ରାକେଶଙ୍କ ହାତରେ କୁନିକୁନି କଳାକୃତି: ଓ୍ବାର୍ଲଡ ରେକର୍ଡରେ ସ୍ଥାନ ପାଇଁ ଚାଲିଛି ପ୍ରସ୍ତୁତି

ଯାଜପୁର:  କିଛି ନିଆରା ଓ ଭିନ୍ନ କଲେ ମିଳିଥାଏ ସ୍ବତନ୍ତ୍ର ପରିଚୟ। ‌ ତେବେ ସେହିପରି କିଛି କରି ନିଜକୁ ପ୍ରତିଷ୍ଠିତ କରିବା ପାଇଁ ଉଦ୍ୟମ କରିଛନ୍ତି ଯାଜପୁରର ଯୁବ ଚିତ୍ରକର ରାକେଶ। ବିଭିନ୍ନ ପ୍ରକାର ପ୍ରତିମୂର୍ତ୍ତିକୁ ‌ ଛୋଟ ଆକାର କରି ଗଢ଼ିବାରେ ରଖିଛନ୍ତି ସ୍ବତନ୍ତ୍ର ରୁଚି। ସବୁ ବେଳେ ବଡ଼ବଡ଼ ଆକାରର ପ୍ରତିମୂର୍ତ୍ତିକୁ ସୁଉଚ୍ଚ କୁହାଯାଉଥିବା ବେଳେ ରାକେଶ ସେଣ୍ଟିମିଟର ଉଚ୍ଚତାର ପ୍ରତିମୂର୍ତ୍ତି ଗଢ଼ୁଛନ୍ତି। ଯାହାକି ସବୁଠାରୁ ଛୋଟି ବୋଲି କୁହାଯାଇପାରେ। ‌ଯେଉଁ କଳାକୁ ନେଇ ସେ ଓ୍ବାର୍ଲଡ ରେକର୍ଡରେ ସ୍ଥାନ ପାଇଁ ଉଦ୍ୟମ କରୁଛନ୍ତି।

ସୂଚନା ଅନୁସାରେ ଯାଜପୁର ବ୍ଲକ ନାଥସାହି ପଞ୍ଚାୟତ ନାଥସାହି ଗ୍ରାମର ଚକ୍ରଧର ପାତ୍ରଙ୍କ ପୁଅ ରାକେଶ କୁମାର ପାତ୍ର। ଛୋଟ ବେଳକୁ   ଚିତ୍ର କରିବାରେ ରୁଚି ରହିଥିବା ବେଳେ ମନରେ ସବୁ ଚିତ୍ରକୁ ଅତି କ୍ଷୁଦ୍ର କରିବାକୁ ଇଚ୍ଛ‌ା କରନ୍ତି। ସେହି ଇଚ୍ଛା ଶକ୍ତି ଯୋଗୁ ସେ ନିଜରକୁ ଓ୍ବାର୍ଲଡ ରେକର୍ଡରେ ସ୍ଥାନ ପାଇବାକୁ ପ୍ରସ୍ତୁତି ଚଳାଇଛନ୍ତି। ନିକଟରେ ସେ ନିମ୍ବ କାଠି ସାହାଯ୍ୟରେ ଅଧ ସେଣ୍ଟିମିଟର ଉଚ୍ଚତାର ଜଗନ୍ନାଥ, ସୁଭଦ୍ରା ଓ ବଳଭଦ୍ରଙ୍କ ପ୍ରତିମୂର୍ତ୍ତି ଗଢ଼ିଥିବା ବେଳେ ପୂର୍ବରୁ ୨ ମିଲିମଟର ଉଚ୍ଚତାର ଶିବମୂର୍ତ୍ତି ପ୍ରସ୍ତୁତ କରିଥିଲେ। ବର୍ତମାନ ରାକେଶ ୩.୫ ସେଣ୍ଟିମିଟର ଉଚ୍ଚତାର ବୁଦ୍ଧମୂର୍ତ୍ତି ନିର୍ମାଣ ଜାରି ରଖିଛନ୍ତି, ଯାହାକୁ ନେଇ ଓ୍ବାର୍ଲଡ ରେକର୍ଡରେ ନିଜକୁ ପ୍ରତିଫଳିତ କରିବାକୁ ଉଦ୍ୟମ କରୁଛନ୍ତି। ମନରେ ଛୋଟ ବେଳରୁ କିଛି ଭିନ୍ନ କରିବାର ଇଚ୍ଛାଶକ୍ତି ତ‌ାଙ୍କୁ ଆଗକୁ ବଢ଼ିବାକୁ ପ୍ରେରଣା ଦେଉଛି। ଭବିଷ୍ୟତରେ ଚିତ୍ରକଳାକୁ ନେଇ ନିଜର କ୍ୟାରିଅର  ଆଶା ରଖିଥିବା ବେଳେ ଉପଯୁକ୍ତ ସୁ‌ଯୋଗ ଓ ସହଯୋଗ ରହିଲେ ସେ ନିଜର ଲକ୍ଷ୍ୟ ପଥରେ ଆଗେଇ ପାରିବେ ବୋଲି କହିଛନ୍ତି।  ଯାହାକି  ଭବିଷ୍ୟତରେ ସେ ଯାଜପୁରର ନାମକୁ ଆହୁରି ଗର୍ବିତ କରନ୍ତୁ ବୋଲି ଗ୍ରାମବାସୀ ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧିତ ଖବର