କାଳିଆପାଣି (ରବି ନାରାୟଣ କର): ଆଉ ମାତ୍ର ୧ ମିନିଟ୍‌ରେ ଘରେ ପହଞ୍ଚି ନବବିବାହିତା ପତ୍ନୀଙ୍କ ସହ ଏକାଠି ଭୋଜନ କରିଥାନ୍ତେ। ହେଲେ ଗାଁ ଦାଣ୍ଡରେ ଛକି ବସିଥିଲା ମୃତ୍ୟୁ। ଘର ଠାରୁ ମାତ୍ର ୨୫ ମିଟର ଦୂରରେ ଘଟିଗଲା ଭୟଙ୍କର ଦୁର୍ଘଟଣା। ସଞ୍ଜ ଆସିଲେ ଶୋଇ ପଡ଼ୁଥିବା ପଡ଼ୋଶୀ ଓ ଗ୍ରାମବାସୀ ପ୍ରଚଣ୍ଡ ଶବ୍ଦ ଓ ଚିତ୍କାର ଶୁଣି ଧାଇଁ ଆସିଥିଲେ। କାନ୍ଥରୁ ଶୁଭବିବାହ ଚିତ୍ର ଲିଭି ନଥିଲା ବେଳେ ଲିଭି ଯାଇଥିଲା ନବ ବିବାହିତ ତରୁଣ ମଙ୍ଗଲ ଚାତମ୍ବାଙ୍କର ଜୀବନ ଦୀପ।

Advertisment

ଯାଜପୁରଜିଲ୍ଲା କାଳିଆପାଣି ଥାନା ଚିଙ୍ଗୁଡ଼ିପାଳ ପଞ୍ଚାୟତ ପୋଡ଼ାହରା ଗାଁ ଦାଣ୍ଡରେ ସୋମବାର ରାତି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ସ୍ବର୍ଗତ ଚିନ୍ତାମଣି ଚାତମ୍ବାଙ୍କ ଏକମାତ୍ର ପୁଅ ମଙ୍ଗଲ(୨୧)ଙ୍କର ଶୋଚନୀୟ ମୃତ୍ୟୁ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟରେ ବାଇକ୍‌ ପିଟି ହେବାରୁ ଚାଳକ ମଙ୍ଗଲ ଗୁରୁତର ହୋଇଥିଲେ। ପଛରେ ବସିଥବା ସାଥୀ ଘନ ସୋରେନ ଗୁରୁତର ଆହତ ହୋଇଥିଲେ। ଗାଁରୁ ମାତ୍ର ୨ କିଲୋମିଟର ଦୂର ବେଣାଗାଡ଼ିଆ ଗାଁରେ ରହୁଥିବା ଓମ୍ବାଡ୍ସି ଆମ୍ବୁଲାନ୍ସ ଅଚଳ ଥିବାରୁ ଘଣ୍ଟାଏ ବିଳମ୍ବରେ ଓଏମ୍‌ସି ଆମ୍ବୁଲାନ୍ସ ପହଞ୍ଚିଥିଲା। ଦୁହିଁଙ୍କୁ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପଠାଯାଇଥିଲା। ମୁମୂର୍ଷୁ ଅବସ୍ଥାରେ ଥିବା ମଙ୍ଗଲଙ୍କର ମେଡିକାଲ ବାଟରେ ମୃତ୍ୟୁ ‌ହୋଇଥିଲା। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଘନଙ୍କ ବାମଗୋଡ଼ ଭାଙ୍ଗିଥିବା ଓ ଅଣ୍ଟା ଜଖମ ଥିବା ଜଣାପଡ଼ିଛି। ପ୍ରାଥମିକ ଚିକିତ୍ସା ପରେ ଘନଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଛି। ମେଡିକାଲ୍‌ ସୂଚନାରେ ପୁଲିସ ଆଜି ମୃତଦେହ ଜବତ କରିଥିଲା। ମୃତକଙ୍କ‌ ଜେଜେବାପା ଦନାର୍ଦ୍ଦନ ଚାତମ୍ବା କାଳିଆପାଣି ଥାନାରେ ଏତଲା ଦେଇଥିଲେ। ଗାଁ ମୋରମ୍‌ ଗାଡ଼ିଆ ପାଖରେ ଏକ ଅଜଣା ଟ୍ରକ୍‌ ସାଇଡ୍‌ ମାରିବାରୁ ଦୁର୍ଘଟଣା ହୋଇଥିବା ଅଭିଯୋଗ ହୋଇଛି। ଏ ସଂକ୍ରାନ୍ତରେ ଥାନାରେ ଏକ କେସ୍ ୧୩୭/୨୫ ରୁଜୁ ହୋଇଛି। ଥାନା ଅଧିକାରୀ ଶିବ ଚରଣ ବେହେରା ଓ ତଦନ୍ତକାରୀ ଅଧିକାରୀ ଏଏସ୍‌ଆଇ ପ୍ରଶାନ୍ତ କୁମାର ପଲେଇ ସଦଳବଳ ଆଜି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ବ୍ୟବଛେଦ ପରେ ସଂଧ୍ୟାରେ ମରଶରୀର ପହଞ୍ଚିବା ପରେ ନାବାଳିକା ବିଧବା ମାଳତି, ପରିବାର, ସଂପର୍କୀୟ ଓ ସାଙ୍ଗସାଥୀଙ୍କ ବୁକୁଫଟା କାନ୍ଦ ବୋବାଳିରେ ଗାଁ ଦାଣ୍ଡ ଫାଟି ପଡ଼ୁଥିଲା। 

ଆହୁରି ପଢ଼ନ୍ତୁ: ବିଧାତାର ଏ କି ଲୀଳା: ୨୪ ଜଣ ସ୍କୁଲସାଙ୍ଗ ୩୫ ବର୍ଷ ପରେ ଏକାଠି ହୋଇଥିଲେ, ପ୍ରଳୟ ପାଟିରେ ନିଖୋଜ ହୋଇଗଲେ

ଶୈଶବରୁ ଅନାଥ

ଯକ୍ଷ୍ମା ରୋଗୀ ଭାବେ ଚିହ୍ନଟ ଚିନ୍ତାମଣି ଚାତମ୍ବାଙ୍କ ମୃତ୍ୟୁ ହୋଇଥିଲା। ସେତେବେଳେ ବର୍ଷକର ଶିଶୁ ମଙ୍ଗଲଙ୍କୁ ଛାଡ଼ି ବିଧବା ମାଆ ଅନ୍ୟତ୍ର ବାହା ହୋଇଗଲେ। ଏକମାତ୍ର ଭଉଣୀ ୭ ବର୍ଷ ତଳୁ ବିବାହ କରିଛନ୍ତି। ଅନାଥ ମଙ୍ଗଲ ଶୈଶବରୁ ସ୍ବର୍ଗତ ଜେଜେବାପାଙ୍କ ସାନଭାଇ ଦନାର୍ଦ୍ଦନଙ୍କ ଘରେ ରହିଆସୁଥିଲେ। ଟ୍ରାକ୍ଟର ଚାଳକ ଭାବେ ମଙ୍ଗଲ ସ୍ଥାନୀୟ ଚାଷୀମାନଙ୍କର ପ୍ରିୟପାତ୍ର ଥିଲେ। ୨ ମାସ ତଳେ ଡୁବୁରି ଗାଁର ମାଳତି ମୁଣ୍ଡାଙ୍କୁ ମଙ୍ଗଲ ବିବାହ କରିଥିଲେ। ସେହିପରି ବାପା ଚୌଧୁରୀ ସୋରେନ ପଢ଼ା ପାଇଁ ତାଗିଦ୍‌ କରିବାରୁ ନବମଶ୍ରେଣୀ ଛାତ୍ର ଘନ ବର୍ଷକ ତଳୁ ମୁମ୍ବାଇ ପଳାଇଥିଲେ। ଦି’ଦିନ ପୂର୍ବରୁ ସେ ଘରକୁ ଫେରିଥିଲେ। ୨ ସାଥୀ ଅନ୍ୟତମ ସାଥୀ ସିଦ୍ଧାନ୍ତ ଚାମ୍ପିଆଙ୍କ ପାଖରୁ ବାଇକ୍‌ ମାଗି ଅରଡ଼ାପାଳ ଗାଁ ବଜାର ଯାଇଥିଲେ। ସଂଧ୍ୟାରେ ଦୁହେଁ ଘର ଫେରୁଥିଲେ। 

ଆହୁରି ପଢ଼ନ୍ତୁ: Padyatra Sambalpur Jajpur ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ ଅବସରରେ ସମ୍ବଲପୁର ଓ ଯାଜପୁରରେ ବିଶାଳ ପଦଯାତ୍ରା