ପୁଲିସ କବ୍‌ଜାରେ ୩ ଡକାୟତ

୪ ମାଉଜର, ୭ ମାଗାଜିନ୍‌, ୮୦ ଅଫୁଟା ଗୁଳି ଜବତ

ବ୍ୟାସନଗର : ଶୁକ୍ରବାର ବ୍ୟାସନଗରରୁ ସ୍ପେଶାଲ୍‌ ସ୍କ୍ଵାଡ଼୍‍ ୩ ଜଣ ଡକାୟତଙ୍କୁ ଧରିଥିବା ବେଳେ ସେମାନଙ୍କ ନିକଟରୁ ୪ଟି ମାଉଜର, ୭ଟି ମାଗାଜିନ୍‌ ଏବଂ ୮୦ଟି ଅଫୁଟା ଗୁଳି ଜବତ କରିଛି। ସେମାନଙ୍କୁ ଯାଜପୁର ଏସ୍‌ପିଙ୍କ କାର୍ଯ୍ୟାଳୟରେ ରଖାଯାଇ ଅଧିକ ତଦନ୍ତ କରାଯାଉଛି। ତଦନ୍ତରେ ବାଧା ଉପୁଜିବା ଆଶଙ୍କାରେ ପୁଲିସ୍‌ ଡକାୟତମାନଙ୍କ ନାମ ଗୋପନ ରଖିଛି।

ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର ଚୋରଦା ବାଇପାସ୍‌ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ ନିକଟରୁ ଦୁଇ ଜଣ ଡକାୟତ ଟହଲ ମାରୁଥିବା ବେଳେ ସ୍ୱତନ୍ତ୍ର ସ୍କ୍ଵାଡ୍‌ ହାବୁଡ଼ରେ ପଡ଼ିଥିଲେ। ସେମାନଙ୍କୁ ପଚରାଉଚରା ପରେ ତାଙ୍କ ସୂଚନା ଅନୁଯାୟୀ ସ୍ୱତନ୍ତ୍ର ସ୍କାଡ୍‌ ଏବଂ ଯାଜପୁରରୋଡ଼ ପୁଲିସ୍‌ ସହରର ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲେ। ସୂର୍ଯ୍ୟାଂଶ ହୋଟେଲ୍‌ ଉପରେ ଚଢ଼ଉ କରି ଅନ୍ୟ ଜଣେ ଡକାୟତଙ୍କୁ ଗିରଫ୍‌ କରିଥିଲେ। ସେମାନଙ୍କୁ ଯାଜପୁର ଏସ୍‌ପିଙ୍କ କାର୍ଯ୍ୟାଳୟରେ ରଖାଯାଇ ଅଧିକ ଜେରା କରାଯାଉଛି। ଯାହା ସୂଚନା ମିଳିଛି ଡକାୟତମାନେ ମୁଖ୍ୟତଃ ବ୍ୟାସନଗରର କେତେକ ବ୍ୟାଙ୍କ୍‌ ଓ କେତେକ ସୁନା ଦୋକାନକୁ ଟାର୍ଗେଟ୍‌ କରିଥିଲେ। ପୁଲିସ ଏବେ ବିଭିନ୍ନ ଦିଗରୁ ତଦନ୍ତ ଚଳାଇଛି।

ଡକାୟତମାନେ କେଉଁଠାରୁ ଆସିଥିଲେ, ସେମାନଙ୍କର ଅନ୍ୟ କେଉଁ ଅପରାଧରେ ଜଡ଼ିତ ଅଛନ୍ତିକି ନାହିଁ, ସେମାନେ କି ଯୋଜନା ବନାଉଥିଲେ ଏଭଳି ନାନା ଦିଗକୁ ଦୃଷ୍ଟିରେ ରଖି ତଦନ୍ତ ଚଳାଇଛି ପୁଲିସ। ସହରରେ ଦିନକୁ ଦିନ ଅପରାଧ ବଢ଼ିଚାଲିଛି। କିଛି ବର୍ଷ ପୂର୍ବରୁ ସହରର ଏକ ସୁନା ଦୋକାନରୁ ଦୁଇଦୁଇ ଥର ଲୁଟ୍‌ ସହ ଅପରାଧୀମ ବିଭିନ୍ନ ସ୍ଥାନରେ ଘର ଲୁଟ୍‌ କରିବାରେ ସକ୍ଷମ ହୋଇଥିଲେ। ପୂର୍ନବାର ଏହିପରି ଯୋଜନା କରି ବହାର ଅଞ୍ଚଳର ଅପରାଧୀମାନେ ସହରରେ ଡେରା ପକାଇଥିବା ସନ୍ଦେହ କରାଯାଉଛି। ଅପରାଧୀମାନଙ୍କ ଯୋଜନାକୁ ପଣ୍ଡ କରିବା ପାଇଁ ପୁଲିସ୍‌ ଜୋର୍‌ଦାର ତଦନ୍ତ ଚଳାଇଛି। ଦିନେ ଦୁଇ ଦିନ ମଧ୍ୟରେ ଏହି ଅପରାଧୀଙ୍କ ସହ ଯୋଗସୂତ୍ରରେ ଥିବା ଅନ୍ୟ ଅପରାଧୀମାନଙ୍କୁ ପୁଲିସ୍‌ କବ୍ଜା କରିବା ସହ ଏହି ଘଟଣାର ଖୁଲାସା କରିବ ବୋଲି ପୁଲିସ୍‌ ସୂତ୍ରରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର