ଯାଜପୁର: ଯାଜପୁର ରୋଡ଼ ଥାନା ପକ୍ଷରୁ ୬ ଜଣ ଅନ୍ତଃରାଜ୍ୟ ଡକାୟତଙ୍କୁ ଗିରଫ କରାଯାଇଛି। ବିଶେଷ ସୂତ୍ରରୁ ସୂଚନା ମିଳିବା ମାତ୍ରେ ପୁଲିସ ପକ୍ଷରୁ ଅଚାନକ ଚଢ଼ାଉ କରି ଡକାୟତମାନଙ୍କୁ ଗିରଫ କରାଯାଇଥିଲା ବୋଲି କେନ୍ଦ୍ରାଞ୍ଚଳ ଆଇଜି ଏସ୍କେ ପ୍ରିୟଦର୍ଶିନୀ ସୂଚନା ଦେଇଛନ୍ତି। ଯାଜପୁର ପାଣିକୋଇଲିସ୍ଥିତ ଏସ୍ପି କାର୍ଯ୍ୟାଳୟରେ ମଙ୍ଗଳବାର ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପ୍ରିୟଦର୍ଶିନୀ କହିଛନ୍ତି, ଗିରଫ ଅଭିଯୁକ୍ତମାନେ ହେଲେ ପ୍ରଫୁଲ୍ଲ ଲାକ୍ରା, ଦୀପକ ବାବୁରାମ, ସୋଏବ ଆଲାମ ଓରଫ ପପୁ ଖାନ୍, ଜିଆ-ଉଲ-ହକ୍, ଜମୀଲ ଅଖତାର୍ ଓ ଅର୍ଜୁନ ପାତ୍ର।
ପ୍ରିୟଦର୍ଶିନୀ କହିଛନ୍ତି, ଡକାୟତମାନଙ୍କ ନିକଟରୁ ୪ଟି ପିସ୍ତଲ, ୮୦ରାଉଣ୍ଡ ଜୀବନ୍ତ ଗୁଳି, ଗୋଟିଏ ଟାଟା ଇଣ୍ଡିଗୋ, ଗୋଟିଏ ବୋଲେରୋ ଓ ୭ଟି ମାଗାଜିନ୍ ଜବତ କରାଯାଇଛି। ଅଭିଯୁକ୍ତମାନେ ସୋମବାର ମଧ୍ୟ ରାତ୍ରୀରେ ବ୍ୟାସନଗର ଅଞ୍ଚଳର ବିଭିନ୍ନ ହୋଟେଲ ଉପରେ ଚଢ଼ାଉ କରି ଅପରାଧୀମାନଙ୍କୁ ଗିରଫ କରାଯାଇଛି ବୋଲି ପ୍ରିୟଦର୍ଶୀ କହିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଯାଜପୁର ଏସ୍ପି ଚରଣ ସିଂହ ମୀନା, ବ୍ୟାସନଗର ଏସ୍ଡିପିଓ ଯୁଗଳ କିଶୋର ଦାସ, ବ୍ୟାସନଗର ଆଇଆଇସ ଶିଶିର ମିଶ୍ର ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ ଅଭିଯୁକ୍ତମାନେ ରାଜ୍ୟ ଓ ରାଜ୍ୟ ବାହାରେ ଅନେକ ଚୋରି, ଡକାୟତି, ରାହାଜାନୀ, ହତ୍ୟାକାଣ୍ଡ, ଲୁଟ ଆଦି ଅପରାଧିକ ମାମଲା ସହିତ ସଂମ୍ପୃକ୍ତ ଅଛନ୍ତି। ଏମାନଙ୍କ ନାମରେ ସୁନ୍ଦରଗଡ଼ ଛେଣ୍ଡ କଲୋନି, ସମ୍ବଲପୁରର ବିଭିନ୍ନ ଥାନା ଓ ଝାରଖଣ୍ଡର କିଛି ଥାନରେ ଏକାଧିକ ମାମଲା ଥିବା ଜଣାପଡ଼ିଛି।