କାଳିଆପାଣି: ଆଧୁନିକ ଯୁଗରେ ଚିକିତ୍ସାଶାସ୍ତ୍ର ଆଧାରରେ ଡାକ୍ତରମାନେ ଅଧିକାଂଶ ରୋଗୀଙ୍କୁ ନିଶ୍ଚିତ ମୃତ୍ୟୁ ମୁଖରୁ ଫେରାଇଆଣି ଚମତ୍କାରିତା ଦେଖାଉଥିବା ସ୍ଥଳେ ଶିକ୍ଷା ଅନଗ୍ରସର ଇଲାକାରେ ଲୋକେ ଅନ୍ଧବିଶ୍ବାସରୁ ଅକାଳରେ ଝଡ଼ି ପଡ଼ୁଥିବା ଦେଖାଯାଉଛି। ଯାହାର ଏକ ଅଲୋଡ଼ା ଉଦାହରଣ ଯାଜପୁରଜିଲ୍ଲା କାଳିଆପାଣି ଥାନା କାଙ୍କଡ଼ପାଳ ପଞ୍ଚାୟତ ଗନ୍ତାୟତ କାଟେଣି ଗାଁରେ ଦେଖିବାକୁ ମିଳିଛି। ଗୋଲେଖ ପ୍ରଧାନଙ୍କ ସାନପୁଅ ତୋଫାନ(୨୩) ଜଣ୍ଡିସ(କାମଳ) ରୋଗରେ ଆକ୍ରାନ୍ତ ଥାଇ ମାସେ ଧରି ଝଡ଼ାଫୁଙ୍କା ଓ ଜଡ଼ିବୁଟି ଚିକିତ୍ସା କରାଇବା ପରେ ମୃତ୍ୟୁର ଶିକାର ହୋଇଥିବା ଅଭିଯୋଗ ହୋଇଛି।
ଜଣ୍ଡିସ ଆକ୍ରାନ୍ତ ଥିଲେ ତୋଫାନ
ରାଜମିସ୍ତ୍ରୀ ଭାବେ କାମ କରୁଥିବା ତୋଫାନଙ୍କ ଦେହରେ ଜର ଲାଗିରହିବା ଓ ଆଖି ହଳଦିଆ ପଡ଼ିବା ଦେଖି ତାଙ୍କୁ ଜଣ୍ଡିସ ହୋଇଥିବା କୁହାଯାଇଥିଲା। ସେ ଗାଁ ପାଖ ଭୁବନ ଥାନା ଅନଳର ଜଣେ କ୍ବାକ୍ ଓ ପିମ୍ପୁଡ଼ିଆ ଗାଁର ଅନ୍ୟ ଜଣେ କ୍ବାକ୍ ପାଖକୁ ଯାଇ ଜଡ଼ିବୁଟି ଔଷଧ ଖାଇଥିଲେ। ଏକାଧିକ ଗୁଣିଆ ପରାମର୍ଶରେ ପୂଜାପାଠ କରି ସେମାନଙ୍କ ପାଖେ ଝଡ଼ାଫୁଙ୍କା କରାଉଥିଲେ। ଏହା ଜାଣି ଯୁବ ସ୍ବେଚ୍ଛାସେବୀ ସୁଶାନ୍ତ କୁମାର ଦେହୁରୀ ତାଙ୍କ ଘରକୁ ଯାଇ ଝଡ଼ାଫୁଙ୍କାରୁ ନିବୃତ ରହିବା ଓ ଡାକ୍ତରଖାନା ଯିବାକୁ ଏକାଧିକ ବାର ପରାମର୍ଶ ଦେଇଥିଲେ। ହେଲେ ପରିବାର ପକ୍ଷରୁ ତାଙ୍କର ସ୍ବତନ୍ତ୍ର ହଳଦୀ ଉପଚାର ଜାରି ରହିଥିଲା। ଗୁଣିଆ ପାଖରେ ମନ୍ତୁରା ସୋରିଷ ତେଲ ଓ ହଳଦୀଗୁଣ୍ଡକୁ ମିଶାଇ ତାଙ୍କ କପାଳ, ତାଳୁ ଓ ଆଖି ତଳ ପତାରେ ଘଷିଘଷି ହଳଦୀ ବାହାର କରିବାକୁ କୁହାଯାଇଥିଲା। ମୁହଁ ଫୁଲି ଯାଇଥିଲେ ହେଁ ତୋଫାନ ଏହି ହଳଦୀ ଉପଚାର ଜାରି ରଖିଥିବା ଜାଣି ସରପଞ୍ଚ ସଞ୍ଜୟ କୁମାର ପରିଡ଼ା ତାଙ୍କୁ ତୁରନ୍ତ ମେଡିକାଲ୍ ଯିବାକୁ ପରାମର୍ଶ ଦେଇଥିଲେ। ହେଲେ ସେତେବେଳକୁ ବହୁ ବିଳମ୍ବ ହୋଇସାରିଥିଲା।
ଆହୁରି ପଢ଼ନ୍ତୁ: Delhi Red Fort Blast, Odisha Link: ଦିଲ୍ଲୀ ବିସ୍ଫୋରଣରେ ଓଡ଼ିଶା ଲିଙ୍କ୍ ! ଜେରା ବେଳେ ସାମ୍ନାକୁ ଆସିଲା ସାଙ୍ଘାତିକ ତଥ୍ୟ...!
ଡାକ୍ତରଖାନା ନେବା ବେଳେ ଯୁବକଙ୍କ ମୃତ୍ୟୁ
ମୁମୂର୍ଷୁ ଅବସ୍ଥାରେ ଏକ ଭଡ଼ାଗାଡ଼ିରେ ତାଙ୍କୁ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନିଆଯିବା ବାଟରେ ତାଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା। ଡାକ୍ତରଖାନାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ସଂକ୍ରାନ୍ତରେ କାଳିଆପାଣି ଥାନାରେ ଏକ ଅପମୃତ୍ୟୁ ମାମଲା ୨୧/୨୫ ରୁଜୁହୋଇ ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ଶିବ ଚରଣ ବେହେରାଙ୍କ ଠାରୁ ସୂଚନା ମିଳିଛି। ଏହାକୁ ନେଇ ସରପଞ୍ଚ ଶ୍ରୀ ପରିଡ଼ା ଓ ସମାଜସେବୀ ସୁଶାନ୍ତ ଦେହୁରୀ ଉଦବେଗ ପ୍ରକାଶକରି ପ୍ରଶାସନିକ ସ୍ତରରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଦାବି କରିଛନ୍ତି।
ଆହୁରି ପଢ଼ନ୍ତୁ: Life End: ଭଲ ପାଇ ବିବାହ କରିଥିଲେ ଯୁବତୀ, ପରିବାରର ଅଣଦେଖା ପାଇଁ ଜୀବନ ହାରିଲେ!
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/10/19/dead-2025-10-19-19-37-58.jpg)