ଦୁଇ ଯୁବତୀଙ୍କ ବଚସାରୁ ଗଣ୍ଡଗୋଳ, ୬ ଆହତ

ବାରବାଟୀ: କୁଆଖିଆ ଥାନା ଅନ୍ତର୍ଗତ ରାହାମ୍ବା ପଞ୍ଚାୟତର ହାଜିବାଗ ଗାଁରେ ଦୁଇ ଯୁବତୀଙ୍କ ମଧ୍ୟରେ ସାମାନ୍ୟ ବଚସାରୁ ରବିବାର ରାତିରେ ଗଣ୍ଡଗୋଳ ହୋଇଛି। ଏଥିରେ ଯୁବତୀଦ୍ୱୟଙ୍କ ପରିବାର ସଦସ୍ୟମାନେ ସାମିଲ ହୋଇଯିବାରୁ ଗଣ୍ଡଗୋଳ ଉଗ୍ରରୂପ ଧାରଣ କରିଥିଲା। ଏଥିରେ ୬ଜଣ ଆହତ ହୋଇଛନ୍ତି। ଏ ନେଇ ଆଜି କୁଆଖିଆ ଥାନାରେ ଉଭୟ ପକ୍ଷଙ୍କ ଅଭିଯୋଗକ୍ରମେ ଦୁଇଟି ମାମଲା ରୁଜୁ କରି ପୁଲିସ୍‌ ତଦନ୍ତ ଚଳାଇଛି।
ପ୍ରକାଶ ଯେ ରବିବାର ରାତିରେ କୌଣସି କାରଣରୁ ହାଜିବାଗ ମୁସ୍‌ଲିମ୍‌ ବସ୍ତିର ଶେଖ୍‌ ସଫିକ୍‌ଉଦ୍ଦିନ୍‌ ଓ ଶେଖ୍‌ ଡବିରଉଦ୍ଦିନଙ୍କ ପରିବାରର ଦୁଇଜଣ ଯୁବତୀଙ୍କ ମଧ୍ୟରେ ବଚସା ହୋଇଥିଲା। ଏହାପରେ ଉଭୟ ଯୁବତୀଙ୍କ ମଧ୍ୟରେ ମାଡ଼ପିଟ୍‌ ହୋଇଥିଲେ। ଏଥିରେ ଡବିରଉଦ୍ଦିନ ହସ୍ତକ୍ଷେପ କରି ଭଙ୍ଗାରୁଜା କରିବାକୁ ଉଦ୍ୟମ କରିଥିଲେ। ଏହା ଦେଖି ସଫିକ୍‌ଉଦ୍ଦିନଙ୍କ ପରିବାର ଲୋକେ ଡବିରଉଦ୍ଦ୍‌ିନଙ୍କୁ ଆକ୍ରମଣ କରିଥିଲେ। ଫଳରେ ସେ ଗୁରୁତର ଆହତ ହୋଇଥିଲେ। ସେହିପରି ଡବିରଉଦ୍ଦିନଙ୍କ ପରିବାର ଲୋକଙ୍କ ମାଡ଼ରେ ସଫିକ୍‌ଉଦ୍ଦିନଙ୍କ ସମର୍ଥକ ହାଜିମନ ବିବି ମଧ୍ୟ ଗୁରୁତର ଆହତ ହୋଇଛନ୍ତି।

ଏହି ଗଣ୍ଡଗୋଳରେ ଶେଖ୍‌ କାଲିଆ, ଶେଖ୍‌ ଆବାସ୍‌, ଶେଖ୍‌ ଲତିପୁର ରହେମାନ୍‌, ସଫିକ୍‌ ରହେମାନ ପ୍ରମୁଖ ସାମାନ୍ୟ ଆହତ ହୋଇଛନ୍ତି। ମଧୁବନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସେମାନଙ୍କର ଚିକିତ୍ସା କରାଯାଇଥିବା ବେଳେ ଗୁରୁତର ଆହତଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଘଟଣା ପଛରେ ଧର୍ମୀୟ ଭାବନାକୁ ନେଇ ରହିଥିବା ବିବାଦ ପ୍ରମୁଖ କାରଣ ବୋଲି ଚର୍ଚ୍ଚା ହେଉଛି। ଏ ନେଇ ଗାଁରେ ଉତ୍ତେଜନା ଲାଗି ରହିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିଛି।

ସମ୍ବନ୍ଧିତ ଖବର