ବିପଦରେ ସିଦ୍ଧେଶ୍ବର ପୀଠ‌: ରାତିଅଧରେ ବାଲି ଉତ୍ତୋଳନ, ଘେରିଲେ ଗ୍ରାମବାସୀ

ଯାଜପୁରସଦର: ଯାଜପୁର ଅଞ୍ଚଳରେ ବାଲି ଚୋରିରେ ଲଗାମ ନାହିଁ। ଗତକାଲି ରାତିରେ ସିଦ୍ଧେଶ୍ବର ଘାଟରୁ ଏଭଳି ବାଲି ଚୋରିକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ବାଲି ଖନନ ହେତୁ ପ୍ରସିଦ୍ଧ ଅସ୍ଥି ବିସର୍ଜନ ପୀଠ ସିଦ୍ଧେଶ୍ବର ମନ୍ଦିର ବିପଦରେ ରହିଛି ବୋଲି ସ୍ଥାନୀୟ ଲୋକେ ପୂର୍ବରୁ ଅଭିଯୋଗ କରିଆସୁଛନ୍ତି। ଏହି ଐତିହାସିକ ମନ୍ଦିରଟି ନଦୀମୁହଁରେ ରହିଛି। ଏହାର ନିକଟରୁ ଅନବରତ ବାଲି ଲୁଟ୍‌ ଚାଲିଛି। ମାତ୍ର ଏହାକୁ ବନ୍ଦ କରିବା ଲାଗି ପଦକ୍ଷେପ ନିଆଯାଉନାହିଁ। ଗତକାଲି ବିଳମ୍ବିତ ରାତିରେ ମଧ୍ୟ ଜେସିବି ମେସିନ ଲଗାଇ ବାଲି ଉଠାଯାଉଥିଲା। ଏ ଖବର ପାଇ ଶତାଧିକ ଲୋକ ସେଠାରେ ପହଞ୍ଚିଥିଲେ। ନିକଟସ୍ଥ ପେଣ୍ଠବାଡ଼, ସିଦ୍ଧେଶ୍ବର, ଗାରେଡ଼େଶ୍ବର, ବାମଦେବପୁର ଅଞ୍ଚଳର ବହୁ ଲୋକ ଏକତ୍ରିତ ହୋଇ ଏହି ବେଆଇନ ବାଲି ଉତ୍ତୋଳନକୁ ବିରୋଧ କରିଥିଲେ। ସେମାନଙ୍କ ଅଭିଯୋଗ ଯେ ବନ୍ୟା ସମୟରେ ଏହି ସ୍ଥାନରେ ନଦୀର ସ୍ରୋତ ପ୍ରଖର ହେଉଥିବାରୁ ମନ୍ଦିର ନଷ୍ଟ ହେବା ଆରମ୍ଭ ହୋଇଛି। ତାରିଣୀ କନ୍‌ଷ୍ଟ୍ରକସନ ନାଁରେ ବାଲି ଉଠାଯାଉଥିବାବେଳେ ଉପସ୍ଥିତ ସୁପରଭାଇଜର ଓ ଗାଡ଼ି ଚାଳକ ଉପଯୁକ୍ତ କାଗଜପତ୍ର ଓ ପ୍ରମାଣ ମଧ୍ୟ ଦେଖାଇ ପାରିନଥିଲେ। ଲୋକମାନେ ବାଲି ଗାଡ଼ିକୁ ଅଟକାଇ ହୋହଲ୍ଲା କରିବା ସହ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ଯାଜପୁର ଟାଉନ ପୁଲିସ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିବା ସହ ନଦୀରୁ ବାଲି ଉଠାଉଥିବା ଜେସିବିକୁ ଜବତ କରିଥିଲା। ଏହାପ​ରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା। ତେବେ ଆଗକୁ ବେଆଇନ ବାଲି ଉତ୍ତୋଳନକୁ ଜୋରଦାର ବିରୋଧ କରାଯିବ ବୋଲି ସ୍ଥାନୀୟ ଲୋକେ କହିଛନ୍ତି।
ଅନ୍ୟପଟେ ଜେସିବିକୁ ଜବତ କରି ବନ୍ଧ ନିକଟରେ ରଖାଯାଇଛି। ଏ ସଂକ୍ରାନ୍ତରେ ଥାନାରେ କୌଣସି ମାମଲା ରୁଜୁ ହୋଇନଥିବା ଜଣାପଡ଼ିଛି। ଘଟଣାକୁ ନେଇ ଚାପା ଉତ୍ତେଜନା ଲାଗି ରହିଥିବାବେଳେ ଆଜି ବାଲି ଉତ୍ତୋଳନ ବନ୍ଦ ରହିଥିବା ଖବର ମିଳିଛି।

ସମ୍ବନ୍ଧିତ ଖବର