ଘେରିବନ୍ଧ ନିର୍ମାଣରେ ବଡ଼ଧରଣର ଅନିୟମିତତା, ସମୟ ଗଡ଼ିଗଲାଣି, ଅଧା ବି ସରିନି

ବିଂଝାରପୁର: ଯାଜପୁର ଜିଲ୍ଲା ବିଂଝାରପୁର ଜଳସଂପଦ ବିଭାଗ ଅଧୀନ ବାଳୁଙ୍ଗାପାଟିଆ ଘେରିବନ୍ଧ ନିର୍ମାଣରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ପରେ ଦୁଇଦିନ ତଳେ ଭିଜିଲାନ୍‌ସ ଟିମ୍‌ ଆସି ଏହାର ତଦନ୍ତ କରିଥିଲେ। ପ୍ରାଥମିକ ତଦନ୍ତରୁ ନିମ୍ନମାନର କାର୍ଯ୍ୟ ହୋଇଥିବା ଏହି ଟିମ୍‌ ଜାଣିବାକୁ ପାଇଛି। ହେଲେ ଏଯାଏ ଏହା ଉପରେ ନା ଭିଜିଲାନ୍‌ସ ନା ଜଳସଂପଦ ବିଭାଗ କିମ୍ବା ଜିଲ୍ଲା ପ୍ରଶାସନ ଠୋସ୍‌ କାର୍ଯ୍ୟାନୁଷ୍ଠାନ ନେଇନାହାନ୍ତି।

ମିଳିଥିବା ତଥ୍ୟ ଅନୁସାରେ, ନାବାର୍ଡ ସହାୟତାରେ ୪ କୋଟି ୮୧ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ୫ କିଲୋମିଟର ଦୈର୍ଘ୍ୟବିଶିଷ୍ଟ ନଦୀବନ୍ଧ (ମଢ଼ିଆଳୀ-ଡିହସାହି) ନିର୍ମାଣ ହେଉଛି। ୨୦୧୭ ଏପ୍ରିଲରେ ଏହାର କାମ ଆରମ୍ଭ ହୋଇଥିଲା। ୨୦୧୮ ଏପ୍ରିଲ ୨୮ ତାରିଖ ସୁଦ୍ଧା ଏହି ପ୍ରକଳ୍ପ କାର୍ଯ୍ୟ ଶେଷ ହେବା କଥା। ମାତ୍ର ବର୍ତ୍ତମାନ ସୁଦ୍ଧା ପ୍ରାୟ ଅଧା କାମ ସରିଛି ଏବଂ ୧ କୋଟି ୩୧ ଲକ୍ଷ ଟଙ୍କାର ବିଲ୍‌ ଉଠିସାରିଥିବା ଜଣାପଡ଼ିଛି। ଏହି ବନ୍ଧ ନିର୍ମାଣ ହେଲେ ରତଳାଙ୍ଗ ଓ ଉଦୟନାଥପୁର ପଞ୍ଚାୟତକୁ ବନ୍ୟା ଦାଉରୁ ସୁରକ୍ଷିତ ରଖାଯାଇପାରିବ। ନଚେତ ଗାଁ ଭିତରେ ବନ୍ୟାପାଣି ପଶି ନାହିଁନଥିବା ପରିସ୍ଥିତି ସୃଷ୍ଟି କରିଥାଏ।

ଏବେ କିନ୍ତୁ ଅଭିଯୋଗ ହୋଇଛି, ଜଳସଂପଦ ବିଭାଗର ଆକଳନ ଅନୁସାରେ ଏଠାରେ କାମ ହେଉନାହିଁ। ନଦୀବନ୍ଧର ଉଚ୍ଚତା, ଚଉଡ଼ା ଓ ମାଟି ବ୍ୟବହାର ଆଦି କୌଣସି ବି କ୍ଷେତ୍ରରେ ଠିକାଦାର ନିର୍ଧାରିତ ମାନ ଅନୁସରଣ କରିନାହାନ୍ତି। ନଦୀବନ୍ଧ ପାଖରେ ଥିବା ମାଟି ବାଲିଆ। ଭଲ ମାଟି ପକାଇବାକୁ ହେଲେ ୫ କିଲୋମିଟର୍‌ ଦୂରରୁ ମାଟି ଆଣିବାକୁ ପଡ଼ିବ। ତାହା ନକରି ନଦୀ କଡ଼ ଜମିରୁ ବାଲି ବୋହିଆଣି ବନ୍ଧ ନିର୍ମାଣ କରାଯାଇଥିବା ଜଣାପଡିଛି।

ସେହିପରି ପୁରୁଣା ବନ୍ଧ ଥିବା ସ୍ଥାନରେ ଉଚ୍ଚତା ୫ ଫୁଟ ଓ ବନ୍ଧ ନଥିବା ସ୍ଥାନରେ ସାଢ଼େ ୪ମିଟର୍‌ ଉଚ୍ଚତା କରିବାକୁ ଆକଳନରେ କୁହାଯାଇଛି। ଠିକାଦାର ଏହାକୁ ମଧ୍ୟ କାର୍ଯ୍ୟକାରୀ କରିନାହାନ୍ତି। ବନ୍ଧର ଚଉଡ଼ା ସାଢ଼େ ୫ ମିଟରରୁ ୬ ମିଟର ପର୍ଯ୍ୟନ୍ତ କରିବାକୁ ଥିବାବେଳେ ମାତ୍ର ୪ରୁ ସାଢ଼େ ୪ମିଟର ଚଉଡ଼ା କରାଯାଇଛି। ସାଧାରଣ ମାଟି ଥିବା ସ୍ଥାନରେ ବିଭାଗ ପକ୍ଷରୁ ପ୍ରତି ସେଣ୍ଟିମିଟରକୁ ୧୨୭ ଟଙ୍କା ଖର୍ଚ୍ଚ ହିସାବ ରହିଛି। ବାଳୁଙ୍ଗାପାଟିଆ ନଦୀବନ୍ଧ ନିର୍ମାଣ ପାଇଁ ୫ କିଲୋମିଟର ଦୂରରୁ ମାଟି ଆଣି କାମ କରିବାକୁ ଥିବାରୁ ସେଣ୍ଟିମିଟର ପ୍ରତି ୧୮୧ଟଙ୍କା ହିସାବରେ ଅର୍ଥ ଦେବାକୁ ଅଟକଳ ରହିଛି। ଏହାସତ୍ତ୍ୱେ ବନ୍ଧ ତଳ ବାଲିଆ ମାଟିକୁ ପକାଇ ଦିଆଯାଇଛି।

ଏ ସମ୍ପର୍କରେ ବିଭାଗୀୟ ଏସ୍‌ଡିଓ ସତ୍ୟସଂଗ୍ରାମ ଭୂୟାଁଙ୍କୁ ପଚାରିବାରୁ ସେ ଭିଜିଲାନ୍‌ସ ତଦନ୍ତ କରିଥିବା କଥାକୁ ମାନିଥିଲେ। ମାତ୍ର ଏତେ ସବୁ ପରେ ବି ଅନିୟମିତତାକୁ ସିଧାସଳଖ ସ୍ୱୀକାର କରିନଥିଲେ। ବରଂ କହିଥିଲେ, ଠିକାଦାର କାମରେ ଅନିୟମିତତା କରୁଛନ୍ତି, ଆମେ କହିଲେ ମଧ୍ୟ ଶୁଣୁନାହାନ୍ତି। ଅଧିକାରୀଙ୍କ ଏଭଳି ଅକ୍ଷମତା ପଛରେ କିଛି ଚାପ ରହିଛି କି?

ସମ୍ବନ୍ଧିତ ଖବର