ୍ଟ ହୋଇଥିବା ବେଳେ ରୋଗପୋକ ଆକ୍ରମଣ ଯୋଗୁ ଜିଲ୍ଲାର ୮ଟି ବ୍ଲକରେ ଧାନଫସଲ ବହୁଳ ଭାବେ କ୍ଷତିଗ୍ରସ୍ତ ହୋଇଛି। ତେବେ ମରୁଡି ଓ ପୋକ ଦାଉରୁ ଯେନତେନେ ରକ୍ଷା ପାଇ ଯାଇଥିବା ଧାନଫସଲ ଉପରେ ବର୍ତ୍ତମାନ ଅଦିନିଆ ବର୍ଷା ଦାଉ ସାଧିଛି। ବର୍ଷା ଯୋଗୁ କିଛି ସ୍ଥାନରେ ଧାନ ନଷ୍ଟ ହୋଇଥିବା ବେଳେ ଖଳାରେ ଥିବା ଧାନବିଡ଼ା ବି ଗଜା ହେବାର ଆଶଙ୍କା ସୃଷ୍ଟି ହୋଇଛି ।

କୃଷି ବିଭାଗର ତଥ୍ୟ ଅନୁସାରେ, କେନ୍ଦୁଝର ଜିଲ୍ଲାର ମୋଟ ୧୩ଟି ବ୍ଲକ ମଧ୍ୟରୁ ତେଲକୋଇ ବ୍ଲକରେ ୨୨ଟି ପଞ୍ଚାୟତରେ କମ ବୃଷ୍ଟିପାତ ଓ ଜଳସେଚନ ଅଭାବରୁ ଫସଲ ନଷ୍ଟ ହୋଇଛି। ତେଲକୋଇ ବ୍ଲକର କାଳିଆହତା, ବଳଭଦ୍ରପୁର, ସିରିଗିଡା, ପଡାଙ୍ଗ, କରମଙ୍ଗୀ, ବିମଳା, ବିଂଝବାହାଳ, ଜଗମୋହନପୁର, ଖୁଣ୍ଟାପଡା, ତେଲକୋଇ, ଦେଉଳଡିହା, କରଦାଙ୍ଗି, ଓରିୟା, ସଲେଇକନା, ଆକୁଳ, ଭୀମକାଣ୍ଡ, ରାଇସୁଅାଁ, ପୁରୁଯୋଡା, ଶିବନାରାୟଣପୁରଗୋଡା, ତାଳପଦା, ଛାମୁଣ୍ଡା, ଦେଦାବଲପାଳ ଆଦି ପଞ୍ଚାୟତ ମରୁଡି ପ୍ରଭାବିତ। ଏହି ବ୍ଳକରେ ମୋଟ ୧୦୧୫ ହେକ୍ଟର ଚାଷ ଜମି ମରୁଡି ପ୍ରଭାବିତ ବୋଲି ସରକାରୀସ୍ତରରେ ଆକଳନ ହୋଇଥିଲେ ହେଁ ବାସ୍ତବରେ କ୍ଷୟକ୍ଷତି ୫ ହଜାର ହେକ୍ଟରରୁ ଊର୍ଦ୍ଧ୍ୱ ହେବ ବୋଲି କୁହାଯାଉଛି।

ସେହିପରି ଜିଲ୍ଲାର ୮ଟି ବ୍ଲକ ପୋକ ଆକ୍ରମଣ ଦ୍ୱାରା କ୍ଷତିଗ୍ରସ୍ତ ହୋଇଛି। ଯଦିଓ ପୋକ ଆକ୍ରମଣ ଦ୍ୱାରା ଫସଲ ନଷ୍ଟ ପରିମାଣ ମାତ୍ର ୭୭.୪୭ ହେକ୍ଟର ଜମି ବୋଲି କୃଷି ବିଭାଗ ପକ୍ଷରୁ ଦର୍ଶାଯାଉଛି, ମାତ୍ର ଏହା ୫ ଶହ ହେକ୍ଟରରୁ ଅଧିକ ହେବ ବୋଲି ନବନିର୍ମାଣ କୃଷକ ସଂଘର ଜିଲ୍ଲା ମୁଖ୍ୟ ଶେକ୍‌ ମୋବିନ୍‌ ସୂଚନା ଦେଇଛନ୍ତି। ଗତକାଲିଠାରୁ ଅଦିନିଆ ବର୍ଷା ଲାଗି ରହିଥିବାରୁ ଜିଲ୍ଲାର ବିଭିନ୍ନ ଅଂଚଳରେ ଧାନଫସଲ ନଷ୍ଟ ହେବାର ଆଶଙ୍କା ଦେଖାଦେଇଛି।