୧୫ ଶହ ଟଙ୍କା ଲାଞ୍ଚ ନେଇ ଆର୍‌ଆଇ ଗିରଫ

ଚଣ୍ଡିଖୋଲ : ୧୫ ଶହ ଟଙ୍କା ଲାଞ୍ଚ ନେଇ ଯାଜପୁର ଜିଲ୍ଲା ଦର୍ପଣ ତହସିଲ୍‌ ଅନ୍ତର୍ଗତ ଖଇରା ସର୍କଲରେ କାର୍ଯ୍ୟରତ ରାଜସ୍ୱ ନିରୀକ୍ଷକ ଶ୍ୟାମସୁନ୍ଦର ବିଶ୍ୱାଳ ଆଜି ଗିରଫ ହୋଇଛନ୍ତି। ଜମିଜମା କିସମ ପରିବର୍ତ୍ତନ ପାଇଁ ସେ ଏହି ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ହାତରେ ଧରାପଡ଼ିଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, କେନ୍ଦ୍ରାପଡ଼ାଟାଉନ୍‌ ଅନ୍ତର୍ଗତ କାକଟ ଅଞ୍ଚଳର ଶାରଦା ପ୍ରସନ୍ନ ସାହୁ ଖଇରା ସର୍କଲ ଅଧୀନସ୍ଥ ଚଣ୍ଡିତଳ ପଞ୍ଚାୟତର ଜୋରାବାଟୀରେ ଏକ ଜମି କିଣିଥିଲେ। ଏହି ଜମିର କିସମ ପରିବର୍ତ୍ତନ ପାଇଁ ସେ ଆବେଦନ କରିଥିଲେ। ଆର୍‌ଆଇ ଶ୍ରୀ ବିଶ୍ୱାଳ ଏଥିପାଇଁ ୧୫ ଶହ ଟଙ୍କା ଲାଞ୍ଚ ମାଗିଥିଲେ। ଶ୍ରୀ ସାହୁ ଏଥିରେ ପ୍ରତିକ୍ରିୟାଶୀଳ ହୋଇ ଭିଜିଲାନ୍‌ସ ଅଧିକାରୀଙ୍କ ସହ ଯୋଗାଯୋଗ କରିଥିଲେ । ଆଜି ସଂଧ୍ୟାରେ ସେ ଖଇରା ଆର୍‌ଆଇ କାର୍ଯ୍ୟାଳୟରେ ପହଞ୍ଚି ୧୫ ଶହ ଟଙ୍କା ପ୍ରଦାନ କରିଥିଲେ। ଏହି ସମୟରେ ସେଠାରେ ପୂର୍ବରୁ ଛପି ରହିଥିବା ଭିଜିଲାନ୍‌ସ ଅଧିକାରୀ ଏହି ଲାଞ୍ଚ ଟଙ୍କା ଜବତ କରିବା ସହିତ ଶ୍ରୀ ବିଶ୍ୱାଳଙ୍କୁ ଗିରଫ କରିଥିଲେ।

ଭିଜିଲାନ୍ସ ଅଧିକାରୀ ଅନନ୍ତ ନାରାୟଣ ମହାନ୍ତି ଓ ଅନୁସୂୟା ସେନାପତି ଏହି ଚଢ଼ାଉର ନେତୃତ୍ୱ ନେଇଥିଲେ।

ସମ୍ବନ୍ଧିତ ଖବର