ଯାଜପୁରସଦର: ଯାଜପୁର ପୌରପାଳିକାର ଲୋକମାନେ ଏବେ ପିଇବା ପାଣି ପାଇଁ ହିନସ୍ତା ହେଉଛନ୍ତି। ମାଳମାଳ ପ୍ରକଳ୍ପ ଗଢ଼ି ଉଠୁଥିବା ବେଳେ ସହରବାସୀଙ୍କ ମୌଳିକ ଆବଶ୍ୟକତା ପ୍ରତି ଗୁରୁତ୍ବ ଦିଆଯାଉନାହିଁ। ଅଧିକାଂଶ ୱାର୍ଡର ଲୋକମାନେ ସ୍ବଚ୍ଛ ପାନୀୟ ଜଳ ପାଇବାରୁ ବଞ୍ଚିତ ହେଉଛନ୍ତି। ଏହାକୁ ନେଇ ଅସନ୍ତୋଷ ବୃଦ୍ଧି ପାଉଥିବା ବେଳେ ୫-ଟି ସଚିବଙ୍କ ଗସ୍ତ ପାଇଁ ବ୍ୟସ୍ତ ପୌର କର୍ତ୍ତୃପକ୍ଷ ଜଳ ଯୋଗାଣକୁ ଗୁରୁତ୍ବ ଦେଉନଥିବା ଅଭିଯୋଗ ହୋଇଛି।
ସୂଚନା ଅନୁସାରେ, ଯାଜପୁର ପୌରପାଳିକା ୧୮ଟି ୱାର୍ଡକୁ ନେଇ ଗଠନ ହୋଇଥିବା ବେଳେ କେତେକ ଅଞ୍ଚଳରେ ଯୋଗାଣ ହେଉଥିବା ଜଳ ପାନୀୟ ଅନୁପଯୁକ୍ତ ବୋଲି ଅଭିଯୋଗ ହୋଇଛି। ୩/୪ଦିନ ହେଲା ୭ରୁ ୮ଟି ଅଞ୍ଚଳରେ ପାଇପ ଯୋଗେ ଯୋଗାଣ ହେଉଥିବା ପାଣି ଦୂଷିତ ଓ କଳା ରଙ୍ଗର ବୋଲି ଦେଖିବାକୁ ମିଳୁଛି। ଫଳରେ ଏହି ଅଞ୍ଚଳର ଲୋକମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏପରିକି ଯୋଗାଣ ହେଉଥିବା ପାଣିରେ ରୋଷେଇ ମଧ୍ୟ ହୋଇପାରୁନାହିଁ। ଏପରି ସ୍ଥିତିରେ ୩ ଦିନ ହେଲା କିଛି ଲୋକ ପାଣି କିଣି ବ୍ୟବହାର କରୁଥିବା ଅଭିଯୋଗ କରିଛନ୍ତି। ସହରର ମହାବୀର ଛକ, ଭୀମକରପୁର, ଭାଗବତପୁର, ରାମେଶ୍ବରପୁର, ନୂଆଗାଁ (ଆଶିଂକ) ଏହି ସମସ୍ୟା ଦ୍ବାରା ପ୍ରଭାବିତ ହୋଇଛନ୍ତି।
ଚଳିତ ସପ୍ତାହରେ ୫-ଟି ସଚିବଙ୍କ ଯାଜପୁର ପୌରପାଳିକାରେ ବିଭିନ୍ନ କାର୍ଯ୍ୟକ୍ରମ ରହିଛି। ସେହି କାର୍ଯ୍ୟରେ ବ୍ୟସ୍ତଥିବା ପୌର କର୍ତ୍ତୃପକ୍ଷ ଲୋକଙ୍କ ମୌଳିକ ସମସ୍ୟା ପ୍ରତି ଗୁରୁତ୍ବ ଦେଉନଥିବା ଅଭିଯୋଗ ହୋଇଛି। ଏହି ସମସ୍ୟାକୁ ନେଇ ଲୋକେ ଜନସ୍ବାସ୍ଥ୍ୟ ବିଭାଗକୁ ଅବଗତ କରିଥିଲେ ମଧ୍ୟ ସ୍ବଚ୍ଛ ପାଣି ଯୋଗାଣ ପାଇଁ କୌଣସି ବ୍ୟବସ୍ଥା କରାଯାଇନାହିଁ। ଫଳରେ ସଂପୃକ୍ତ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି। ଏସମ୍ପର୍କରେ ଜନସ୍ବାସ୍ଥ୍ୟ ନିର୍ବାହୀ ଯନ୍ତ୍ରୀ କ୍ଷେତ୍ରବାସୀ ସାହୁଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।