ବିଦ୍ୟାଳୟରେ ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ

ନୟାହାଟ : ଗୋପ ଥାନା ନୟାହାଟ ଫାଣ୍ଡି ଅଞ୍ଚଳର ଯୋଗେଶ୍ୱରପୁରରେ ଜଣେ ୯ ବର୍ଷର ବାଳିକାକୁ ଆଜି ଦୁଷ୍କର୍ମ ଉଦ୍ୟମ ହୋଇଛି। ସଂପୃକ୍ତ ବାଳିକାକୁ ଭୁବନେଶ୍ୱରସ୍ଥିତ କ୍ୟାପିଟାଲ୍‌ ହସ୍‌ପିଟାଲରେ ଚିକିତ୍ସା ପାଇଁ ଭର୍ତି କରାଯାଇଥିବା ବେଳେ ଏ ନେଇ ସନ୍ଧ୍ୟା ସୁଦ୍ଧା ଥାନାରେ କୌଣସି ଅଭିଯୋଗ ହୋଇନଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁଯାୟୀ, ଆଜି ମଧ୍ୟାହ୍ନ ପ୍ରାୟ ଗୋଟାଏ ବେଳେ ବାଳିକାଟି ଗାଁ ବିଦ୍ୟାଳୟ ନିକଟସ୍ଥ ଏକ ଦୋକାନକୁ ପାଣି ପିଇବା ପାଇଁ ଯାଇଥିଲା। ସେଠାରୁ ଫେରିବା ବେଳେ ଜଣେ ଅଜଣା ଯୁବକ ତାକୁ ଟେକି ନେଇ ବିଦ୍ୟାଳୟ ପରିସରରେ ଦୁଷ୍କର୍ମ ଉଦ୍ୟମ କରିବା ବେଳେ ବାଳିକାର ପାଟି ଶୁଣି ସ୍ଥାନୀୟ ଲୋକେ ତାକୁ ବିଦ୍ୟାଳୟ ପରିସରରୁ ଉଦ୍ଧାର କରିଥିଲେ। ଲୋକେ ଧାଇଁ ଆସିବା ଦେଖି ଘଟଣାସ୍ଥଳରୁ ଯୁବକ ଜଣକ ପଳାଇ ଯାଇଥିଲା। ଧସ୍ତାଧସ୍ତି ସମୟରେ ବାଳିକାର ଦାନ୍ତ ଭାଙ୍ଗିଯାଇଥିବା ଓ ପାଟିରୁ ରକ୍ତ ବାହାରୁଥିବାରୁ ପରିବାର ଲୋକେ ତାକୁ ପ୍ରଥମେ ଚାରିଛକ ଡାକ୍ତରଖାନାରେ ଭର୍ତି କରିଥିଲେ। ପରେ ତାକୁ ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସ୍‌ପିଟାଲକୁ ସ୍ଥାନାନ୍ତର କରାଯାଇଛି। ସଂପୃକ୍ତ ବାଳିକା ପଞ୍ଚମ ଶ୍ରେଣୀର ଛାତ୍ରୀ ବୋଲି ଜଣାଯାଇଛି। ରିପୋର୍ଟ ଲେଖାଯିବା ବେଳକୁ ଅଭିଯୁକ୍ତ ଯୁବକର ପତ୍ତା ପାଇନାହିଁ ପୁଲିସ। ଖବର ପାଇ ନିମାପଡ଼ା ଏସ୍‌ଡିପିଓ ନିରଞ୍ଜନ ପାଢ଼ୀଙ୍କ ସହ ଗୋପ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଅନ୍ୟପକ୍ଷରେ ରାଜନୈତିକ ଚାପରେ ଭୟଭୀତ ହୋଇ ବାଳିକାର ପରିବାର ପକ୍ଷରୁ ଘଟଣା ସଂପର୍କରେ ପୁଲିସ ନିକଟରେ ଅଭିଯୋଗ ହୋଇନଥିବା କୁହାଯାଉଛି।

୭ବର୍ଷର ନାବାଳିକାକୁ ଦୁଷ୍କର୍ମ

ବିଂଝାରପୁର : ବିଂଝାରପୁର ଥାନା ଅଳକୁଣ୍ଡ ଫାଣ୍ଡି ଅନ୍ତର୍ଗତ ଝିଙ୍କିରୀ ଗ୍ରାମର ଜଣେ ୭ବର୍ଷର ନାବାଳିକାକୁ ସେହି ଗ୍ରାମର ୧୫ବର୍ଷର ନାବାଳକ ଦୁଷ୍କର୍ମ କରିଥିବା ନାବାଳିକାର ମା ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ବିଂଝାରପୁର ପୁଲିସ ଅଭିଯୁକ୍ତ ନାବାଳକକୁ ଥାନାରେ ଅଟକ ରଖିବା ସହିତ ନାବାଳିକାକୁ ଡାକ୍ତରୀ ମାଇନା କରାଇ ତଦନ୍ତ ଚଳାଇଛି।

ଅଭିଯୋଗ ଅନୁଯାୟୀ ବିଂଝାରପୁର ଥାନା ଅଳକୁଣ୍ଡ ଫାଣ୍ଡି ଅଧୀନସ୍ଥ ଝିଙ୍କିରୀ ଗ୍ରାମର ନାବାଳିକା ଜଣକ ମଧ୍ୟାହ୍ନରେ ହଜିଥିବା ଛେଳିକୁ ଖୋଜିବାକୁ ବିଲକୁ ଯାଇଥିଲା। ସେହି ଗ୍ରାମର ଜଣେ ନାବାଳକ ଏକୁଟିଆ ପାଇ ଦୁଷ୍କର୍ମ କରିଥିଲା। ନାବାଳିକା ଜଣକ ଘରକୁ ଫେରିବା ଡେରି ହେବାରୁ ତାଙ୍କ ମା’ ଖୋଜିବା ପାଇଁ ବିଲକୁ ଯାଇଥିଲେ। ବିଲ ମଝିରେ ଥିବା ବରଗଛ ମୂଳେ ଝିଅ ପଡିଥିବା ଦେଖିଥିଲେ। ପରେ ଘଟଣା ସଂପର୍କରେ ଅବଗତ ହୋଇ ଝିଅକୁ କାନ୍ଧରେ ବୋହି ଘରକୁ ଫେରିବା ସହ ଅଳକୁଣ୍ଡ ଫାଣ୍ଡିକୁ ଯାଇ ଜଣାଇଥିଲେ। ଅଭିଯୋଗ ପାଇ ଆଇଆଇସି ସୁଚିତ୍ରା ବିର୍ଯ୍ୟଦାସ ଅଭିଯୁକ୍ତକୁ ଗୋଡାଇ ଗୋଡାଇ ଧରିଥିଲେ। ଅଭିଯୁକ୍ତ ନାବାଳକକୁ ବିଂଝାରପୁର ଥାନାରେ ଅଟକ ରଖିବା ସହ ନାବାଳିକାର ଡାକ୍ତରୀ ମାଇନା କରାଇ ଅଧିକ ତଦନ୍ତ ଚଳାଇଛି ପୁଲିସ।

ସମ୍ବନ୍ଧିତ ଖବର