ସରପଞ୍ଚଙ୍କ ସ୍ୱାମୀଙ୍କୁ ଆକ୍ରମଣ

ଦଶରଥପୁର: ଦଶରଥପୁର ବ୍ଲକ ମଂଗଳପୁର ଥାନା ଅନ୍ତର୍ଗତ ଚଷାଖଣ୍ଡ ପଞ୍ଚାୟତର ସରପଞ୍ଚ ମନୋରମା ମହାନ୍ତିଙ୍କ ସ୍ୱାମୀ ସୁବାସ ମହଲାଙ୍କୁ ଆଜି ଅପରାହ୍ଣରେ ଆକ୍ରମଣ କରାଯାଇଛି। ଅସନପୁର ପଞ୍ଚାୟତ ଦେଉଳି ଗ୍ରାମର କେତେକ ବ୍ୟକ୍ତି ତାଙ୍କୁ ଆକ୍ରମଣ କରିଥିବା ନେଇ ସେ ଥାନାରେ ଅଭିଯୋଗ କରିଛନ୍ତି। ସେହିପରି ସରପଞ୍ଚଙ୍କ ସ୍ୱାମୀ ଓ ତାଙ୍କର ସହଯୋଗୀଙ୍କ ଆକ୍ରମଣରେ ଅସନପୁର ଗ୍ରାମର କେତେକ ଲୋକ ମଧ୍ୟ ଆହତ ହୋଇଥିବା ପାଲଟା ଅଭିଯୋଗ ହୋଇଛି।
ସରପଞ୍ଚ ମନୋରମା ମହାନ୍ତିଙ୍କ ସ୍ୱାମୀ ସୁବାସ ମହଲାଙ୍କ ସହିତ ଗୋବିନ୍ଦ ଚନ୍ଦ୍ର ଦାସ ଓ ଅଭୟ କୁମାର ରାଉତ କରିଅଙ୍ଗ ଗ୍ରାମରୁ ଏକ ବାଇକ୍‌ରେ ରଙ୍ଗସ କାଳୀପଡିଆଦେଇ ନିଜ ଗାଁକୁ ଫେରୁଥିଲେ। କରିଅଙ୍ଗ ଗ୍ରାମର ବଂଶୀଧର ମଲ୍ଲିକ୍‌ ତାଙ୍କ ସ୍କୁଟିରେ ପଛପଟେ ଯାଉଥିଲେ। ସେହି ସମୟରେ ଏକ କାର ଯାଉଥିବାବେଳେ ବାଇକ୍‌ଟି କାର୍‌ ଦେହରେ ପିଟି ହୋଇଯାଇଥିଲା। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ହଠାତ୍‌ ଅଶନପୁର ପଞ୍ଚାୟତର ରାଘବ ମଲ୍ଲିକ୍‌ ଓ ଚଗଲା ନାମକ ଯୁବକଙ୍କ ସହ ଆଉକେତେ ଯୁବକ ମିଶି ଠେଙ୍ଗାବାଡି ଆଣି ସରପଞ୍ଚଙ୍କ ସ୍ୱାମୀ ଓ ତାଙ୍କ ସହଯୋଗୀଙ୍କୁ ଆକ୍ରମଣ କରିଥିଲେ। ଆକ୍ରମଣରେ ସରପଞ୍ଚ ସ୍ୱାମୀଙ୍କ ମୁଣ୍ଡ ଫାଟି ଯାଇଛି।

ଖବର ପାଇ ଚଷାଖଣ୍ଡ ପଞ୍ଚାୟତର କେତେକ ବ୍ୟକ୍ତି ଘଟଣାସ୍ଥଳକୁ ଆସି ଏମାନଙ୍କୁ ଉଦ୍ଧାରକରି ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ସରପଞ୍ଚଙ୍କ ସ୍ୱାମୀ ସୁବାସ ମହଲା ଅଭିଯୋଗ କରିଛନ୍ତି ଯେ ଦୁର୍ବୃତ୍ତମାନେ ଗୋଟିଏ ବାଇକ୍‌, ସ୍କୁଟ, ସୁନା ଚେନ୍‌, ମୁଦି, ମୋବାଇଲ, ଆଧାରକାର୍ଡ ଏବଂ ୪ ହଜାର ଟଙ୍କା ଲୁଟି ନେଇଛନ୍ତି। ଅଭିଯୋଗ ଆଧାରରେ ପୁଲିସ ୨୧୪/୧୮ ଦଫା ୩୪୧/୨୯୪/୩୦୭/୩୨୩/୫୦୬/୩୪ ଧାରାରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଗାଁରେ ଉତ୍ତେଜନା ଲାଗି ରହିଥିବାରୁ ପୁଲିସ ମୁତୟନ କରାଯାଇଥିବା ଆଇଆଇସି ବାମଦେବ ନନ୍ଦ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର