ଖଣି ନିଲାମ ପ୍ରକିୟା ପାଇଁ ନିର୍ବାଚନ ପ୍ରଭାବିତ: ୨ ୱାର୍ଡରେ କେହି ଭୋଟର ନାହାନ୍ତି

କାଳିଆପାଣି : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଏକ ଅଜବ ତଥ୍ୟ ଲୋକଲୋଚନକୁ ଆସିଛି। ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ ୧୬ ୱାର୍ଡ ବିଶିଷ୍ଟ ରାଁସୋଳ ପଞ୍ଚାୟତର ୩ଟି ୱାର୍ଡ ୭, ୮ ଓ ୯ ରେ ଭୋଟର ନାହାନ୍ତି। ୮ ଓ ୯ ନମ୍ବର ୱାର୍ଡରେ ଆଦୌ ଭୋଟର ନଥିବା ସ୍ଥଳେ ୭ ନଂ ୱାର୍ଡରେ ମାତ୍ର ୧୦ ରୁ ୧୨ ପ୍ରତିଶତ ଭୋଟର ଅଛି। ଏଭଳି ଅସଙ୍ଗତି ପାଇଁ ଉକ୍ତ ତିନି ୱାର୍ଡର ୱାର୍ଡ ସଭ୍ୟ ପଦବି ପାଇଁ ପ୍ରାର୍ଥିପତ୍ର ଦାଖଲ ହୋଇପାରିନାହିଁ। ସଦ୍ୟ ପ୍ରକାଶିତ ଭୋଟର ତାଲିକା ଆଧାରରେ ୮ ନଂ ୱାର୍ଡରେ ୨୮୨ ଜଣ ଭୋଟର ଓ ୯ ନଂ ୱାର୍ଡରେ ୨୦୭ ଜଣ ଭୋଟରଙ୍କ ନାମ ଉଲ୍ଲେଖ ରହିଥିବା ସ୍ଥଳେ ବାସ୍ତବ କ୍ଷେତ୍ରରେ ଏହା ଶୂନ ବୋଲି ଜଣାପଡ଼ିଛି। ଖଣି ନିଲାମ ପ୍ରକ୍ରିୟା ପାଇଁ ଚଳିତ ପଞ୍ଚାୟତ ନିର୍ବାଚନ ଏକପ୍ରକାର ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି।

ସୂଚନା ଅନୁସାରେ, ୭, ୮ ଓ ୯ ନଂ ୱାର୍ଡ(ବୁଥ୍) ଟାଟାଷ୍ଟିଲ ସୁକିନ୍ଦା କ୍ରୋମାଇଟ୍‌ ଖଣି ନିଲାମ ପ୍ରକ୍ରିୟା ଦ୍ବାରା ବିଶେଷ ପ୍ରଭାବିତ ହୋଇଛି। ୪୦୬ ହେକ୍ଟର ବିଶିଷ୍ଟ ଟାଟାଷ୍ଟିଲ ସୁକିନ୍ଦା କ୍ରୋମାଇଟ୍‌ ଖଣିର ଲିଜ୍‌ ଅବଧି ୨୦୨୦ ମସିହା ମାର୍ଚ ମାସ ୩୧ ତାରିଖରେ ଅତିକ୍ରାନ୍ତ ହୋଇଥିଲା। ସରକାର ପ୍ରଥମେ ଏହି ଖଣିକୁ ନିଲାମ ନକରି ନବଗଠିତ ସରକାରୀ ଉଦ୍ୟୋଗ ଓଡ଼ିଶା ଖଣି ଅନ୍ବେଷଣ ନିଗମ(ଓଏମ୍‌ଇସିଏଲ୍‌) ପାଇଁ ସଂରକ୍ଷିତ ରଖିଥିଲେ। ପଦକ୍ଷେପ ସ୍ବରୂପ ଟାଟାଷ୍ଟିଲ ପକ୍ଷରୁ ଖଣିରେ କାର୍ଯ୍ୟରତ ସମସ୍ତ ଶ୍ରମିକ, କର୍ମଚାରୀ ଓ ଅଧିକାରୀଙ୍କୁ ୨୦୧୯ ମସିହା ଏପ୍ରିଲ ମାସରୁ ପର୍ଯ୍ୟାୟ କ୍ରମେ ଏଠାରୁ ଅପସାରଣ କରାଯାଇଥିଲା। ପରବର୍ତ୍ତୀ ସମୟରେ ସରକାର ନିଷ୍ପତ୍ତି ବଦଳାଇ ଉକ୍ତ ଖଣିକୁ ସୁକିନ୍ଦା କ୍ରୋମାଇଟ୍‌ ବ୍ଲକ ନାଁରେ ନିଲାମ କରିବା ପାଇଁ ବିଜ୍ଞପ୍ତି ଜାରିକଲେ। ନିଲାମ ପ୍ରକ୍ରିୟାରୁ ଟାଟାଷ୍ଟିଲ୍‌ ଓହରି ଯାଇଥିଲା। ଫଳସ୍ବରୂପ ୩ ହଜାରରୁ ଅଧିକ ଠିକା ଶ୍ରମିକ ଓ ଖଣି କର୍ମଚାରୀଙ୍କୁ ଛଟେଇ କରାଯାଇଥିଲା। ଟାଟାଷ୍ଟିଲ କମ୍ପାନିର ୪ ଶହ ପାଖାପାଖି କର୍ମଚାରୀ ଓ ଶତାଧିକ ଅଧିକାରୀଙ୍କୁ ଅନ୍ୟତ୍ର ବଦଳି ଯାଇଥିଲା। ଅଧିକାଂଶ କର୍ମଚାରୀ ଓ ଅଧିକାରୀଙ୍କ ନାମ ଉକ୍ତ ୨ ୱାର୍ଡରେ ରହିଥିଲା। ଟାଟାଷ୍ଟିଲ୍‌ ସୁକିନ୍ଦା ୱାର୍କର୍ସ ୟୁନିଅନ୍ ସାଧାରଣ ସଂପାଦକ ସୁମନ୍ତ କୁମାର ମହାନ୍ତିଙ୍କ ପତ୍ନୀ ସଂଗୀତା ମହାନ୍ତି ଓ ଅନ୍ୟ ଜଣେ କର୍ମଚାରୀ ଉପେନ୍ଦ୍ର ପ୍ରଧାନଙ୍କ ପତ୍ନୀ ଏଠାରୁ ୱାର୍ଡସଭ୍ୟ‌ା ଭାବେ ନିର୍ବାଚିତ ହୋଇଥିଲେ। ସ୍ବାମୀମାନଙ୍କ ବଦଳି ପରେ ‌ଉଭୟ ଏଠାରୁ ସ୍ଥାନ ପରିବର୍ତ୍ତନ କରି ଅନ୍ୟତ୍ର ରହୁଛନ୍ତି।

ଅନ୍ୟପକ୍ଷରେ ସୁକିନ୍ଦା କ୍ରୋମାଇଟ୍‌ ବ୍ଲକ ପାଇଁ ରାଜ୍ୟ ସରକାରଙ୍କ ଦ୍ବାରା ଆହ୍ବାନ କରାଯାଇଥିବା ନିଲାମ ପ୍ରକ୍ରିୟାରେ ଟାଟା ଗ୍ରୁପ୍‌ ଦ୍ବାରା ନବଗଠିତ ଟାଟାଷ୍ଟିଲ ମାଇନିଂ ଲିମିଟେଡ୍‌(ଟିଏସ୍‌ଏମ୍‌ଏଲ୍‌) କମ୍ପାନି ଏଥିରେ ଯୋଗ୍ୟ ବିବେଚିତ ‌ହୋଇ ୨୦୨୦ ମସିହା ଏପ୍ରିଲ୍‌ ପହିଲାରୁ ଧୀରେଧୀରେ ଖଣି ଖନନ ଓ ଖଣିଜ ସଂପଦ ଉତ୍ତୋଳନ କାର୍ଯ୍ୟ ଆରମ୍ଭ କରିଥିଲେ ମଧ୍ୟ ବ୍ୟବସାୟିକ ଦୃଷ୍ଟିକୋଣରୁ କମ୍ପାନି ପକ୍ଷରୁ ଖଣିରେ ହାତଗଣତି ସ୍ଥାୟୀ କର୍ମଚାରୀ ନିଯୁକ୍ତ କରିଛନ୍ତି। ଏକଦା କ୍ରୋମ୍‌ ଉପତ୍ୟକାର ସର୍ବବୃହତ୍ତ କଲୋନିର ମାନ୍ୟତା ପାଇଥିବା ଏହି କଲୋନିରେ ଏବେ ଜନଶୂନ୍ୟ ପରିସ୍ଥିତି। ପୂରା କଲୋନି ଖାଁ ଖାଁ ଲାଗୁଛି। ଯାହାର ପ୍ରଭାବ ଚଳିତ ନିର୍ବାଚନ ଉପରେ ପଡ଼ିଛି।

ସମ୍ବନ୍ଧିତ ଖବର