କୋରେଇ: କୋରେଇ ବ୍ଲକ୍‌ରେ ବିହନ ବଣ୍ଟନରେ ବ୍ୟାପକ ହେରଫେର୍‌ ହୋଇଛି। ବାଦାମ ବିହନ ବଣ୍ଟନରେ ଅନିୟମିତତା ହୋଇଥିବା ଲୋକଲୋଚନକୁ ଆସିବା ପରେ ଏବେ ମୁଗ ବିହନ କିଟ୍‌କୁ ମଧ୍ୟ ମିଳିମିଶି ଲୁଟି ନେଇଥିବା ଗୁରୁତର ଅଭିଯୋଗ ହୋଇଛି।
ବ୍ଲକ୍‌ କୃଷି ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ ଚଳିତ ବର୍ଷ ରବି ଫସଲ ନିମନ୍ତେ କୋରେଇ ବ୍ଲକ୍‌କୁ ୧୨୫ ବସ୍ତା ବାହାମ ବିହନ ଆସିଥିବା ବେଳେ ୩୭୫ ବସ୍ତା ମୁଗ ବିହନ କିଟ୍‌ ଆସିଥିଲା। ରବି ଫସଲ ହେଉଥିବା ପଞ୍ଚାୟତର ସମସ୍ତ ଚାଷୀଙ୍କୁ ଆବଶ୍ୟକ ଅନୁଯାୟୀ ବିହନ ବଣ୍ଟନ କରାଯାଇଥିବା କୃଷି ବିଭାଗ କହୁଥିଲେ ମଧ୍ୟ ଏନେଇ ଚାଷୀଙ୍କ ନିକଟରେ କୌଣସି ସୂଚନା ନାହିଁ। କେବେ ବ୍ଲକ୍‌କୁ ବିହନ ଆସିଲା ଏବଂ କେବେ କେଉଁ ଆଧାରରେ ଚାଷୀଙ୍କୁ ଚୟନ କରି ଏହି ବିହନ ବଣ୍ଟନ କରାଗଲା ସେ ନେଇ ଚାଷୀମାନେ ଅନ୍ଧାରରେ ରହିଛନ୍ତି।
ଚଳିତ ବର୍ଷ ୩୭୫ଟି ମୁଗ ବିହନ କିଟ୍‌ (କିଟ୍‌ ପ୍ରତି ୪ କେଜି) ଆସିଥିଲା। ବ୍ଲକ୍‌ର ସାଆଁଳା, ତଣ୍ଡରା ଓ ମୁକୁନ୍ଦପୁର ଗ୍ରାମକୁ ୧୨୫ଟି କରି ସମସ୍ତ କିଟ୍‌ ବଣ୍ଟା ଯାଇଥିବା ବ୍ଲକ୍‌ କୃଷି ଅଧିକାରୀ ଶରତଚନ୍ଦ୍ର ନାୟକ କହିଛନ୍ତି। ତଣ୍ଡରା ପଞ୍ଚାୟତ ସରପଞ୍ଚ ଗୋପାଳ ସେଠୀଙ୍କ କହିବା ଅନୁଯାୟୀ ଭିଏଡବ୍ଲୁ ପଞ୍ଚାୟତକୁ ୧୨୫ ବଦଳରେ ୧୨୦ ଟି କିଟ୍‌ ଦେଇଛନ୍ତି। ଗ୍ରାମର ଚିତ୍ରସେନ ମଳିକ, ଶିବପ୍ରସାଦ ସ୍ୱାଇଁ, ସନାତନ ସ୍ୱାଇଁ, ଦେବେନ୍ଦ୍ର ପଣ୍ଡା, ବୁଦ୍ଧିରାମ ଦଳେଇ, କୃଷ୍ଣ ଦଳେଇ ଓ ପୁରସ୍ତମ ଦଳେଇ ଆଦି ବହୁ ଚାଷୀ ବିହନ ପାଇବା ତ ଦୂରର କଥା ବିହନ ଆସିଥିବା ମଧ୍ୟ ଜାଣି ନଥିବା କହିଛନ୍ତି। ସରପଞ୍ଚ ଏବଂ ଭିଏଡବ୍ଲ୍ୟୁ ଉଭୟ ମିଳିମିଶି ପ୍ରକୃତ ଚାଷୀଙ୍କୁ ବିହନ ନଦେଇ ବାଟମାରଣା କରିଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଭିଏଡବ୍ଲ୍ୟୁ ଆଣୁଆଣୁ ବାଟରେ ୫ଟି କିଟ୍‌ ହଡପ୍‌ କରିଥିବା ବେଳେ ସରପଞ୍ଚ କେବଳ ନିଜ ସମର୍ଥିତ ଲୋକଙ୍କୁ ବିହନ ବଣ୍ଟନ କରିଛନ୍ତି।

Advertisment

ଏନେଇ ତଣ୍ଡରା ସରପଞ୍ଚ ଶ୍ରୀ ସେଠୀଙ୍କୁ ପଚାରିବାରୁ ଅଭିଯୋଗକୁ ଖଣ୍ଡନ କରିଥିବା ସହିତ ଯେଉଁ ପ୍ୟାଚ୍‌ ବା ଜମିରେ ମୁଗ ହୋଇପାରିବ ବୋଲି ଭିଏଡବ୍ଲ୍ୟୁ ଚୟନ କରିଥିଲେ ସେହି ଜମିର ଚାଷୀଙ୍କୁ ବିହନ ବଣ୍ଟନ କରାଯାଇଥିବା କହିଛନ୍ତି। ଗ୍ରାମର ୫ଶହରୁ ଊଦ୍ଧ୍ଵର୍ ଚାଷୀ ରବି ଫସଲ କରୁଥିବା ବେଳେ ମାତ୍ର ୧୨୦ଟି ବିହନ କିଟ୍‌ ଆସିଥିଲା। ବିହନ ପାଇନଥିବା ବହୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ରହିଥିବା ଶ୍ରୀ ସେଠୀ କହିଛନ୍ତି। ମୁକୁନ୍ଦପୁର ଏବଂ ସାଆଁଳା ଗ୍ରାମରେ ମଧ୍ୟ ବିହନ ନମିଳିବାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ବାଦାମ ବିହନ ବଣ୍ଟନରେ ମଧ୍ୟ ସମାନ ପରିମାଣର ଅଭିଯୋଗ ହୋଇଛି। ବସ୍ତା ପ୍ରତି ୨୦ କେଜି କରି ୧୨୫ଟି ବାଦାମ ବିହନ କିଟ୍‌ ବ୍ଲକ୍‌କୁ ଆସିଥିଲେ ମଧ୍ୟ ନିଜନିଜ ମଧ୍ୟରେ ବିହନ ବଣ୍ଟନ ହୋଇଥିବା ଅଭିଯୋଗ ହୋଇଛି। ୧୨୫ ଜଣ ଚାଷୀଙ୍କୁ ଗୋଟିଏ ଲେଖାଏଁ ବିହନ ବସ୍ତା ବଣ୍ଟା ଯାଇଥିବା ବ୍ଲକ୍‌ କୃଷି ବିଭାଗ ସଫେଇ ଦେଇଛି। ହେଲେ ପ୍ରସ୍ତୁତ ଚାଷୀ ତାଲିକାରେ ଚଞ୍ଚକତା ହୋଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ସରକାରୀ କର୍ମଚାରୀଙ୍କ ଏଭଳି କାରନାମାର ଉଚ୍ଚସ୍ତରୀୟ ତଦନ୍ତ କରାଯିବାକୁ ଦାବି ହେଉଛି।