କାଳିଆପାଣି (ରବି ନାରାୟଣ କର): କାଳିଆପାଣି ଖଣିଅଞ୍ଚଳରେ ଧରା ପଡ଼ୁନାହାନ୍ତି ଟ୍ରାନ୍ସଫର୍ମର ଲୁଟେରା। ୫ ବର୍ଷ ମଧ୍ୟରେ ବିଭିନ୍ନ ସ୍ଥାନରୁ ୧୦ଟି ଟ୍ରାନ୍ସଫର୍ମର କାଟି ଏଥିରୁ ତମ୍ବା ଓ ଦାମୀ ଯନ୍ତ୍ରାଂଶ ଲୁଟ୍‌ କରି ଅବଶିଷ୍ଟାଂଶକୁ ଫିଙ୍ଗି ପଳାଇଛନ୍ତି। ୫୦ ଲକ୍ଷ ଟଙ୍କାର ଯନ୍ତ୍ରପାତି ଚୋରି ସହ ସଂପୃକ୍ତ କମ୍ପାନି କୋଟିଏରୁ ଅଧିକ ଟଙ୍କାର କ୍ଷତି ସହିଛନ୍ତି। ତେବେ ଏଯାବତ୍ ଏହି ଲୁଟ୍‌ପାଟ୍‌ ଘଟଣାରେ ଜଣେ ହେଲେ ଲୁଟୋରାକୁ ପୁଲିସ ଗିରଫ ଦୂରେ ଥାଉ ସାଧାରଣରେ ଚିହ୍ନଟ କରିପାରିନଥିବା ବିଭାଗୀୟ ଦୁର୍ବଳତାକୁ ପଦାରେ ପକା‌ଇ ଦେଇଛି।

Advertisment

ଗତ ଡିସେମ୍ବର ୩୧ ତାରିଖ ରାତି ଥାନାରୁ ୫ ଶହ ମିଟର ଦୂର ଇମ୍ଫା ଖଣିରୁ ୧୦ ଲକ୍ଷ ଟଙ୍କା ମୂଲ୍ୟର ଏକ ଉଚ୍ଚଶକ୍ତି କ୍ଷମତା ସଂପନ୍ନ ଚଳନ୍ତା ଟ୍ରାନ୍ସଫର୍ମରକୁ ଦୁର୍ବୃତ୍ତମାନେ କାଟି ଏଥିରୁ ତମ୍ବା ଲୁଟିଥିଲେ। ୨୦୨୪ ଡିସେମ୍ବର ୧୦ ତାରିଖରେ ମେଗା ପାନୀୟଜଳ ପ୍ରକଳ୍ପ କାଙ୍କଡ଼ପାଳ ଗନ୍ତାୟତ କାଟେଣି ଓଭରହେଡ୍ ପାଣିଟାଙ୍କି ପରିସରସ୍ଥ ଷ୍ଟ୍ରକ୍ଚର ଓ ଏହାର କିଛିଦିନ ପୂର୍ବରୁ ସୁକିନ୍ଦା ଥାନା ମଙ୍ଗଳପୁର ଓଭରହେଡ୍ ଟାଙ୍କି ପରିସରରୁ ଅନ୍ୟ ଏକ ଟ୍ରାନ୍ସଫର୍ମର କଟା ଯାଇଥିଲା।

ସେହିବର୍ଷ ଅଗଷ୍ଟ ୧୧ ତାରିଖରେ ଥାନାରୁ ଦେଢ଼ଶହ ମିଟର ଦୂର ଓଡ଼ିଶା ଖଣି ନିଗମ(ଓଏମ୍‌ସି)ର ଅତିଥିଶାଳା ସମ୍ମୁଖ ଜଙ୍ଗଲରୁ ୩ ଶହ କିଲୋ ଭୋଲ୍ଟ୍ କ୍ଷମତାର ଟ୍ରାନ୍ସଫର୍ମରକୁ କାଟି ଦୁର୍ବୃତ୍ତମାନେ ୨ କ୍ବିଣ୍ଟାଲରୁ ଅଧିକ ଓଜନର ତମ୍ବା ଲୁଟିଥିଲେ। ସେଠାରୁ ୩ ବର୍ଷ ତଳେ ସମାନ କ୍ଷମତା ସଂପନ୍ନ ଓ ମୂଲ୍ୟର ଅନ୍ୟ ଏକ ଟ୍ରାନ୍ସଫର୍ମରକୁ କାଟି ଦୁର୍ବୃତ୍ତମାନେ ଏଥିରୁ ଯନ୍ତ୍ରାଂଶ ଚୋରି କରିଥିଲେ। ୨୦୨୪ ମସିହା ମେ ମାସ କାଳିଆପାଣି ଟାଉନସିପ ପାଖ ଡମଶାଳ ନାଳ ପାଖରୁ ଲୁଟେରାମାନେ ଓଏମ୍‌ସିର ୨୫୦ ମିଟର ଦାମୀ କେବୁଲ ଲୁଟିଥିଲେ। ୨୦୨୨ ମସିହା ଡିସେମ୍ବର ୯ ତାରିଖ ଓଏମ୍‌ସି କଲରଙ୍ଗି କ୍ରୋମାଇଟ୍‌ ଖଣି ପରିସରସ୍ଥ ଷ୍ଟ୍ରକ୍ଚର ପାର୍ଶ୍ବସ୍ଥ ୫ଟି ଗାଁକୁ ବିଦ୍ୟୁତ ସରବରାହ ବ୍ୟବସ୍ଥା ଥିବା ୧୦୦ କେଭି ଟ୍ରାନ୍ସଫର୍ମର ଲୁଟେରାଙ୍କ ଦ୍ବାରା କଟା ଯାଇଥିବା ‌ଦେଖାଯାଇଥିଲା। ଏହାବାଦ୍ ଗତ ୨ ବର୍ଷ ମଧ୍ୟରେ କାଳିଆପାଣି ଥାନାରୁ ୧୦ କିଲୋମିଟର ବ୍ୟ‌ାସାର୍ଦ୍ଧରେ ସୀମାନ୍ତ ଢେଙ୍କାନାଳଜିଲ୍ଲା କଙ୍କଡ଼ାହାଡ଼ ଓ ଭୁବନ ଥାନା ଇଲାକାରୁ ସମାନ ଉପାୟରେ ଆଉ ୪ଟି ଟ୍ରାନ୍ସଫର୍ମର ଲୁଟ୍‌ ହୋଇଥିବା ସଂପୃକ୍ତ ଗ୍ରାମବାସୀ ଅଭିଯୋଗ କରନ୍ତି।

ଗତ ୭ ତାରିଖ ଲୁଟ୍‌ ଉଦ୍ୟମ ବେଳେ ସୁକିନ୍ଦା ଥାନା ସଂସାଇଲୋ ପାଟପୁର ଜିଓ ଟାୱାର ଉପରୁ ଜଣେ ଲୁଟେରାକୁ ପୁଲିସ ଗିରଫ କରିଥିଲା। ଅନ୍ୟ ୨ ସହ‌ଯୋଗୀ ଫେରାର୍‌ ‌ହୋଇଯାଇଥିଲେ। ସଂପୃକ୍ତ ୩ ଜଣଯାକ ଅଭିଯୁକ୍ତ କାଳିଆପାଣିରୁ ୬ କିଲୋମିଟର ଦୂର କଙ୍କଡ଼ାହାଡ଼ ଥାନା କାଠପାଳ ଇଲାକାର ବୋଲି ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଟ୍ରାନ୍ସଫର୍ମର ଲୁଟ୍‌ ରାକେଟ୍‌ରେ ୪ ରୁ ୫ ଜଣ ପେସାଦାର ଲୁଟେରା ଥିବା ଜଣାପଡ଼ିଛି। ଚୋରା ତମ୍ବାତାର ଖଣିଅଞ୍ଚଳ ଉପକଣ୍ଠ କଂସାପିତ୍ତଳ ବାସନକୁସନ ଓ ମୂର୍ତ୍ତିର କୁଟୀର ଶିଳ୍ପ ପାଇଁ ପ୍ରସିଦ୍ଧ ଭୁବନରେ ବିକ୍ରି ହେଉଥିବା କୁହାଯାଉଛି। ସୁକିନ୍ଦା ପୁଲିସ ହାତରେ ଧରାପଡ଼ିଥିବା ଲୁଟେରାଙ୍କୁ ଖିଅ କରି ଧାରାବାହିକ ଟ୍ରାନ୍ସଫର୍ମର ଲୁଟ୍‌ ଓ ରାକେଟ୍‌ର ପର୍ଦ୍ଦାଫାସ କରାଯାଇପାରନ୍ତା ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି। ଏ ସଂପର୍କରେ ନବନିଯୁକ୍ତ ଥାନା ଅଧିକାରୀ ପ୍ରକାଶ ଚନ୍ଦ୍ର ପ୍ରଧାନଙ୍କୁ ପଚାରିବାରେ ସେ ପରିସ୍ଥିତି ଅନୁଧ୍ୟାନ କରି ପଦକ୍ଷେପ ନେବେ ବୋଲି କହନ୍ତି।**(ଫଟୋଅଛି)*