ଚଣ୍ତିଖୋଲ: ଗାଁ ମୁଣ୍ତଦେଇ ବୋହିଯାଇଛି ଗୋବରୀ ନଈ। କିନ୍ତୁ ବିଶୁଦ୍ଧ ପାଣି ମୁନ୍ଦାଏ ଗାଁ ଲୋକଙ୍କୁ ମିଳୁନି। କେବଳ ଖରାଦିନ ନୁହେଁ ବର୍ଷତମାମ ନଳକୂଅରୁ ଲୁଣିଆ ଓ ଗୋଳିପାଣି ଆସୁଛି। ଏଭଳି ସମସ୍ୟା ଯୋଗୁଁ ବଡ଼ଚଣା ବ୍ଲକ୍ର ନଈକୂଳିଆ ଭରତପୁର ପଞ୍ଚାୟତ ପଡ଼ା ଗାଁ ମହାକାଳପଡ଼ାର ଲୋକେ ହନ୍ତସନ୍ତ ହେଉଛନ୍ତି। ଗାଁରେ ୨ଶହରୁ ଊର୍ଦ୍ଧ୍ବ ଘର, ଏହି ପଡ଼ାଗାଁରେ ପଞ୍ଚାୟତର ୩ଟି ୱାର୍ଡ। ମୋଟ ଜନସଂଖ୍ୟା ପ୍ରାୟ ହଜାରେ। କିନ୍ତୁ ବର୍ଷବର୍ଷ ଧରି ଗାଁ ଲୋକେ ଲବଣଯୁକ୍ତ ପାଣି ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
୧୦/୧୨ ବର୍ଷ ତଳୁ ପାନୀୟ ଜଳ ସମସ୍ୟାର ନିରାକରଣ ପାଇଁ ଗୋବରୀ ନଦୀ କଡ଼ ଯୁବଜ୍ୟୋତି କ୍ଲବ୍ ନିକଟରେ ଏକ ଗଭୀର ନଳକୂଅ ଖୋଳା ଯାଇଥିଲା। ହେଲେ ଏହା ବିଫଳ ହୋଇଥିଲା। ତେବେ ନିକଟରେ ୧୧ଶହ ଫୁଟ୍ ଗଭୀରରେ ଖୋଳା ଯାଇଥିବା ଏକ ନଳକୂଅରୁ ମଧୁର ଜଳ ବାହାରୁଛି। ଫଳରେ ସାରଙ୍ଗପୁର, ମହାକାଳପଡ଼ା ଓ ରାଉତ ସାହି ପଡ଼ା ଗ୍ରାମରୁ ଲୋକମାନେ ଭୋର୍ ସାଢେ଼ ୩ଟାରୁ ଧାଡ଼ିବାନ୍ଧି ପାନୀୟ ଜଳ ସଂଗ୍ରହ କରୁଛନ୍ତି। ଏହାମଧ୍ୟରେ ଗ୍ରାମବାସୀ ଏକ ଗ୍ରାମ କମିଟି ଗଠନ କରି ଶ୍ରୀ ସତ୍ୟସାଇ ନିର୍ମଳଝର ପ୍ରକଳ୍ପ ଜରିଆରେ ଜଳକ୍ଲିଷ୍ଟ ଗ୍ରାମବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାପାଇଁ ନିବେଦନ କରିଥିଲେ। ଗତ ଶୁକ୍ରବାର ଶ୍ରୀ ସତ୍ୟସାଇ ଜଳ ପ୍ରକଳ୍ପର ରାଜ୍ୟ ଭାରପ୍ରାପ୍ତ କର୍ତ୍ତୃପକ୍ଷ ଅଶୋକ କୁମାର ବିଶ୍ବାଳ ମହାକାଳପଡ଼ା ଗ୍ରାମ ପରିଦର୍ଶନ କରିଥିଲେ। ପ୍ରାୟ ଦୁଇମାସ ମଧ୍ୟରେ ଘଣ୍ଟାକୁ ଏକହଜାର ଲିଟର ଆର୍.ଓ ଯୁକ୍ତ ବିଶୁଦ୍ଧ ଜଳଯୋଗାଣ ପାଇଁ ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ ଶ୍ରୀ ସତ୍ୟସାଇ ରାଜ୍ୟ ଟ୍ରଷ୍ଟ ନିକଟରେ ଆବେଦନ କରାଯାଇଛି।
କେନ୍ଦ୍ରାପଡ଼ା ଜିଲ୍ଲା ସଭାପତି ଉମେଶ ଚନ୍ଦ୍ର ନାୟକ, ପଲାଇ ସମିତିର ଆବାହକ ଦାମୋଦର ବାସୁଳାଇ, ରାଜ୍ୟ ମିଡିଆ ସଂଯୋଜକ ଶୁଭେନ୍ଦୁ କୁମାର ଭୂୟାଁ, ପୂର୍ବତନ ଆବାହକ ପ୍ରଶାନ୍ତ ସାମଲ, ଗ୍ରାମ କମିଟି ସଭାପତି ପୀତାମ୍ବର ଜେନା, ବୈଲୋଚନ ଜେନା ଓ କମିଟିର ସମ୍ପାଦିକା ଝରଣା ବାସୁଳାଇ ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/10/9c2f1e4d-ee6a-47a1-b2ba-fec16c8e617d.jpeg)