ସିମିଳିଆ ପଞ୍ଚାୟତ ଜଳବନ୍ଦୀ

ଯାଜପୁରସଦର: ଲଗାଣ ବର୍ଷା ସାଙ୍ଗକୁ ଖରସ୍ରୋତା ଓ ବୈତରଣୀ ନଦୀର ଶାଖା ବୁଢ଼ା ନଦୀରେ ବନ୍ୟା ଜଳ ପ୍ରବାହିତ ହେବାରୁ ଯାଜପୁର ବ୍ଲକ ସିମିଳିଆ ପଞ୍ଚାୟତର ବହୁ ଅଞ୍ଚଳ ଜଳମଗ୍ନ ହୋଇଛି। ବର୍ଷା ଜଳ ଓ ବନ୍ୟା ଜଳ ଚାଷ ଜମିରେ ମାଡ଼ି ଯିବାରୁ ଧାନ ଚାଷ ପ୍ରଭାବିତ ହୋଇଛି। ଏପରିକି ପାଚିଲା ଧାନ କ୍ଷେତ ବର୍ଷା ଓ ବନ୍ୟା ପାଣିରେ ବୁଡ଼଼ି ରହିଛି। ଚଳିତ ବର୍ଷ ଚାଷୀ ଉନ୍ନତମାନର ଧାନ ବିହନ ଆଣି ତଳି ପକାଇ ବିଲରେ ଧାନ ଚାଷ କରିଥିଲେ। କେତେକ ଚାଷ ଜମିରେ ଧାନ ପାଚିଥିବା ବେଳେ ଅନ୍ୟ କେତେକ ଜମିରେ ଧାନ ପାଚି ଆସୁଥିଲା। ଲଗାଣ ବର୍ଷା ଓ ବନ୍ୟା ଦ୍ୱାରା ଜମି ଗୁଡ଼ିକ ବୁଡ଼ି ଯିବାରୁ ଧାନ ପଚିବାକୁ ଆରମ୍ଭ କରିଛି ବୋଲି କେତେକ ଚାଷୀ ପ୍ରକାଶ କରିଛନ୍ତି। ବର୍ଷା ଜଳ ନିଷ୍କାସନ ହୋଇ ପାରୁ ନଥିବା ବେଳେ ଖରସ୍ରୋତା ଓ ବୁଢ଼ା ନଦୀର ବନ୍ୟା ଦୁଃଖକୁ ଆହୁରି ବଢ଼ାଇ ଦେଇଛି।

ସିମିଳିଆ ପଞ୍ଚାୟତର ସିମିଳିଆ, ସଠିଆଟିକିରି, ଗୌଡ଼ସାହି ଗୋବିନ୍ଦପୁର, ମେରକହସନପୁର, ମଇଦପୁର, ଦରାଜପୁର, ନଖେଇ, ଓଲେଇପଡ଼ା, ଗୋଠପୁର, ଚିତାହଟା, ବଡ଼ବନ୍ତ, ମିର୍ଜାପୁର ଅଞ୍ଚଳର ପାଖାପାଖି ୫୦୦ ଏକରରୁ ଊର୍ଦ୍ଧ୍ୱ ଚାଷ ଜମିରେ ଧାନ ଫସଲ ନଷ୍ଟ ହୋଇଛି। ଏହିସବୁ ଜମିରେ ଉନ୍ନତମାନର ଧାନ ଚାଷ କରିଥିଲେ ବୋଲି ସିମିଳିଆ ପ୍ରାଥମିକ କୃଷି ସମବାୟ ସମିତି ସଭାପତି ଶ୍ୟାମସୁନ୍ଦର ନାୟକ ସୂଚନା ଦେଇଛନ୍ତି। ପୋଟଳ, ଭେଣ୍ଡି, ବାଇଗଣ, ଝୁଡ଼ଙ୍ଗ, କାକୁଡ଼ି, ଜହ୍ନି ପ୍ରଭୃତି ପରିବା ଚାଷ ମଧ୍ୟ ନଷ୍ଟ ହୋଇଛି। ଲଗାଣ ବର୍ଷା ଓ ବନ୍ୟା ଦ୍ୱାରା ଚାଷୀଙ୍କର ଚାଷ ଉଜୁଡ଼ି ଯିବା ସହିତ ଚାଷ ଜମିରେ ବନ୍ୟା ପାଣି ଲହଡ଼ି ଭାଙ୍ଗୁଛି ବୋଲି ସରପଞ୍ଚ ପରେଶ କୁମାର ବିଶ୍ୱାଳ ସୂଚନା ଦେଇଛନ୍ତି। ସଠିଆଟିକିରି ଓ ପତିସାହି ରାସ୍ତାରେ ବନ୍ୟା ଜଳ ପ୍ରଭାବିତ ହେଉଥିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି।

ସମ୍ବନ୍ଧିତ ଖବର