୪ ଥର ଅପ୍ରତିଦ୍ୱନ୍ଦ୍ୱୀ ସମିତିସଭ୍ୟା: ଆବାସ ନାହିଁ କି ପାଇଖାନା ନାହିଁ

ଏଥର ବି ନିର୍ଦ୍ବନ୍ଦ୍ବରେ ନିର୍ବାଚିତ, ଏହି ପଞ୍ଚାୟତରେ ଶାସକ ଦଳ ମୁଖ୍ୟ ସଚେତକଙ୍କ ଘର

ଯାଜପୁର/ବିଂଝାରପୁର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ୫୦ଭାଗ ମହିଳାଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା କରି ରାଜ୍ୟ ସରକାର ଦେଶରେ ଇତିହାସ ସୃଷ୍ଟି କରିଛନ୍ତି। ଅଥଚ ଲଗାତାର ଚାରିଥର ଅପ୍ରତିଦ୍ବନ୍ଦ୍ବୀ ଭାବେ ସମିତିସଭ୍ୟା ହୋଇଥିବା ଆଦିବାସୀ ମହିଳା ସରସ୍ବତୀ ନାୟକ ଅନ୍ୟମାନଙ୍କୁ ସେବା ଯୋଗାଇଦେବା ଦୂରେଥାଉ ନିଜ ପାଇଁ ବି ଘର କିମ୍ବା ପାଇଖାନାଟିଏ ମଧ୍ୟ ଯୋଗାଡ଼ କରି ପାରିନାହାନ୍ତି। ୭୫ବର୍ଷ ବୟସ୍କା ସରସ୍ବତୀଙ୍କ ଘର ଯାଜପୁର ଜିଲ୍ଲା ବିଂଝାରପୁର ବ୍ଳକ୍‌ ଅନ୍ତର୍ଗତ ମାସଡ଼ା। ଏହି ପଞ୍ଚାୟତରେ ଶାସକ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲିକଙ୍କ ଘର। ସରସ୍ବତୀ ପ୍ରଥମେ ମାସଡ଼ାରୁ ୨୦୦୭ମସିହାରେ ସମିତି ସଭ୍ୟା ଭାବେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିଲେ। ୨୦୧୨ରେ ଶାସନ୍ଦା ପଞ୍ଚାୟତରୁ ଦ୍ବିତୀୟ ଥର, ୨୦୧୭ ପଞ୍ଚାୟତ ନିର୍ବାଚନରେ ଓଳେଇଚନ୍ଦନପୁର ପଞ୍ଚାୟତରୁ ତୃତୀୟ ଥର ଅପ୍ରତିଦ୍ବନ୍ଦ୍ବୀ ଭାବେ ସମିତି ସଭ୍ୟା ନିର୍ବାଚିତ ହୋଇଥିଲେ। ଚଳିତ ୨୦୨୨ରେ ଅଳକୁଣ୍ଡ ପଞ୍ଚାୟତରୁ ସମିତି ସଭ୍ୟା ପ୍ରାର୍ଥୀ ଭାବେ ଅପ୍ରତିଦ୍ବନ୍ଦ୍ବୀ ରହିଛନ୍ତି।

କିନ୍ତୁ, ନିଜ ପାଇଁ ଘର ନାହିଁ କି ପାଇଖାନା ବି ନାହିଁ। ଆମ ପ୍ରତିନିଧି ଏ ସମ୍ପର୍କରେ ସରସ୍ବତୀଙ୍କୁ ପଚାରିଥିଲେ। ସେ କହିଛନ୍ତି, ତାଙ୍କ ସ୍ବାମୀ ଶିବନାରାୟଣ ନାୟକ କାମଧନ୍ଦା ପାଇଁ କେନ୍ଦୁଝରରୁ ଏଠାକୁ ଆସିଥିଲେ। ଜୀବିକା ପାଇଁ ଏଠାରେ ରହିଗଲେ। ଇତିମଧ୍ୟରେ ସରସ୍ବତୀଙ୍କର ସ୍ବାମୀ ଓ ୩ପୁଅଙ୍କର ଦେହାନ୍ତ ହୋଇ ସାରିଛି। ସରସ୍ବତୀ ଭତ୍ତା ଓ ଚାଉଳ ପାଉଥିବାବେଳେ ପରଘରେ ପାଇଟି କରି ଚଳୁଛନ୍ତି। ଅଥଚ ୨୦୦୭ ମସିହାରୁ ୪ଥର ହେଲା ସମିତି ସଭ୍ୟା ଭାବେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ!

ପଞ୍ଚାୟତ ସରପଞ୍ଚ କିମ୍ବା ସମିତି ସଭ୍ୟସଭ୍ୟା ହେବା ପାଇଁ ପ୍ରାର୍ଥୀମାନେ ଲକ୍ଷ ଲକ୍ଷ ଟଙ୍କା ନିର୍ବାଚନରେ ବ୍ୟୟ କରୁଛନ୍ତି। ଥରେ ଜିତିବା ପରେ ଗାଡ଼ିଘୋଡା ଥାଟବାଟ ସବୁ ବଦଳିଯାଉଛି। ଅଥଚ ଚାରି ଚାରି ଥର ନିର୍ଦ୍ବନ୍ଦ୍ବରେ ଜିତିଥିବା ସରସ୍ବତୀ ଥାଟବାଟ କରିବା ଦୂର କଥା ଘରଟିଏ କରିବେ କ’ଣ ପାଇଖାନା ନକରିବାକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ଶାସକ ଦଳର ବରିଷ୍ଠ ନେତ୍ରୀ ପ୍ରମିଳା ମଲିକଙ୍କ ପଞ୍ଚାୟତ ମାସଡାରୁ ରାଜନୀତିରେ ପାଦ ଥାପିଥିବା ସରସ୍ବତୀଙ୍କର ଏଭଳି ଦୟନୀୟ ସ୍ଥିତି ମହିଳାମାନଙ୍କ ପାଇଁ ୫୦ଭାଗ ସଂରକ୍ଷଣ ବ୍ୟବସ୍ଥା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି। ସଂରକ୍ଷଣ ବ୍ୟବସ୍ଥାକୁ ନେତାନେତ୍ରୀମାନେ କିପରି ଦୁରୁପଯୋଗ କରୁଛନ୍ତି, ତାହାର ଜ୍ବଳନ୍ତ ନମୁନା ସରସ୍ବତୀ ବୋଲି ଏବେ ଚର୍ଚ୍ଚା ଜୋର୍‌ ଧରିଛି।

ସମ୍ବନ୍ଧିତ ଖବର