ଯାଜପୁର: ଯାଜପୁର ଟାଉନରୁ ସିଂହପୁର ଯାଉଥିବା ଏକ ଟ୍ରେକର ଭାରସାମ୍ୟ ହରାଇବାରୁ ବୁଧବାର ଓଲଟି ପଡ଼ିଛି। ଏହି ଦୁର୍ଘଟଣାରେ ଜଣେ ୫ ବର୍ଷର ଶିଶୁ ସମେତ ୨ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୫ରୁ ଅଧିକ ଆହତ ହୋଇଛନ୍ତି। ଆହତମାନଙ୍କୁ ଯାଜପୁର ସଦର ହସ୍ପିଟାଲ ଓ ବିଞ୍ଝାରପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁସାରେ ଯାଜପୁର-ସିଂହପୁର ରାଜ୍ୟ ରାଜପଥରେ ଆଜି ଅପରାହ୍ନ ସାଢ଼େ ୪ଟା ରେ ପ୍ରାୟ ୨୦ ଜଣ ଲୋକଙ୍କୁ ନେଇ ଏକ ଟ୍ରେକର ଯାଉଥିଲା। ସୟଦପୁରସ୍ଥିତ ଆଙ୍କୁଳିଆ ପୋଲ ନିକଟରେ ପହଞ୍ଚିବା ପରେ ଟ୍ରେକରଟି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ଘଟଣାସ୍ଥଳରେ ଟ୍ରେକରରେ ବସିଥିବା ବିଞ୍ଝାରପୁର ଅଧିନ ରଣପୁରର ବ୍ରଜସୁନ୍ଦର ମଲିକ (୬୫) ଓ କେନ୍ଦ୍ରାପଡ଼ା ଜିଲ୍ଲା ମଧୁବନ ଅଞ୍ଚଳର ଆୟୁଷ ମଲିକ(୮)ଙ୍କ ମୃତ୍ୟୁ ହୋଇଥିଲା। ଆୟୁଷଙ୍କ ମା’ ସ୍ମତିରେଖା ମଲିକ ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି।