ଯାଜପୁର/ଟାଉନ/ସଦର : ବୈତରଣୀ, ବ୍ରାହ୍ମଣୀ ଓ ମହାନଦୀର ଶାଖା ନଦୀ ଓ କେନାଲ ଜାଲ ପରି ଯାଜପୁର ଜିଲ୍ଲାକୁ ଘେରିଥିବା ସତ୍ତ୍ବେ ଆଜି ପର୍ଯ୍ୟନ୍ତ ସମସ୍ତ ବ୍ଲକ୍ରେ ଜଳସେଚନ ଓ ଜନ ନିଷ୍କାସନ ବ୍ୟବସ୍ଥା ସଠିକ୍ ଢଙ୍ଗରେ କାମ କରୁନି। ବର୍ଷା ନହେଲେ ମରୁଡ଼ି ଓ ଅଧିକ ବର୍ଷାରେ ଉଦବୃତ୍ତ ଜଳରେ ଫସଲ ନଷ୍ଟ ନିୟମିତ ଭାବେ ଲାଗି ରହିଛି। ଜଳସେଚନ ଓ ଜଳ ନିଷ୍କାସନ ନାମରେ ଜଳ ସମ୍ପଦ ବିଭାଗର ଏକାଧିକ ଡିଭିଜନ୍ ଜରିଆରେ ଶହଶହ କୋଟି ଟଙ୍କା ବ୍ୟୟ କରାଯାଉଛି। ହେଲେ ଏହା ଚାଷୀମାନଙ୍କ ସ୍ବାର୍ଥରେ ଲାଗିବା ପରିବର୍ତ୍ତେ ଠିକାଦାରଙ୍କ ସ୍ବାର୍ଥରେ ଯାଉଛି।
ବଡ଼ଚଣା ଓ ଧର୍ମଶାଳାରେ ଥିବା ହାଇଲେବୁଲ୍ କେନାଲ, ପଟ୍ଟାମୁଣ୍ଡାଇ ମୁଖ୍ୟ କେନାଲ ଓ ଯାଜପୁର ସହର ଦେଇ ଯାଇଥିବା ଆଖୁଆପଦ ଠାରୁ ବୈତରଣୀରୁ ବାହାରିଥିବା ମୁଖ୍ୟ କେନାଲର ଉନ୍ନତୀକରଣ ଚାଲିଛି। ଏପରିକି କେନାଲ ଭିତରେ ସିମେଣ୍ଟ କରାଗଲାଣି। ଅଥଚ ତଳମୁଣ୍ଡରେ ପାଣି ପହଞ୍ଚୁ ନାହିଁ। ହାଇଲେବୁଲ୍ କେନାଲର ପାଣିକୁ ନାଗଦଳ ଅଟକାଉଥିବାବେଳେ ଶାଖା କେନାଲ ମରାମତିରେ ପାଣି ପଞ୍ଚାୟତ ନାମରେ ହେଉଥିବା ବ୍ୟାପକ ଦୁର୍ନୀତି ଜଳସେଚନରେ ମୁଖ୍ୟ ପ୍ରତିବନ୍ଧକ ସାଜିଛି।
ଯାଜପୁର ଜିଲ୍ଲାର ଜଳସେଚନ ବ୍ୟବସ୍ଥାକୁ ଜଳ ସଂପଦ ବିଭାଗର ଏକାଧିକ ଡିଭିଜନ ନିୟନ୍ତ୍ରଣ କରୁଛି। ଯାଜପୁର ଜଳ ସମ୍ପଦ ଡିଭିଜନ ଅଧୀନରେ ଭଦ୍ରକ ଜିଲ୍ଲା ପାଇଁ ଆଖୁଆପଦା ଓ ଧାମନଗର ଦୁଇଟି ସବ୍ଡିଭିଜନ ଥିବାବେଳେ ଯାଜପୁର ଜିଲ୍ଲା ପାଇଁ ଯାଜପୁର ଓ ବିଂଝାରପୁର ସବ୍ଡିଭିଜନ ରହିଛି। ସେହିପରି ଜିଲ୍ଲାର ଜାରକା ଡିଭିଜନ୍ ଅଧୀନରେ ଜାରକା ଓ ବରୀ ସବଡିଭିଜନ ରହିଛି। ଯାଜପୁର ଡିଭିଜନ୍ ଅଧୀନରେ କେନାଲ-୧ ବୋଲି କୁହାଯାଉଛି। ସେହିପରି ୨ଟି ବଡ କେନାଲରୁ ୨୦ଟି ଊର୍ଦ୍ଧ୍ବ ଶାଖା କେନାଲ ରହିଛି। ମୋଟ କେନାଲର ଲମ୍ବ ୧୦ ହଜାର ୧୪୪ କିମି ରହିଛି। ଭଦ୍ରକ ଜିଲ୍ଲାରେ ୨ଟି ମୁଖ୍ୟ କେନାଲରୁ ୭ଟି ବଡ କେନାଲ ଏବଂ ସେଥିରୁ ୫୦ରୁ ଊର୍ଦ୍ଧ୍ବ ଶାଖା କେନାଲ ରହିଛି। ଯାହାକି ମୋଟ କେନାଲର ଲମ୍ବ ରହିଛି ୨୪କିମି ୯୦୦ କିଲୋମିଟର। ଏହି କେନାଲ ଯୋଗେ ଯାଜପୁରର ୧୩ହଜାର ୯୯ହେକ୍ଟର ଚାଷ ଜମିକୁ ପାଣି ଯୋଗାଣ ହେଉଥିବାବେଳେ ଭଦ୍ରକ ଜିଲ୍ଲା ପାଇଁ ୧୯ହଜାର ୬୫୩ ହେକ୍ଟର ଜମି ପାଣି ଯୋଗାଣ ହେଉଥିବାର ଦର୍ଶାଯାଉଛି। ଡିଭିଜନ୍ ଅଧୀନରେ କେନାଲ ଓ ଘାଇ ମରାମତି, ରକ୍ଷଣାବେକ୍ଷଣ ପାଇଁ ୬୯ଟି ପାଣିପଞ୍ଚାୟତ ରହିଛି। ପ୍ରତି ପାଣି ପଞ୍ଚାୟତକୁ ବର୍ଷକୁ ଏକ ଲକ୍ଷଟଙ୍କା ହାରାହାରି ପ୍ରଦାନ କରାଯାଉଥିବା ବେଳେ ବର୍ଷରୁ ୬୯ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଛି। ଗତ ୫ ବର୍ଷରେ ୩କୋଟି ୪୫ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ କରାଯାଇଛି। ସେହିପରି ଦୁଇଟି ବଡ କେନାଲକୁ କଂକ୍ରିଟକରଣ କରାଯାଉଛି। ଫଳରେ କୌଣସି ଘାଇ ନହେବା ସହ ପାଣି କେନାଲର ଶେଷ ମୁଣ୍ଡରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି। ଏହି କାର୍ଯ୍ୟ ପାଇଁ କୋଟି କୋଟି ବ୍ୟୟ ଅଟକଳ ହୋଇଥିବା ବେଳେ ସଠିକ ତଥ୍ୟ ମିଳିପାରିନାହିଁ।
ଯାଜପୁର ଜିଲ୍ଲାରେ ମୋଟ ୪ଲକ୍ଷ ୪୬ ହଜାର ୫୨୫ ଚାଷୀଙ୍କର ମୋଟ ୧ଲକ୍ଷ ୪୨ ହଜାର ୭୫୦ ହେକ୍ଟରର ଚାଷ ଜମି ରହିଛି। ସେଥିମଧ୍ୟରୁ ଉଠାଜଳସେଚନ, ନଦୀ ଜଳ, ବୋରିଂ ଆଦି ଜରିଆରେ ୫୪ହଜାର ୯୧୨ ହେକ୍ଟର ଜମି ଜଳସେଚିତ ହେଉଥିବା ଦର୍ଶାଯାଉଛି। ଅବଶିଷ୍ଟ ଚାଷ ଜମି ବର୍ଷା ଜଳ ଉପରେ ନିର୍ଭର କରୁଛନ୍ତି। ତେବେ ସରକାରୀ ତଥ୍ୟଠାରୁ ବହୁତ କମ୍ ଚାଷ ଜମି ଜଳସେଚିତ ହେଉଛି। ଅଧିକାଂଶ କେନାଲ ପୋତି ହୋଇଯାଇଥିବା ବେଳେ ଉଠାଜଳସେଚନ, କ୍ଷୁଦ୍ର ଜଳସେଚନ ବ୍ୟବସ୍ଥା ବି ଶୋଚନୀୟ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/jajapur-irrigation.jpg)