ହରିପୁର: ରସୁଲପୁର ବ୍ଲକ୍ ଅନ୍ତର୍ଗତ ନରସିଂହପୁର ପଞ୍ଚାୟତର ହରିପୁର ଜଗନ୍ନାଥ ମଠରେ ଶ୍ରୀଗୁଣ୍ଡିଚା ରଥଯାତ୍ରା ଅନୁଷ୍ଠିତ ହୋଇଛି। ଗତକାଲି ଅପରାହ୍ଣରେ ଶ୍ରଦ୍ଧାଳୁମାନେ ୩ଟି ରଥକୁ ଟାଣିନେଇ ବଡ଼ଗୋବିନ୍ଦପୁରସ୍ଥିତ ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚାଇଥିଲେ। ପ୍ରତ୍ୟୁଷରୁ ସ୍ଵପ୍ନେଶ୍ୱରପୁର ଶାସନର ବ୍ରାହ୍ମଣଙ୍କ ଦ୍ଵାରା ମଙ୍ଗଳ ଆଳତି, ମଇଲମ, ଅବକାଶ, ରୋଷ ହୋମ, ସୂର୍ଯ୍ୟ ପୂଜା, ଦ୍ଵାରପାଳ ପୂଜା, ବେଶ କରାଯାଇ ଗୋପାଳବଲ୍ଲଭ, ସକାଳଧୂପ ସମ୍ପନ୍ନ ହେବାପରେ ଶ୍ରୀଜିଉମାନଙ୍କର ସେନାପଟା ଲାଗି କରାଯାଇଥିଲା। ପରେ ନେତ୍ରୋତ୍ସବ, ରଥ ପ୍ରତିଷ୍ଠା କାର୍ଯ୍ୟ ସମ୍ପାଦିତ ହୋଇଥିଲା। ଅପରାହ୍ଣ ୨ଟାରେ ଶ୍ରୀଜିଉମାନଙ୍କ ପହଣ୍ଡି ବିଜେ କରାଯାଇଥିଲା। ସୁଦର୍ଶନ, ବଳଦେବ, ସୁଭଦ୍ରା ଓ ଜଗନ୍ନାଥଙ୍କୁ ରଥାରୂଢ଼ କରାଯାଇଥିଲା। ମନ୍ଦିର ପରିଚାଳନା କମିଟି ସଭ୍ୟ ବାଇଧର ନାୟକ ତିନିରଥରେ ଛେରା ପହଁରା କରିଥିଲେ। ଅପରାହ୍ଣ ୪ଟାରେ ରଥଟଣା ଆରମ୍ଭ ହୋଇଥିଲା। ତାଳଧ୍ଵଜ ଓ ନନ୍ଦିଘୋଷ ରଥକୁ ପୁରୁଷମାନେ ଟାଣିଥିବା ବେଳେ ସୁଭଦ୍ରାଙ୍କ ଦେବଦଳନ ରଥକୁ ମହିଳାମାନେ ଟାଣି ନେଇ ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚାଇଥିଲେ।
ହଜାରହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ଶାନ୍ତି ଶୃଙ୍ଖଳାର ସହ ରଥଯାତ୍ରା ସମ୍ପନ୍ନ ହୋଇଥିବାରୁ ପୁଲିସ ପ୍ରଶାସନ ଓ ସ୍ଥାନୀୟ ଜନସାଧାରଣଙ୍କୁ ମନ୍ଦିର ପରିଚାଳନା କମିଟିର ସମ୍ପାଦକ ପରମାନନ୍ଦ ସାହୁ ଓ ଟ୍ରଷ୍ଟି ସନାତନ ସାହୁ ଧନ୍ୟବାଦ ଜଣାଇଥିଲେ। ସେହିପରି ରସୁଲପୁର ବ୍ଲକ୍ ଓ ଯାଜପୁର ସଦର ଅଞ୍ଚଳର ସାହାସପୁର, ବେରୁଦା, ମତାବାଜ ଓ ବଡ଼ ତ୍ରିଲୋଚନପୁର ଆଦି ସ୍ଥାନରେ ଥିବା ଶ୍ରୀଜଗନ୍ନାଥ ମନ୍ଦିରରେ ରଥଯାତ୍ରା ଅନୁଷ୍ଠିତ ହୋଇଥିଲା।