କାଳିଆପାଣି: ଯାଜପୁରଜିଲ୍ଲା ସୁକିନ୍ଦା ଥାନା ମଙ୍ଗଳପୁର ମୌଜାର ୫୩ ନମ୍ବର ଜାତୀୟ ରାଜପଥ ସଂଲଗ୍ନ ପାଛଗୋଛିଆସାହିରେ ଗତ କିଛିମାସ ଧରି ସକ୍ରିୟ ଥିବା ଏକ ଚୋରା କ୍ରୋମାଇଟ୍‌ ଡିପୋରେ ଗୁରୁବାର ଖଣି ବିଭାଗ ଯାଜପୁରରୋଡ଼ ସର୍କଲ ପକ୍ଷରୁ ଚଢ଼ଉ କରାଯାଇ ୯୦ ମେଟ୍ରିକ୍‌ ଟନ ଓଜନର କ୍ରୋମାଇଟ୍‌ ଜବତ କରାଯାଇଛି।

Advertisment

ଗୁଇନ୍ଦା ସୂତ୍ରରୁ ବରିଷ୍ଠ ଖଣି ଅଧିକାରୀ ରଞ୍ଜିତ କୁମାର ଦାସ ସକାଳ ୮ଟାରେ ଏହି ଜାଗାକୁ ଠାବ କରିଥିଲେ। ସେ ଉକ୍ତ ଡିପୋକୁ ପହଞ୍ଚିବା ସମୟରେ ୪ ରୁ ୬ ଜଣ ବ୍ୟକ୍ତି ୨ଟି କାର୍‌ ଓ ୨ଟି ବାଇକ୍‌ରେ ବସିରହି ସେଠାରେ ସନ୍ଦେହଜନକ ଭାବେ ପହରା ଦେଉଥିଲେ। ପାରିପାର୍ଶ୍ବିକ ସ୍ଥିତିକୁ ଦେଖି ପୁଲିସ ବିନା ଆଗକୁ ବଢ଼ିବା ବିପଦ ବୋଲି ଜାଣିବ ଶ୍ରୀ ଦାସ ପୁଲିସ ସହାୟତା ଲୋଡ଼ିଥିଲେ।

ତେବେ ପୁଲିସ ପଦକ୍ଷେପ ବିଳମ୍ବିତ ହୋଇଥିଲା। ଏ ସଂକ୍ରାନ୍ତରେ ଶ୍ରୀ ଦ‌ାସ ଖଣି ଉପନିର୍ଦ୍ଦେଶକ(ଡିଡିଏମ୍‌) ଇଂ ବିଭୂତି ଭୂଷଣ ବେହେରାଙ୍କୁ ଅବଗତ କରାଇଥିଲେ। ପ୍ରସଙ୍ଗକୁ ନେଇ ଡିଡିଏମ୍‌ ଶ୍ରୀ ବେହେରା ଜିଲ୍ଲାପାଳ ଅମ୍ବର କୁମାର କର ଓ ଏସ୍‌ପି ଯଶ ପ୍ରତାପ ଶ୍ରୀମଲଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। କିଛି ସମୟ ମଧ୍ୟରେ ଖଣି ଅଧିକାରୀ ଇନ୍ଦ୍ରମଣି ରାଉତ, ସହକାରୀ ଖଣି ଅଧିକାରୀ କ୍ଷିତୀଶ କୁମାର ଶାହା, ୩ କନିଷ୍ଠ ଖଣି ଅଧିକାରୀ ଆଶିଷ କୁମାର ସାହୁ ଓ ପୁନମ୍‌ ବେହେରା ଓ କାହ୍ନୁ ଚରଣ ଦେହୁରୀ ସଦଳବଳ ମଙ୍ଗଳପୁର ପହଞ୍ଚି ଯାଇଥିଲେ। ଖଣି ଅଧିକାରୀ ଶ୍ରୀ ଦାସଙ୍କ ନେତୃତ୍ବରେ ୬ ଜଣିଆ ଖଣି ଅଧିକାରୀ ଦଳ ଚୋରା ଡିପୋରେ ପହଞ୍ଚିବା, ଭାଗଭାଗ ହୋଇ ଚୋରା କ୍ରୋମାଇଟ୍‌ ଗଦା ଜଗିବା ଓ ସେଠାରୁ ଥାନାକୁ ଯିବା ପର୍ଯ୍ୟନ୍ତ ସନ୍ଦିଗ୍ଧମାନେ ୨ଟି କାର୍‌ ଓ ୨ଟି ବାଇକ୍‌ରେ ଖଣି ଅଧିକାରୀ ସ୍କ୍ବାଡ୍‌କୁ ପିଛା କରୁଥିଲେ। ମାଫିଆମାନେ ପ୍ରଶାସନ ପଦକ୍ଷେପକୁ ଭ୍ରୂକ୍ଷେପ ନକରି ଚାଲେଞ୍ଜ୍ କରୁଥିବା ଜାଣି ଏସ୍‌ପି ଶ୍ରୀ ଶ୍ରୀମଲ ଏଥିରେ ହସ୍ତକ୍ଷେପ କରିଥିଲେ। ତାଙ୍କ ନିର୍ଦ୍ଦେଶରେ ସୁକିନ୍ଦା ଥାନା ଅଧିକାରୀ ବିଲ୍ବ ମଙ୍ଗଳ ସେଠୀ ସଦଳବଳ ଉକ୍ତ ଚୋରା କ୍ରୋମାଇଟ୍‌ ଡିପୋରେ ପହଞ୍ଚିଥିଲେ।

ପୁଲିସ ପହଞ୍ଚିବା ପରେ ଅପରାହ୍ଣ ୩ଟା ପାଖାପାଖି ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା। ଘଣ୍ଟାଏ ପରେ କଳିଙ୍ଗନଗର ତୃତୀୟ ରିଜର୍ଭ ପୁଲିସ ବାହିନୀର ଏକ ସେକ୍ସନ ସଶସ୍ତ୍ର ବଳ ପହଞ୍ଚିବା ପରେ ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ ହୋଇଥିଲା। ରିଜର୍ଭ ପୁଲିସ ବଳ ରାତି ସାଢ଼େ ୧୦ଟା ପର୍ଯ୍ୟନ୍ତ ଘଟଣାସ୍ଥଳରେ ଉପସ୍ଥିତ ରହି ଅଭିଯାନକୁ ସଫଳ କରାଇବାରେ ସହୟତା କରିଥିଲେ। ୪ଟି ବଡ଼ବଡ଼ ଟ୍ରକ୍‌ରେ ଜବତ ଚୋରା କ୍ରୋମାଇଟ୍‌କୁ ଯାଜପୁରରୋଡ଼ ଖଣି ଉପନିର୍ଦ୍ଦେଶାଳୟ ଅଣାଯାଇଥିଲା।

ଏହି କ୍ରୋମ୍‌ପଥର ଗୁଣ୍ଡର ଅନ୍ତର୍ଜାତୀୟ ବଜାର ମୂଲ୍ୟ ୧୨ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି କୁହାଯାଉଛି। ପାଖାପାଖି ୨ ଏକର କ୍ଷେତ୍ରଫଳ ବିଶିଷ୍ଟ ଉକ୍ତ ଚୋରା ଡିପୋ ସଂଲଗ୍ନ ଅନାବାଦୀ ଜମିରେ ଏକ ୱେ-ବ୍ରିଜ୍ ରହିଛି। କାଳିଆପାଣି ଖଣିଅଞ୍ଚଳର ବିଭିନ୍ନ କ୍ରିୟାଶୀଳ ଖଣିରୁ ବିଭିନ୍ନ କାରଖାନା ଓ ପ୍ଲଟ୍‌କୁ କ୍ରୋମାଇଟ୍‌ ପରିବହନ ବାଟରେ ପଡ଼ୁଥିବା ଏହି ଚୋରା ଡିପୋ କ୍ରୋମାଇଟ୍‌ ମାଫିଆ, ଅସାଧୁ ଟ୍ରକ୍‌ ମାଲିକ ଓ ଡ୍ରାଇଭରମାନଙ୍କ ଆଡ୍ଡାସ୍ଥଳୀ ବୋଲି ଜିଲ୍ଲା ମାଇନିଂ ଏନ୍‌ଫୋର୍ସମେଣ୍ଟ୍‌ ସ୍କ୍ବାଡ୍ର ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ହୋଇଛି। ଏଠାରେ ନିର୍ଦ୍ଦିଷ୍ଟ କିଛି ଟ୍ରକ୍‌ରୁ ଉଚ୍ଚମାନର କ୍ରୋମାଇଟ୍‌ ଖଲାସ ପରେ ସମାନ ଓଜନର ବର୍ଜ୍ୟ କ୍ରୋମାଇଟ୍‌ କିମ୍ବା କଳାବାଲି ଅପମିଶ୍ରଣ କରାଯାଇଥାଏ ବୋଲି ପାରିପାର୍ଶ୍ବିକ ପରିସ୍ଥିତିରୁ ଗୁରୁତ୍ବପୂର୍ଣ୍ଣ ସୂଚନା ମିଳିଛି। 

Jajpur 

ରିପୋର୍ଟ: ରବି ନାରାୟଣ କର