ଖରସ୍ରୋତାରୁ ବେଧଡ଼କ ବାଲିଚାଲାଣ

ଲକ୍ଷାଧିକ ଟଙ୍କା ରାଜସ୍ବ ହରାଉଛନ୍ତି ସରକାର

ବିଂଝାରପୁର : ଖରସ୍ରୋତା ନଦୀ ଏବେ ବାଲିମାଫିଆଙ୍କ କବଜାରେ। ପ୍ରତିଦିନ ଖରସ୍ରୋତାରୁ ହଜାର ହଜାର ଟ୍ରିପ୍ ବାଲି ଉଠୁଥିବାବେଳେ ଲକ୍ଷାଧିକ ଟଙ୍କାର ରାଜସ୍ବ ହରାଉଛନ୍ତି ସରକାର। ବିଂଝାରପୁର ତହସିଲ ଅଧୀନରେ ଥିବା ଖରସ୍ରୋତା ନଦୀରେ ପାଖାପାଖି ୨୫ଟି ବାଲିଘାଟ ଥିବାବେଳେ ସରକାରୀ ହିସାବରେ ମାତ୍ର ୩ଟି ବାଲିଘାଟ ରହିଛି। ବିଂଝାରପୁର ତହସିଦାର ମାତ୍ର ୩ଟି ବାଲି ଘାଟ ନିଲାମ କରିଦେଇ ହାତବାନ୍ଧି ବସିଛନ୍ତି। ଅବଶିଷ୍ଟ ୨୦ରୁ ଅଧିକ ବାଲିଘାଟରୁ ଚୋରା ବାଲି ବିଂଝାରପୁର ବ୍ଲକର ବିଭିନ୍ନ ପଞ୍ଚାୟତକୁ ଚାଲାଣ ହେବା ସହ ବ୍ଲକ ବାହାର ଓ ଜିଲ୍ଲା ବାହାରକୁ ଚାଲାଣ ହେଉଛି। ଫଳରେ ପ୍ରତିଦିନ ହଜାର ହଜାର ଟଙ୍କାର ରାଜସ୍ବ ହରାଉଛନ୍ତି ସରକାର। ବେଆଇନ ବାଲିଘାଟରୁ ଦିନରାତି ଶହ ଶହ ଟ୍ରିପ ବାଲି ଚାଲାଣ ହେଉଥିବା ବେଳେ ନିଲାମ ହୋଇଥିବା ବାଲିଘାଟ ଖାଲି ପଡିଥିବା ଦେଖା ଯାଇଛି। ବ୍ଲକର ଗୁହାଳି, କଏଣା, ସୟଦପୁର, ବିଂଝାରପୁର, ବ୍ଲକ ଛକ, ମାସଡା, କଲ୍ୟାଣପୁର, ବଗମରା, ମନେଇ, ଓଳେଇଚନ୍ଦନପୁର, ସିଂହପୁର ଆଦି ଅ‌ଳରେ ପାକାପାଖି ୨୫ଟି ବାଲି ଗୁଳା ଚାଲିଥିବା ବେଳେ ପ୍ରଶାସନ କେବଳ ସୟଦପୁର, ବିଂଝାରପୁର ଓ ବ୍ଲକଛକର ବାଲିଗୁଳା ନିଲାମ କରିଦେଇ ଚୁପ୍ ବସିଛି। ବାଲି ମାଫିଆଙ୍କ ଦୌରାତ୍ମ୍ୟ ଏତେ ଯେ ସାଧାରଣ ଜନତା ଭୟରେ ମୁହଁ ଖୋଲୁ ନାହାନ୍ତି। ବାଲି ମାଫିଆଙ୍କ ମୁଣ୍ତ ଉପରେ ବଡବଡ ରାଜନେତାଙ୍କ ହାତ ରହିଛି। ରାଜସ୍ବ ନିରୀକ୍ଷକଙ୍କ ଠାରୁ ତହସିଲଦାର ଓ ଜିଲ୍ଲା ପ୍ରଶାସନ ସବୁ ଜାଣି ଅଜଣା ହେବାର ଅଭିନୟ କରୁଛନ୍ତି। ବାଲି ମାଫିଆ ଦିନ ରାତି ଟ୍ରାକ୍ଟର, ଟ୍ରକ୍ ଓ ହାଇୱା ମାଧ୍ୟମରେ ଜିଲ୍ଲା ତଥା ଜିଲ୍ଲା ବାହାରକୁ ବାଲି ଚାଲାଣ କରୁଛି। ବାଲି ସାଙ୍ଗକୁ ନଦୀର ବନ୍ଧ ପର୍ଯ୍ୟନ୍ତ ମାଟି ଖୋଳି ଇଟା ତିଆରି କରି ବିକ୍ରି କରୁଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ନଈକୂଳିଆ ଗାଁରେ ଥିବା ଲୋକ ଭୟଭୀତ ହୋଇ ପଡିଛନ୍ତି। ଏ ସମ୍ପର୍କରେ ଗ୍ରାମବାସୀ ବିଂଝାରପୁର ତହସିଲଦାରଙ୍କ ନିକଟରେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ବାଲି ମାଫିଆଙ୍କ କବଳରୁ କେହି ରକ୍ଷା କରିବାକୁ ଆଗଭର ହେଉ ନଥିବା ଅଭିଯୋଗ ହୋଇଛି। ଭାରପ୍ରାପ୍ତ ତହସିଲଦାର ମିନତି ଜଗଦେବଙ୍କୁ ପଚାରିବାରୁ ନିର୍ବାଚନ କାର୍ଯ୍ୟରେ ବ୍ୟସ୍ତ ଥିବା କହିଥିଲେ।

ସମ୍ବନ୍ଧିତ ଖବର